ରାୟରେ ଆଂଶିକ ପରିବର୍ତ୍ତନ ନେଇ ସୁପ୍ରିମକୋର୍ଟରେ ଆବେଦନ : କେବଳ ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରାକୁ ଅନୁମତି ଦେବା ଲାଗି ପିଟିସନ୍

ଭୁବନେଶ୍ବର:  ମହାପ୍ରଭୁଙ୍କ ରଥଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପୁର୍ନବିଚାର ପାଇଁ ଆବେଦନ ହୋଇଛି । ରଥଯାତ୍ରା ସ୍ଥଗିତ ରଖିବା ଲାଗି ସୁପ୍ରିମକୋର୍ଟ ଦେଇଥିବା ରାୟର ପୁର୍ନବିଚ‌ାର କରି କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର ।

ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି କି ପୁରୀ ସହରକୁ ସଟଡାଉନ୍ କରି କେବଳ ସେବାୟତମାନଙ୍କ ଦ୍ବାରା ରଥଯାତ୍ରା କରାଯାଇପାରିବ। ରଥଯାତ୍ରାରେ ଜନସାଧାରଣ ଆଗମନକୁ ସଂପୂର୍ଣ୍ଣ ପ୍ରତିବନ୍ଧିତ କରାଯିବ। ଏହି ଦୃଷ୍ଟିରୁ ରାୟରେ ସର୍ବୋଚ୍ଚ ଅଦାଲତ ଆଂଶିକ ପରିବର୍ତ୍ତନ କରିବା ଲାଗି ନିଜ ମୋଡିଫିକେସନ୍ ପିଟିସନରେ ଆବେଦନ କରିଛନ୍ତି ଆଇନଜୀବୀ ମହାପାତ୍ର।  ତେବେ ଏହି ପିିଟିସନରେ ସୁପ୍ରିମକୋର୍ଟରେ ତାଲିକା ଭୁକ୍ତ ହୋଇନାହିଁ । ଆସନ୍ତା ସୋମବାର ଏହା ତାଲିକା ଭୁକ୍ତ ହେବ ବୋଲି ଆବେଦନକାରୀ ଆଇନଜୀବୀ କହିଛନ୍ତି ।

ଆଜି ପୁରୀର ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ସମିତିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ରାୟ ଏବଂ ଏହାକୁ ପାଳନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏକ ପରମ୍ପରା ସମ୍ମତ ଓ ଶାସ୍ତ୍ର ସମ୍ମତ ବିକଳ୍ପ ଅନୁସନ୍ଧାନ କରାଯିବ। ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ସହ ଶ୍ରୀମନ୍ଦିର ପରିଚାଳନା ସମିତିର ବୈଠକ ପରେ ଏହାର ସ୍ୱରୂପ କିଭଳି ହେବ ତାହା ସ୍ଥିର କରାଯିବ। କିପରି ଶ୍ରୀମନ୍ଦିର ପରମ୍ପରାର ବିଧିରକ୍ଷା ହୋଇପାରିବ ସେ ନେଇ ସନ୍ଧ୍ୟା ବୈଠକରେ ଆଲୋଚନା ହେବ। ଏହାପରେ ବିକଳ୍ପ ସମ୍ପର୍କରେ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଅଗବତ କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଏଥିସହ ବର୍ତ୍ତମାନ ପରିସ୍ଥିତିରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ସମ୍ଭବ ନୁହେଁ ବୋଲି ଗଜପତି କହିଛନ୍ତି ।

ସମ୍ବନ୍ଧିତ ଖବର