ଆତଙ୍କବାଦୀ ନେଟ୍‌ଓ୍ଵର୍କ ଧ୍ୱଂସ ପାଇଁ ପାକ୍‌କୁ ଆମେରିକାର ଚେତାବନୀ

ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ କାୟାବିସ୍ତାର କରିଥିବା ଆତଙ୍କବାଦୀ ନେଟ୍‌ଓ୍ଵର୍କଗୁଡ଼ିକୁ ଧ୍ୱଂସ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପାକିସ୍ତାନକୁ ଆମେରିକା ଚେତାଇ ଦେଇଛି। ଆଫଗାନିସ୍ତାନରେ ବଡ଼ ଧରଣର ହିଂସା ଘଟାଇବା ସହ ପାକିସ୍ତାନରେ ଆମେରିକା ବିରୋଧୀ ମାନସିକତାକୁ ବଢ଼ାଉଥିବା ହକାନି ନେଟ୍‌୍‌୍ଓ୍ଵର୍କକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମୂଳପୋଛ କରିବାକୁ ଆମେରିକା ଚେତାବନୀ ଦେଇଛି। ଏ ଦିଗରେ ପୂର୍ବରୁ ପାକିସ୍ତାନ ନେଇଥିବା ପଦକ୍ଷେପ କେବଳ ଉପରଠାଉରିଆ ଥିବାରୁ ହକାନି ନେଟ୍‌ଓ୍ଵର୍କ ପାକିସ୍ତାନରେ ଯଥାରୀତି କାମ କରୁଛି ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ହକାନି ନେଟ୍‌୍‌ଓ୍ଵର୍କ ଆଫଗାନିସ୍ତାନରେ ଭାରତୀୟ ଏବଂ ଆମେରିକୀୟଙ୍କ ଉପରେ ଲଗାତାର ଆକ୍ରମଣ କରିଚାଲିଛି। ୨୦୦୮ରେ କାବୁଲରେ ଭାରତୀୟଙ୍କ ଉପରେ ହୋଇଥିବା ଆକ୍ରମଣରେ ୫୮ ଲୋକଙ୍କ ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନରେ ଅନେକ ଆମେରିକୀୟଙ୍କୁ ଅପହରଣ କରି ହତ୍ୟା କରିଥିବା ହକାନି ନେଟ୍‌୍‌ଓ୍ଵର୍କ ବିରୋଧରେ ଆମେରିକା ପ୍ରାୟ ୧୪ଥର ଡ୍ରୋନ୍‌ ଆକ୍ରମଣ କରିଥିଲେ ମଧ୍ୟ ବିଶେଷ ସଫଳତା ପାଇନାହିଁ।

ସମ୍ବନ୍ଧିତ ଖବର