ଫେରିବେ ସିଦ୍ଧାନ୍ତ-ରଚନା ଯୋଡ଼ି

ଭୁବନେଶ୍ବର : ସିଦ୍ଧାନ୍ତ-ରଚନା। ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏଇ ନାଁ ଦୁଇଟି ହିଁ ଅତି ଆପଣାର। କେବେ ପ୍ରେମଗୀତରେ ଦୁହିଁଙ୍କ ଅଭିନୟ ଦେଖି ମନ ଭିଜିଛି ତ କେବେ ପରଦା ଉପରେ ତାଙ୍କର ମିଛିମିଛିକା କାନ୍ଦରେ ଦର୍ଶକଙ୍କ ଆଖି ଓଦା ହୋଇଛି। ରଚନାଙ୍କ ଚୁଲ୍‌ବୁଲି ଅଭିନୟ ଓ ମିଠା ହସ କୋଟି ଓଡ଼ିଆଙ୍କ ହୃଦୟ ଚୋରେଇ ନେଇଛି। ଦିନେ ଏମିତି ସମୟ ଥିଲା, ଯେବେ ସବୁ ଚଳଚ୍ଚିତ୍ରରେ ଏଇ ୨ଟି ମୁହଁ ବାରମ୍ବାର ଦେଖିବାକୁ ମିଳୁଥିଲା। ମାତ୍ର ୨୦୦୨ ପରଠୁ ପରଦାରୁ ଅଦୃଶ୍ୟ ହୋଇଗଲା ଏହି ଚର୍ଚ୍ଚିତ ଯୋଡ଼ି। ତେବେ ଖୁବ୍‌ଶୀଘ୍ର ଏଇ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ୧୬ବର୍ଷର ନିରବତା ପରେ ପୁଣି ପରଦାରେ ଏକାଠି ହେବେ ଓଲିଉଡ୍‌ର ଏହି ଲୋକପ୍ରିୟ ଯୋଡ଼ି। ନିର୍ମାଣ ଅପେକ୍ଷାରେ ଥିବା ରବୀନ୍ଦ୍ର ନାଥ ଦାସ ଏବଂ ମାଧବ ପରିଡ଼ାଙ୍କ ଚଳଚ୍ଚିତ୍ର ‘ରକ୍ତ ଚି‌ହ୍ନେ ରକ୍ତକୁ’ ଦୁହିଁଙ୍କୁ ପୁଣି ଏକାଠି କରିବ।

ପ୍ରାୟ ୪୫ଟି ଚଳଚ୍ଚିତ୍ରରେ ସିଦ୍ଧାନ୍ତ-ରଚନା ଯୋଡ଼ିକୁ ଭଲ ପାଇବାର ସ୍ବୀକୃତି ଦେଇ ସାରିଥିବା ଦର୍ଶକଙ୍କ ମଧ୍ୟରେ ଏନେଇ କେତେ ଯେ ଉତ୍କଣ୍ଠା, ତାହା ସୋସିଆଲ୍‌ ମିଡିଆରୁ ବାରି ହେଲାଣି। ମାଧବ ପରିଡ଼ାଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତ-ରଚନା-ଅନୁ ଚୌଧୁରୀଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏହି ଯୋଡ଼ିଙ୍କୁ ପରଦାରେ ମିଶାଇବାରେ ମୁଖ୍ୟ ସୂତ୍ରଧର ସାଜିଛନ୍ତି ‘ପଶ୍ଚିମବଙ୍ଗ ଚଳଚ୍ଚିତ୍ର ଉନ୍ନୟନ ନିଗମ’ର ମୁଖ୍ୟ ପ୍ରବନ୍ଧକ ଓଡ଼ିଆ ପୁଅ ରବୀନ୍ଦ୍ର ନାଥ ଦାସ। ଏନେଇ ଶ୍ରୀ ଦାସ ରଚନା ବାନାର୍ଜୀଙ୍କ ସହ କଥା ହୋଇ ସହମତି ପାଇ ସାରିଛନ୍ତି। ଏଣେ ସିଦ୍ଧାନ୍ତ ଏବଂ ଅନୁ ଚୌଧୁରୀଙ୍କ ସହ ମଧ୍ୟ ଶ୍ରୀ ପରିଡ଼ା ଏବଂ ଫିଲ୍ମ ୟୁନିଟ୍‌ର କଥାବାର୍ତା ଶେଷ ହୋଇଛି। ତେବେ ନିର୍ବାଚନ ଥିବାରୁ ସିଦ୍ଧାନ୍ତ କିଛି ସମୟ ମାଗିଛନ୍ତି। ଏଥିପାଇଁ ନିର୍ଦିଷ୍ଟ ସମୟ ସ୍ଥିରୀକୃତ ହୋଇନାହିଁ। ମାତ୍ର କାହାଣୀ ଏବଂ ସଂଗୀତ ରେକର୍ଡିଂ ଶେଷ ହୋଇଛି। ଫିଲ୍ମଟି ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ବରରେ ସୁଟିଂ ହେବା ନେଇ ନିଷ୍ପତ୍ତି ହୋଇସାରିଛି। ତେଣୁ ଖୁବ୍‌ଶୀଘ୍ର ରଚନା-ସିଦ୍ଧାନ୍ତ ଯୋଡ଼ିକୁ ଦର୍ଶକ ପରଦାରେ ଦେଖିବା ପ୍ରାୟ ନିଶ୍ଚିତ।

ପଶ୍ଚିମବଙ୍ଗର ଏସ୍‌ବିଏମ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ର ପ୍ରଯୋଜକ ସୌରଭ ଚାଟାର୍ଜୀ ଏହାର ପ୍ରଯୋଜନା ଭାର ନେଇଛନ୍ତି। ସଂଯୋଗବଶତଃ ଏକ ଓଡ଼ିଆ ଚଳଚ୍ଚିତ୍ର କରିବା ପାଇଁ ଶ୍ରୀ ଚାଟାର୍ଜୀ ଆଗ୍ରହ ପ୍ରକାଶ କରି ଏନେଇ ରବୀନ୍ଦ୍ରନାଥ ଦାସଙ୍କ ପରାମର୍ଶ ଲୋଡ଼ିଥିଲେ। ତେଣୁ ରବୀନ୍ଦ୍ର ଏ ବାବଦରେ ମାଧବଙ୍କ ସହ କଥା ହୋଇ କିଛି ‌କାହାଣୀ ମାଗିଥିଲେ। ମାଧବ ୩ଟି କାହାଣୀ ପଢ଼ି ସୌରଭ ଓ ରବୀନ୍ଦ୍ରନାଥଙ୍କୁ ଶୁଣାଇବା ପରେ ଦିହେଁ ‘ରକ୍ତ ଚି‌ହ୍ନେ ରକ୍ତକୁ’ ଚଳଚ୍ଚିତ୍ରର ରୂପ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେଇଠୁ ଆରମ୍ଭ ହୋଇଥିଲା ଅଭିଯାନ। ବର୍ତମାନ ସୁଦ୍ଧା ଚଳଚ୍ଚିତ୍ରର ୭ଟି ଗୀତ ରେକର୍ଡିଂ ସରିଛି। ଗୀତ ଲେଖିବା ସହ ଏଥିରେ ସଂଗୀତ ନିର୍ଦେଶନା ଦେଇଛନ୍ତି ସ୍ବରୂପ ନାୟକ। ୭ ବର୍ଷ ପରେ ଶ୍ରୀ ନାୟକ ସଂଗୀତ ଭାର ନେଇ ବଡ଼ ପରଦାକୁ ଫେରୁଛନ୍ତି। ଟି ସୌରୀ, କୁମାର ବାପି, ଅସୀମା ପଣ୍ଡା, ଶଶାଙ୍କ, ମାଧବ, ତପୁ ମିଶ୍ର ଓ ଦେବାଶିଷ ମହାପାତ୍ର କଣ୍ଠଦାନ କରିଛନ୍ତି। ୧୯୮୪ରେ ‘କଳାପାହାଡ଼’ ନାଟକ ରେକର୍ଡିଂ କରି ଚର୍ଚ୍ଚାକୁ ଆସିଥିବା ମାଧବ ପରିଡ଼ା ଏହାର ନିର୍ଦେଶନା ଦେଉଥିବା ବେଳେ ନିକଟରେ ତାଙ୍କର ବଙ୍ଗଳା ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ଦି ଗେଷ୍ଟ୍‌ ହାଉସ୍‌’ ମୁକ୍ତିଲାଭ କରିବାକୁ ଯାଉଛି।

ମୋ କୋଳ ତୋ ଝୁଲଣା, ପରଦେଶୀ ବାବୁ, କଳ୍‌କୀ ଅବତାର, ଲକ୍ଷେ ଶିବ ପୂଜି ପାଇଛି ପୁଅ, ଲକ୍ଷ୍ମୀ ପ୍ରତିମା, ସୁହାଗ ସିନ୍ଦୂର, ଲକ୍ଷ୍ମଣ ରେଖା, ଗଙ୍ଗା ଯମୁନା, ଯଶୋଦା, ପବିତ୍ର ବନ୍ଧନ ଭଳି ଚଳଚ୍ଚିତ୍ର ପରେ ୨୦୦୨ ମସିହାରେ ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କୁ ଶେଷଥର ପାଇଁ ‘ସନ୍ତାନ’ରେ ଦେଖିବାକୁ ମିଳିଥିଲା। ନିକଟରେ ରଚନା ସୋସିଆଲ୍‌ ମିଡିଆରେ ଓଡ଼ିଆ ଦର୍ଶକଙ୍କୁ ନିଜ ମନର କଥା ବାଣ୍ଟି କହିଥିଲେ, ଓଡ଼ିଆ ସିନେଶିଳ୍ପକୁ ମୁଁ ଏବେ ବି ଝୁରୁଛି। ରାଜୁ ମିଶ୍ର ଓ ହର ପଟ୍ଟନାୟକ ତାଙ୍କୁ ଅଭିନୟ ଶିଖାଇଛନ୍ତି ବୋଲି କହିବା ସହ ଓଡ଼ିଆ ଚଳଚ୍ଚିତ୍ରକୁ ପୁଣି ଫେରିବେ ବୋଲି ସେ ସେଇ ଭିଡିଓରେ ଇସାରା ଦେଇଥିଲେ। ଏମିତିକି ଆଗକୁ ଯଦି ସୁଯୋଗ ମିଳେ ସିଦ୍ଧାନ୍ତଙ୍କ ସହ ଅଭିନୟ କରିବି ବୋଲି କହିଥିଲେ। ଗତବର୍ଷ ନଭେମ୍ବର ମାସରେ ଏହି ଭିଡିଓ ସୋସିଆଲ୍‌ ମିଡିଆରେ ବୁଲିବା ପରେ ରଚନା ଓଡ଼ିଆ ଚଳଚ୍ଚିତ୍ରକୁ ଫେରିବା ନେଇ ସନ୍ଦେଶ ମିଳିଯାଇଥିବା ବେ‌ଳେ ଏବେ ଏହା ବାସ୍ତବ ରୂପ ନେବାକୁ ଯାଉଛି।

ସମ୍ବନ୍ଧିତ ଖବର