ଟଙ୍କା ଜବତ ଓ ଟୋଲଗେଟ୍‌ ଆନ୍ଦୋଳନ ମାମଲା : ଚମ୍ପୁଆ ବିଧାୟକଙ୍କୁ ପୁଲିସ୍‌ ନୋଟିସ

୫ରେ ହାଜର ହେବେ ସନାତନ, ୫ ସହଯୋଗୀଙ୍କୁ ବି ନୋଟିସ

କେନ୍ଦୁଝର : କେନ୍ଦୁଝର ନିକଟସ୍ଥ ବନାଯୋଡ଼ି ଟୋଲ ଗେଟ୍‌ ଆନ୍ଦୋଳନ ଓ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ସଦର ଥାନା ପୁଲିସ ନୋଟିସ ଜାରି କରିଛି। ଏ ଘଟଣାରେ ତାଙ୍କ ଅନ୍ୟ ୫ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ନୋଟିସ କରିଛି। ଆସନ୍ତା ୫ ତାରିଖରେ ସନାତନ ମହାକୁଡ଼ ସଦର ଥାନାରେ ହାଜର ହେବାକୁ ଥିବା ବେଳେ ସହଯୋଗୀମାନେ ପର୍ଯ୍ୟାୟକ୍ରମେ ୬ ଓ ୭ ତାରିଖରେ ହାଜର ହୋଇ ନିଜର ପକ୍ଷ ରଖିବେ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରି ୧୨ ତାରିଖରେ କେନ୍ଦୁଝର ସହର ଉପକଣ୍ଠ ବନାଯୋଡ଼ିଠାରେ ଥିବା ଟୋଲଗୋଟ ନିକଟରେ ଟୋଲ୍‌ ଆଦାୟକୁ ନେଇ ଏକ ବିରାଟ ଆନ୍ଦୋଳନ ହୋଇଥିଲା। ଏହି ସମୟରେ ହଜାର ହଜାର ଆନ୍ଦୋଳନକାରୀ ଟୋଲଗୋଟ୍‌ ବନ୍ଦ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ଆନ୍ଦୋଳନ ପଛରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥନ ରହିଛି ବୋଲି ଅଭିଯୋଗ ହୋଇ ଆସୁଥିଲା। ସଂଯୋଗବଶତଃ ସେହିଦିନ ଏକ ଗାଡ଼ିରୁ ବେଆଇନ ଭାବେ ଆସୁଥିବା ୫୦ ଲକ୍ଷ ଟଙ୍କାକୁ ପୁଲିସ ଜବତ କରିଥିଲା। ଏହି ଟଙ୍କା ଜବତ ପରେ ଯୋଡ଼ାସ୍ଥିତ ବିଧାୟକଙ୍କର ଇଣ୍ତସଇଣ୍ତ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଥିଲା। ଏଥିନେଇ କେନ୍ଦୁଝର ସଦର ଥାନା ପକ୍ଷରୁ ୧୨/୧୮ରେ ଏକ ମାମଲା ରୁଜୁ ହୋଇଥିଲା। ଭାରତୀୟ ପିଙ୍ଗଳ କୋଡ୍‌ ୧୪୩, ୧୪୮, ୩୪୧, ୨୮୩, ୨୯୪, ୫୦୬, ୧୪୯(ଆଇପିସି)/ସେକ୍ସନ ୭ ( କ୍ରିମିନାଲ ଆମେଣ୍ତମେଣ୍ଟ ଆକ୍ଟ)ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଚମ୍ପୁଆ ବିଧାୟକ ଓ ସେମାନଙ୍କ ସହଯୋଗୀଙ୍କୁ ନୋଟିସ କରାଯାଇଛି ବୋଲି ସଦର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର