ଟାଟା ଷ୍ଟିଲ୍‌ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌: ପ୍ରଶାସକ ଏକାଦଶ ପୁଣି ବିଜେତା

ଭୁବନେଶ୍ୱର: ଟାଟା ଷ୍ଟିଲ୍‌ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ର ଦ୍ୱାଦଶ ସଂସ୍କରଣରେ ପ୍ରଶାସକ ଏକାଦଶ ବିଜେତା ହୋଇଛି। ଶନିବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ଆୟୋଜକ ଟାଟା ଷ୍ଟିଲ୍‌ ଦଳକୁ ୧-୦ ଗୋଲ୍‌ରେ ପରାସ୍ତ କରି ପ୍ରଶାସକ ଏକାଦଶ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବିଜେତା ହୋଇ ଟ୍ରଫି ବଜାୟ ରଖିଛି। ଫାଇନାଲ୍‌ର ଏକମାତ୍ର ଗୋଲ୍‌ ଏସ୍‌ଡି ଦୁର୍ଗା ଦ୍ୱିତୀୟାର୍ଧରେ କରିଥିଲେ। ପୂର୍ବରୁ ପ୍ରଥମ ସେମିଫାଇନାଲ୍‌ରେ ପ୍ରଶାସକ ଏକାଦଶ ୪-୦ ଗୋଲ୍‌ରେ ରାଜନେତା ଏକାଦଶକୁ ପରାସ୍ତ କରିଥିଲା ବେଳେ ଟାଟା ଷ୍ଟିଲ୍‌ ଦଳ ୫-୪ ସୁଟ୍‌ଆଉଟ୍‌ରେ ସାମ୍ବାଦିକ ଏକାଦଶକୁ ପରାସ୍ତ କରିଥିଲା । ସେମିଫାଇନାଲ୍‌ରେ ପ୍ରଶାସକ ଏକାଦଶ ପକ୍ଷରୁ ବଲଓ୍ଵନ୍ତ ସିଂହ ଏବଂ କେ ପ୍ରଦୀପ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ସେହିପରି ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ସମାନ ରହିଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ଟାଟା ଷ୍ଟିଲ୍‌ ପକ୍ଷରୁ ଦିଗଜା ପ୍ରସାଦ ଓ ସାମ୍ବାଦିକ ଏକାଦଶ ପକ୍ଷରୁ ବିକାଶ ମାରାଣ୍ଡି ଗୋଲ୍‌ କରିଥିଲେ। ବିଜେତା ଦଳର କେ ପ୍ରଦୀପ (ପ୍ରଥମ ସେମିଫାଇନାଲ୍‌), ଟାଟା ଷ୍ଟିଲ୍‌ର ରାକେଶ ଭରଦ୍ୱାଜ (ଦ୍ୱିତୀୟ ସେମିଫାଇନାଲ୍‌) ଏବଂ ଦିଗ୍‌ଜା ପ୍ରସାଦ (ଫାଇନାଲ୍‌)ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେହିପରି ବିଜେତା ଦଳର ବଲଓ୍ଵନ୍ତ ସିଂହ ପ୍ରତିଯୋଗିତାର ଶ୍ରେଷ୍ଠ, ସାସ୍ୱତ ମିଶ୍ର ଶ୍ରେଷ୍ଠ ରକ୍ଷଣଭାଗ, ସୁରେଶ ମହାପାତ୍ର ଶ୍ରେଷ୍ଠ ମଧ୍ୟଭାଗ, ଟାଟା ଷ୍ଟିଲ୍‌ର ରାଜୀବ ସେଠ ଶ୍ରେଷ୍ଠ ଗୋଲ୍‌ ରକ୍ଷକ, ସାମ୍ବାଦିକ ଏକାଦଶର ବିକାଶ ମାରାଣ୍ଡି ଶ୍ରେଷ୍ଠ ପୂରୋଭାଗ, ରାଜନେତା ଏକାଦଶର ଅରୁଣ ସାହୁ ଫେୟାର ପ୍ଲେୟାର ପୁରସ୍କାର ପାଇଥିଲା ବେଳେ ବିଜେତା ଦଳକୁ ଶୃଙ୍ଖଳିତ ଦଳ ପୁରସ୍କାର ମିଳିଥିଲା।

ଉଦ୍‌ଯାପନୀ ଉତ୍ସବରେ ବିଧାୟକ ଅରୁଣ ସାହୁ, ଜଙ୍ଗଲ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, କେବିକେର ମୁଖ୍ୟ ପ୍ରଶାସନିକ ଅଧିକାରୀ ଏସ୍‌ପି ଠାକୁର, ବରିଷ୍ଠ ସାମ୍ବାଦିକ ଦିଲିପ ଶତପଥୀ, କେ ରବି, ଦିଲିପ ବିଶୋଇ, ଶ୍ରୀମୟ କର, ତପନ ମିଶ୍ର, ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ ଅଧ୍ୟକ୍ଷ ଅରୁଣ ମିଶ୍ର ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ପୂର୍ବାହ୍ନରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଅଦିବାସୀ ଓ ହରିଜନ ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଗୃହ, ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଅରୁଣ ମିଶ୍ର ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର