ପାର୍ସଲ ବୋମା ବିସ୍ଫୋରଣ ଘଟଣା : କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ପୁଞ୍ଜିଲାଲ୍‌ଙ୍କ ସମ୍ପୃକ୍ତିର ତଥ୍ୟ

ଆସିଲା ଫୋରେନ୍ସିକ୍‌ ରିପୋର୍ଟ

ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିିଲାଲ୍‌ ମେହେରଙ୍କ ସମ୍ପୃକ୍ତି ନେଇ ଅନେକ ତଥ୍ୟ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି । ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‌ କଣ୍ଟାବାଞ୍ଝିରୁ ଟ୍ରେନ ଯୋଗେ ରାୟପୁର ଯାଇଥିବା ସ୍ପଷ୍ଟ ହୋଇଛି। ସେହିଦିନ ପୁଞ୍ଜିଲାଲ୍‌ ଘରୁ ବାଇକ୍‌ରେ କଣ୍ଟାବାଞ୍ଝି ଷ୍ଟେସନ ଯାଇଥିଲେ। ସେଠାରେ ପାର୍କିଂରେ ବାଇକ୍‌ ରଖି ଟ୍ରେନରେ ରାୟପୁର ଯାଇଥିଲେ। ସେ ପାର୍କିଂରେ ବାଇକ ରଖିଥିବା କେତେକ ଲୋକ ଦେଖିଛନ୍ତି। ଆଉ ସେମାନେ କୋର୍ଟରେ ସାକ୍ଷୀ ଦେବାକୁ ପ୍ରସ୍ତୁତ ଅଛନ୍ତି। ସେହିପରି ଆଖପାଖ ଅଞ୍ଚଳ ଓ ପାର୍କିଂ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।

ଏହାଛଡ଼ା ବଲାଙ୍ଗୀର ଏସ୍‌ପିଙ୍କ ନିକଟକୁ ଆସିଥିବା ଚିଠିରେ ପୁଞ୍ଜିଲାଲଙ୍କର ଅଙ୍ଗୁଳିର ଛାପ ରହିଛି କି ନାହିଁ, ତାହା ଜାଣିବା ଲାଗି ଗୁଜୁରାଟର ଗାନ୍ଧୀନଗରସ୍ଥିତ କେନ୍ଦ୍ରୀୟ ଲାବୋରେଟୋରିକୁ ପଠାଯାଇଥିଲା। ଖାଲି ସେତିକି ନୁହେଁ ସେ ଯେଉଁ ଲାପଟପରେ ଏହି ଚିଠିକୁ ନିଜେ ଟାଇପ କରିଥିଲେ, ଯେଉଁ ପେନଡ୍ରାଇଭରେ ଲ୍ୟାପଟପରୁ ଡାଟା ନେଇ ଅନ୍ୟ ଏକ କମ୍ପ୍ୟୁଟରରେ ପ୍ରିଣ୍ଟ ବାହାର କରିଥିଲେ। ତାହା କ୍ରାଇମବ୍ରାଞ୍ଚ ଜବତ କରିଥିଲା। ଜବତ ପ୍ରିଣ୍ଟର, ପେନଡ୍ରାଇଭ ଓ ପୁଞ୍ଜିଲାଲାଙ୍କ ଲାପଟପରୁ ଉକ୍ତ ଚିଠିକୁ ପୁନରୁଦ୍ଧାର କରାଯିବା ଲାଗି କ୍ରାଇମବ୍ରାଞ୍ଚ କୋଲକାତା ଫୋରେନ୍ସିକ ଲାବୋରେଟୋରିକୁ ପଠାଇଥିଲା। ତେବେ ଫୋରେନ୍ସିକ ଲାବୋରେଟୋରିରୁ କେତେକ ରିପୋର୍ଟ କ୍ରାଇମବ୍ରାଞ୍ଚରେ ପହଞ୍ଚି ସାରିଥିବା ବେଳ ବାକି ରିପୋର୍ଟ ଖୁବଶୀଘ୍ର ପହଞ୍ଚିବ ବୋଲି କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପ୍ରକାଶଥାଉକି, ଗତ ଫେବ୍ରୁଆରି ମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଏକ ବିବାହ ଉପହାର ପାର୍ସଲ ଖୋଲିବାବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା’ ଜେନାମଣୀ ସାହୁଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମା ସାହୁ ଗୁରୁତର ହୋଇଥିବାବେଳେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହୋଇ କିଛି ଦିନ ତଳେ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର