ମହାବୀର କ୍ଷେତ୍ରର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା: ରାବଣପୋଡ଼ି ଦେଖିବାକୁ ଲକ୍ଷାଧିକ ଜନସମାଗମ

ଦଶପଲ୍ଲା: ଆଜି ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାର ରାବଣବଧ ମୁଖ୍ୟ ଦିବସ ଭାବରେ ଗଣନା କରାଯାଏ। ପରମ୍ପରା ଅନୁଯାୟୀ ଏହି ଉତ୍ସବ ମଙ୍ଗଳରାତି ବୁଧ ପାହାନ୍ତି ଦିନ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷାଧିକ ଜନସମାଗମ ହୋଇଥାଏ। ମୁଖ୍ୟତଃ ଏହି ପ୍ରସଙ୍ଗଟି ତିନୋଟି ମଞ୍ଚରେ ଅଭିନୀତ ହୁଏ। ସର୍ବପ୍ରଥମେ ମୁଖ୍ୟ ମଞ୍ଚରେ ଇନ୍ଦ୍ରଜିତ ବଧ ପ୍ରସଙ୍ଗଟି ଖୁବ୍ ରୋଚକ ଭାବେ ଅନୁଷ୍ଠିତ ହୁଏ। ଇନ୍ଦ୍ରଜିତ ଦିବ୍ୟରଥ ଓ ଅସ୍ତ୍ର ନିମନ୍ତେ ଯଜ୍ଞ କରୁଥିବା ବେଳେ ଲକ୍ଷ୍ମଣ ଅତର୍କିତ ଆକ୍ରମଣ କରି ତାହାର ବଧ କରନ୍ତି। ତଦନ୍ତେ ଶୋକାତୁର ରାବଣ ଲକ୍ଷ୍ମଣଙ୍କୁ ଏକଘନି ବ୍ରହ୍ମାସ୍ତ୍ର ଦ୍ବାରା ଆହତ କରନ୍ତି। ମାତ୍ର ବୈଦ୍ୟ ସୁଷେଣଙ୍କ ପରାମର୍ଶରେ ଶ୍ରୀହନୁମାନ ଗନ୍ଧମାର୍ଦ୍ଦନ ପର୍ବତର ଏକ ଶୃଙ୍ଗ ଆଣିବା ସମୟରେ ଅଯୋଧ୍ୟା ବାଟରେ ଗମନ କଲାବେଳେ ଭରତଙ୍କ ବାଟୁଳିରେ ମୂର୍ଚ୍ଛାହତ ହୋଇ ଭୂପତିତ ହୁଅନ୍ତି। ସେଠାରେ ଭରତ ସବୁକଥା ଜାଣିବା ପରେ ଶୋକ କରନ୍ତି। ମାତ୍ର ପୁନଶ୍ଚ ମହାବୀର ହନୁମାନ ପର୍ବତ ଧରି ଲଙ୍କା ଆଗମନ ବେଳେ ରାବଣ ସେନା ପଠାଇ ପ୍ରତିରୋଧ କରି ବିଫଳ ହୁଏ। ଶେଷରେ ଅମୃତତୁଲ୍ୟ ସଞ୍ଜିବନୀରେ ଲକ୍ଷ୍ମଣ ସୁସ୍ଥ ହୁଅନ୍ତି। ଏଣିକି ଶେଷ ସମୟ ଆରମ୍ଭ ହୁଏ। ମୁଖ୍ୟ ମଞ୍ଚରୁ ସମର ଆରମ୍ଭ ହୋଇ ସୁବଳ ଗିରି ମଞ୍ଚ (ଗଣେଶ ବଜାର) ପର୍ଯ୍ୟନ୍ତ ଆଗମନ ହୁଏ। ସେଠାରେ ଠୁଳଜଙ୍ଘ ବଧ ହୁଏ।

ଦେବରାଜ ମାତଳି ବିଜୟାରଥ ପ୍ରେରଣ କରନ୍ତି। ଗୋଟାଏ ଦିଗରେ ଦିବ୍ୟ ରଥରେ ରାମ-ଲକ୍ଷ୍ମଣ ଓ ଅନ୍ୟପଟରେ ପୁଷ୍ପକ ବିମାନରେ ରାବଣ ଢେ଼ାଲ, ନିଶାଣ, ଚାଙ୍ଗୁ, ମହୁରି, ଝାଞ୍ଜପରି ବହୁ ପାରମ୍ପରିକ ବାଦ୍ୟ ସହ ଘମାଘୋଟ ଲଢ଼େଇ ଚାଲେ। ପ୍ରାୟ ଅଧ କିମି ଲଙ୍କାଗଡ଼ ମଞ୍ଚ ପର୍ଯ୍ୟନ୍ତ। ଏଠାରେ ଶ୍ରୀରାମ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣକୁ ନିଧନ କରିବା ସଙ୍ଗେ ସଙ୍ଗେ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ହୁଏ। କାଷ୍ଠ ରାବଣର ମୁଖା ବକ୍ର କରାଯାଏ। ଏହା ପରେ ଆତସବାଜୀ ପ୍ରଦର୍ଶନ ହୁଏ। ଅନେକ ମାନସିକଧାରୀ ସେମାନଙ୍କ ଯାଚଜ୍ଞା ବାଣ ପ୍ରଦାନ କରିଥାନ୍ତି। ବାଣ ପ୍ରତିଯୋଗିତା ହୁଏ। ସବୁ ଆତସବାଜୀ ପ୍ରଦର୍ଶନ ପରେ ବିଭୀଷଣଙ୍କ ସିଂହାସନା ରୋହଣ, ସୀତାଙ୍କ ଅଗ୍ନି ପରୀକ୍ଷା ହୁଏ। ଶେଷରେ ବିଭୀଷଣଙ୍କ ଅନୁରୋଧ କ୍ରମେ ଶ୍ରୀରାମ, ଲକ୍ଷ୍ମଣ, ସୀତା, ବାନରସେନା ପୁଷ୍ପକଯାନରେ ବସି ଅଯୋଧ୍ୟା ଗମନ ଦୃଶ୍ୟ ଅତୀବ ବିରଳ ହୋଇଥାଏ। ତଳେ ହଜାର ହଜାର ଦର୍ଶକ ସମାବେଶ ଓ ଉପରେ ପୁଷ୍ପକ ବିମାନ ଗମନ ଭିନ୍ନ ଏକ ବାତାବରଣ ସୃଷ୍ଟି କରେ। ପ୍ରତ୍ୟାବର୍ତ୍ତନ ସମୟରେ ବାଟସାରା ବନ୍ଦାପନା, ମିଠେଇ ବଣ୍ଟନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର