ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲ, ମାଗଣା ଚିକିତ୍ସା କରାଅ:ବିଜେପି
ଭୁବନେଶ୍ୱର : ଡେଙ୍ଗୁ ପରିଚାଳନାରେ ବିଏମ୍ସିକୁ ପୁଣି ଘେରିଛି ବିଜେପି। ଡେଙ୍ଗୁ ନିୟନ୍ତ୍ରଣରେ ବିଏମ୍ସି ଫେଲ୍ ମାରିଥିବା ଅଭିଯୋଗ କରି ଡେଙ୍ଗୁକୁ ମହାମାରୀ ଘୋଷଣା କରି ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲିବାକୁ ଦାବି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିବା ସହ ତା ସହିତ ପର୍ଯ୍ୟାପ୍ତ ଟେଷ୍ଟିଂ ସେଂଟର, ସ୍ବତନ୍ତ୍ର ହେଲ୍ପଲାଇନ୍ ନମ୍ବର, ପର୍ଯ୍ୟାପ୍ତ ପରିମାଣ ଡେଙ୍ଗୁ ଟେଷ୍ଟିଂ କିଟ୍ ଉପଲବ୍ଧ କରାଇବା, କୋଭିଡ ପରି ଡେଙ୍ଗୁ ପାଇଁ ମାଗଣା ଚିକିତ୍ସା, ରକ୍ତଭଣ୍ଡାରକୁ ପ୍ରସ୍ତୁତ ରଖି ଡେଙ୍ଗୁ ରୋଗୀଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି। ନଚେତ ଆଗକୁ ବିଜେପି ଜନ ଆନ୍ଦୋଳନ କରିବ। ଘରକୁ ଘର ବୁଲି ସଚେତନତା ସୃଷ୍ଟି କରିବାର ସହ ସଫେଇ କରିବ ବୋଲି ଶ୍ରୀ ସିଂହ କହିଛନ୍ତି।
ଶ୍ରୀ ସିଂହ କହିଛନ୍ତି; ରାଜଧାନୀରେ କରୋନା ପରେ ଡେଙ୍ଗୁ ଜ୍ୱର ଏକ ବଡ଼ ସମସ୍ୟା ପାଲଟିଛି। କିନ୍ତୁ ବିଏମସି ତତ୍ପରତା ପ୍ରକାଶ କରୁନାହିଁ। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ଗୋଟିଏ ପ୍ରସ୍ତୁତି ବୈଠକ ହୁଏ। କଠିନ ବର୍ଜ୍ୟ ଓ ତରଳ ବର୍ଜ୍ୟ ସ୍ଥାନାନ୍ତର ନେଇ ସ୍ବତନ୍ତ୍ର ପଦକ୍ଷେପ ନିଆଯାଏ। କିନ୍ତୁ ଏବର୍ଷ କରୋନାର ଆଳରେ ଏହା ସବୁ ହୋଇ ନଥିବାରୁ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ମଶା ସୃଷ୍ଟି ହେଉଥିବା ସ୍ଥାନଗୁଡିକୁ ହଟସ୍ପଟ୍ ଭାବେ ଚିହ୍ନଟ କରି ଲାର୍ଭା ମାରିବା, ଟାୟାର ଦୋକାନ, ପଇଡ଼ ଦୋକାନ, କବାଡି ଦୋକାନ ସଫେଇ କରିବା, ମଶାଧୂଆଁ ଛାଡିବା, ମଶାତେଲ ପକାଇବା, ଘରକୁ ଘର ବୁଲି ସଚେତନ କରିବା ପ୍ରଭୃତି କାର୍ଯ୍ୟ ବିଏମ୍ସି କରିନାହିଁ। ଯାହା ଫଳରେ ଡେଙ୍ଗୁ ମହାମାରୀ ରୂପ ନେବାକୁ ଯାଉଛି। ପ୍ରତିବର୍ଷ ସଚେତନତା ପାଇଁ ଯେଉଁ ଅର୍ଥ ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଛି ଚଳିତ ବର୍ଷ ସେହି ଅର୍ଥ ହରିଲୁଟ୍ ହୋଇଛି। ମଶା ମାରିବା ପାଇଁ ଟିଫା ମେସିନ୍ ମଧ୍ୟ ସହରରେ ବୁଲୁନାହିଁ। ଡେଙ୍ଗୁ ରୋଗରେ ରୋଗୀଙ୍କ ମୃତ୍ୟୁ ହେଲେ ବି ବିଏମସି ଓ ରାଜ୍ୟ ସରକାର ସ୍ୱୀକାର ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଶ୍ରୀ ସିଂ ଅଭିଯୋଗ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ଓ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଂଟିଆ, ଜିଲ୍ଲା ସାଧାରଣ ସମ୍ପାଦକ ହିଂମାଶୁ ଛୋଟରାୟ ଓ ଅଭିଷେକ ଆଚାର୍ଯ୍ୟ, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦ୍ଦେବ, ଅରୁଣ ପୁରୋହିତ, ରାମ ରଣସିଂହ, ଜଗନ୍ନାଥ ବେହେରା, ସନ୍ତୋଷ ଜେନା, ଫିରୋଜ ଖାନ୍, ଶଶୀପ୍ରଭା ରଥ, ଅଂଜନ ନାଥ, ଦାଦୋର ବେହେରା, ଯତୀନ୍ଦ୍ର ମହାନ୍ତି ଓ ବିଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ହାଲୁକାରେ ନେବା ସରକାରଙ୍କୁ ମହଙ୍ଗା ପଡ଼ିବ: କଂଗ୍ରେସ
ଭୁବନେଶ୍ବର : ପୌରାଞ୍ଚଳ ଅଧିବସୀଙ୍କଠାରୁ ଟିକସ ଆଦାୟ କରୁଥିବା ମହାନଗର ନିଗମ ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ କିଛି ନାହିଁ। ରାଜ୍ୟ ସରକାରୀ ଅଧିକାରୀ ଓ ନେତା ପ୍ରିୟାପ୍ରୀତି ତୋଷାଣ ଓ ଅର୍ଥ ତୋଷାରପାତରେ ବ୍ୟସ୍ତ ଅଛନ୍ତି। ଏପରିକି ନଗର ଉନ୍ନୟନ ମନ୍ତ୍ରୀ ଏକ ହତ୍ୟା ମାମଲାରୁ ନିଜ ନାମକୁ କାଟିବାକୁ ଉଦ୍ୟମ କରୁଥିବା ବେଳେ ଡେଙ୍ଗୁ ମୁକାବିଲକୁ ସଂପୂର୍ଣ୍ଣ ଭୁଲି ଯାଇଛନ୍ତି। ତାଙ୍କ ବିଭାଗ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନାହିଁ। ତେଣୁ ଡେଙ୍ଗକୁ ହାଲୁକାରେ ନେଇଥିବା ରାଜ୍ୟ ସରକାରଙ୍କୁ ଏହା ମହଙ୍ଗା ପଡ଼ିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଆଜି ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ମୁଖପାତ୍ର ଦେବାଶିଷ ପଟ୍ଟନାୟକ ଓ ମନୋରଂଜନ ଦାଶ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ପୂର୍ବରୁ ଦିଲ୍ଲୀ, ସୁରଟ ଭଳି ଦେଶର ବଡ଼ ସହରରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ। ମାତ୍ର ଗତ ୩/୪ବର୍ଷ ହେବ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଲୋକଙ୍କ ମୃତ୍ୟୁ ହେଉଛି। ସରକାରୀ ଭାବେ ଏ ପର୍ଯ୍ୟନ୍ତ ୪୫୩ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ମାତ୍ର ପ୍ରକୃତରେ ଏହି ସଂଖ୍ୟା ଢେର ଅଧିକ। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ କେବଳ ନଗରବାସୀଙ୍କୁ ଜଳପାତ୍ରକୁ ସଫା କରିବା ଓ ଜଳକୁ ନିୟମିତ ପରିବର୍ତନ କରିବାର ପରାମର୍ଶ ଦିଆଯାଉଥିବାବେଳେ ସରକାର କିନ୍ତୁ ହାତ ଟେକି ଦେଇଛନ୍ତି। କେବଳ ମିଥ୍ୟା ପ୍ରଚାର ଓ ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ପ୍ରତାରଣା କରାଯାଉଛି। ଯେଉଁଭଳି ଭାବେ ରୋଗୀଙ୍କ ସଂଖ୍ୟା ବଢ଼ିଲାଣି ତାହା ଆଗକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ସେମାନେ ଚେତାଇ ଦେଇଥିଲେ।
ଭୁବନେଶ୍ବର ସ୍ମାର୍ଟ ସିଟି ବୋଲି ସରକାର ଖାଲି ଡିଣ୍ଡିମ ପିଟୁଥିବା ବେଳେ ନାଳ ନର୍ଦ୍ଦମାରେ ମଶା ତେଲ ନ ପଡ଼ିବା, ମଶାଧୂଆଁ ଗାଡ଼ି ନ ବୁଲିବା ଦ୍ବାରା ଡେଙ୍ଗୁ ବ୍ୟାପୁଛି ବୋଲି ଦର୍ଶାଇ ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ କେତେକ ପ୍ରଶ୍ନ କରାଯାଇଥିଲା। ଦୈତନଗରୀରେ ସମୁଦାୟ କେ ତୋଟି ଟିଫା ମେସିନ୍ ଆସିଥିଲା ଓ ତାହା ଏବେ କେଉ ଅବସ୍ଥାରେ ରହିଛି ? ଟିଫା ମେସିନ୍ କେଉଁ ସ୍ଥାନରେ କେବେ ବୁଲିଛି ଓ କେତେ ଥର ବୁଲିଲାଣି, ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାମରା ତେଲ କେତେ ପରିମାଣର କିଣା ଯାଇଛି ଓ କେଉଁ ସ୍ଥାନରେ କେତେ ପରିମାଣର ବ୍ୟବସ୍ଥା କରାଯାଇଛି ତାହା ତଥ୍ୟ ପ୍ରଦାନ କରାଯିବ ଦରକାର ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହା ସହ ଡେଙ୍ଗୁକୁ ନିୟନ୍ତ୍ରଣ କରବା ପାଇଁ ସରକାର ବିଭିନ୍ନ ହସ୍ପିଟାଲରେ ଡେଙ୍ଗୁ ୱାର୍ଡ ଖୋଲିବାର ବ୍ୟବସ୍ଥା କରିବା, ମହାନଗରରେ ପ୍ରତ୍ୟେକ ୱାର୍ଡରେ ନାଳନର୍ଦ୍ଦମାରେ ଆବଶ୍ୟକତା ଅନୁଯାୟୀ ମଶାଧୂଆଁ ଓ ମଶାତେଲ ପକାଇବା ଏବଂ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଜରୁରୀ ବୋଲି କୁହାଯାଇଛି। ଏହି ଅବସରରେ ଦୈତନଗରୀ ଭୁବନେଶ୍ବର-କଟକ କମିସନରଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା।