ଭାରତ-ଚୀନ୍‌-ପାକିସ୍ତାନ ଯୁଦ୍ଧ ହେବନି

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଭାରତ, ପାକିସ୍ତାନ ଓ ଚୀନ ମଧ୍ୟରେ ଯୁଦ୍ଧ ହେବ କି କ’ଣ ତାହାକୁ ନେଇ ଅନେକ ସମୟରେ ବିପରୀତଧର୍ମୀ ମତମାନ ଭିନ୍ନ ଭିନ୍ନ ପକ୍ଷମାନେ ଦେଉଛନ୍ତି। ଏ କ୍ଷେତ୍ରରେ କୁହାଯାଇପାରେ ଯେ ଚୀନ, ପାକିସ୍ତାନକୁ ତା’ର ସବୁଦିନିଆ ବନ୍ଧୁ ବୋଲି ବାରମ୍ବାର ଘୋଷଣା କରୁଛି। କିନ୍ତୁ ଚୀନ ସହ ପାକିସ୍ତାନର ଏପରି ଘନିଷ୍ଠ ସମ୍ପର୍କ କାହିଁକି ସୃଷ୍ଟି ହୋଇଛି, ତା’ର କିଛି କାରଣ କେହି ଦର୍ଶାଉନାହାନ୍ତି। ଭାଷା, ଧର୍ମ, ସଂସ୍କୃତି ଆଦିକୁ ଦେଖିଲେ ଚୀନ ଓ ପାକିସ୍ତାନ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ବରଂ ବୌଦ୍ଧ ଧର୍ମ ଭାରତ-ଚୀନ ମଧ୍ୟରେ ଏକ ସଂସ୍କୃତି ଓ ସମ୍ପର୍କର ସେତୁ ଅଟେ। ଯେଉଁ ତିବ୍ବତକୁ ଆଜି ଚୀନ ତା’ ଦେଶର ଏକ ଅଂଶ ବୋଲି କହୁଛି ଭାରତ ସହ ମୁଖ୍ୟତଃ ବୌଦ୍ଧ ଧର୍ମ ଯୋଗୁଁ ତାହାର ସମ୍ପର୍କ ଅତି ପୁରୁଣା। ତଥାପି ଭାରତ ସହ ଚୀନର ସମ୍ପର୍କ ଅତି ତିକ୍ତ ହୋଇଥିଲା ବେଳେ ପାକିସ୍ତାନ ସହ ଏହାର ସମ୍ପର୍କ ଅତି ମଧୁର ଅଟେ। ପାକିସ୍ତାନରେ ଯେତେ ନିର୍ବାଚିତ ଶାସକ ଓ ସେନାବାହିନୀର ଶାସକମାନେ ରାଜତ୍ୱ କରିଛନ୍ତି ସେମାନଙ୍କର ଚୀନ ସହ ସମ୍ପର୍କ ମଧୁର ରହିଛି। ଅତୀତରେ ଆମେରିକା ସହ ପାକିସ୍ତାନର ଏମିତି ଘନିଷ୍ଠ ସମ୍ପର୍କ ଥିଲା। ଯେତେବେଳେ ବଙ୍ଗଳାଦେଶ ପାଇଁ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲା ସେତେବେଳେ ଆମେରିକା ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ ପକ୍ଷରେ ଥିଲା, ଯେଉଁ ଦେଶ ଏବେ ପୂର୍ଣ୍ଣରୂପେ ଭାରତ ପକ୍ଷରେ ରହିଛି। ଏଣୁ ପରିଷ୍କାର ଭାବେ କୁହାଯାଇପାରେ ଯେ, କେବଳ ଭାରତ ପ୍ରତି ବିରୋଧ ହିଁ ପାକିସ୍ତାନ ଓ ଚୀନକୁ ଏକଜୁଟ କରି ରଖିଛି।

ଦୁଇ ସପ୍ତାହ ତଳେ ଆମେରିକାର ଗୁଇନ୍ଦା ସଂସ୍ଥା ଆମେରିକାର କଂଗ୍ରେସ (ସଂସଦ)କୁ ସେମାନଙ୍କର ବାର୍ଷିକ ‘ବିପଦ ଆକଳନ ରିପୋର୍ଟ’ରେ ସେମାନଙ୍କର ଡାଇରେକ୍ଟର ଅଫ୍ ଜେନେରାଲ ଇଣ୍ଟେଲିଜେନ୍‌ସ ଦ୍ୱାରା ଜଣାଇଛନ୍ତି ଯେ, ଭାରତ-ଚୀନ୍ ଓ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ଉତ୍ତେଜନା ବୃଦ୍ଧି ପାଇବା ଫଳରେ ଏହି ଦେଶମାନଙ୍କ ମଧ୍ୟରେ ଭବିଷ୍ୟତରେ ସଂଘର୍ଷ ସୃଷ୍ଟି ହୋଇପାରେ ଏବଂ ଯଦି ଚୀନ୍ ଓ ପାକିସ୍ତାନ ଦ୍ୱାରା ଭାରତ ପ୍ରତି ବାସ୍ତବ ବା ଆନୁମାନିକ ପ୍ରରୋଚନା ସୃଷ୍ଟି ହୁଏ ତେବେ ଏପରି ସଂଘର୍ଷ ସୃଷ୍ଟି ହେବ। ବିଶେଷ କରି ଭାରତର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଥିବା ହେତୁ ଏବେ ସଂଘର୍ଷ ଲାଗିବାର ସମ୍ଭାବନା ଅଧିକ। ପୂର୍ବରୁ ଚୀନ୍ ବା ପାକିସ୍ତାନ ପକ୍ଷରୁ ସେମିତି ପ୍ରରୋଚନା ସୃଷ୍ଟି ହେଲେ ଭାରତ ଯେମିତି ଅନେକଟା ନିରବ ରହୁଥିଲା, ଏବେ ତାହା ଘଟିବ ନାହିଁ। ଏବେ ଭାରତ ସାମରିକ ଶକ୍ତି ବଳରେ ତା’ର ଜବାବ୍ ଦେବ।

ତେବେ ସାମରିକ ବିଶେଷଜ୍ଞମାନଙ୍କ ମତ ଅନୁସାରେ ଏ ଧରଣର ଆକଳନ ଅତି ବାସ୍ତବ ବୋଲି ମନେହୁଏ ନାହିଁ। ପ୍ରଥମ କଥା ହେଲା, ଭାରତ, ଚୀନ୍ ଓ ପାକିସ୍ତାନ ତିନିଟିଯାକ ଦେଶ ହେଲେ ପରମାଣୁ ବୋମାର ଅଧିକାରୀ। ହୁଏତ ଏ ଦେଶମାନଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହେଲେ ତାହା ଶେଷକୁ ପରମାଣୁ ଆକ୍ରମଣ ଆଡ଼କୁ ଗତି କରିପାରେ। ତେଣୁ ଏହି ପରମାଣୁ ଅସ୍ତ୍ର ସମ୍ପନ୍ନ ଦେଶମାନଙ୍କୁ ପାରସ୍ପରିକ ଯୁଦ୍ଧରେ ଲିପ୍ତ ହେବା ପାଇଁ ସାରା ବିଶ୍ୱ ଅନୁମତି ଦେବ ନାହିଁ ଓ ଏଥିରେ ହସ୍ତକ୍ଷେପ କରିବ।

ଚୀନ୍ ଭାରତକୁ ୧୯୬୨ରେ ଆକ୍ରମଣ କରିଥିଲା। ତଦାନୀନ୍ତନ ଆସାମ ରାଜ୍ୟର ‘ନେଫା’ (ଉତ୍ତରପୂର୍ବ ସୀମାନ୍ତ ଅଞ୍ଚଳ) ମଧ୍ୟକୁ ପ୍ରବେଶ କରି ଚୀନ ଅନେକ ଅଞ୍ଚଳ ଦଖଲ କରିଥିଲା। ପରେ ଚୀନ୍ ଏହି ଅଞ୍ଚଳରୁ ତା’ର ସୈନ୍ୟ ପ୍ରତ୍ୟାହାର ମଧ୍ୟ କରିଥିଲା। ଏହି ‘ନେଫା’ ଅଞ୍ଚଳ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ହିସାବରେ ନାମିତ ହୋଇଛି। ଗତ ଡିସେମ୍ବରରେ ଏହାର ତାୱାଂଗ ଅଞ୍ଚଳରେ ଚୀନ୍ ସେନା ଭାରତୀୟ ଅଞ୍ଚଳ ମଧ୍ୟକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ଯାହାକୁ ଭାରତ ସଫଳତାର ସହ ପ୍ରତିହତ କରିଥିଲା। ଏହା ପୂର୍ବରୁ ୨୦୨୦ରେ ଲଦାଖର ଗଲ୍‌ୱାନ୍ ଅଞ୍ଚଳରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହାତାହାତି ଲଢ଼େଇ ହୋଇ ଉଭୟ ପକ୍ଷର କେତେକ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା। ଦୁଇପକ୍ଷ ମଧ୍ୟରେ ସୀମାନ୍ତରେ ଗୁଳିଗୋଳାର ବ୍ୟବହାର କରାଯିବ ନାହିଁ ବୋଲି ଯେଉଁ ଚୁକ୍ତି ଅତୀତରେ ହୋଇଥିଲା, ତାହାକୁ ନେଇ ଦୁଇ ପକ୍ଷର ସୈନ୍ୟମାନଙ୍କ ମଧ୍ୟରେ କେବଳ ହାତାହାତି ଲଢ଼େଇ ହୋଇଥିଲା। ଭାରତର ସେତେବେଳେ ୨୦ ଜଣ ସୈନ୍ୟ ଏହି ହାତାହାତି ସଂଘର୍ଷରେ ମରିଥିଲେ ବୋଲି ଏ ଦେଶ ଘୋଷଣା କରିଥିଲା। ଚୀନ୍ ଏଯାଏଁ ତା’ର କେତେ ସୈନ୍ୟ ମରିଛନ୍ତି ଘୋଷଣା କରିନାହିଁ। କିନ୍ତୁ ଆମେରିକାର ଗୁଇନ୍ଦା ସଂସ୍ଥାର ଆକଳନ ଅନୁସାରେ ସେ ଦେଶର ୪୫ ଜଣ ସୈନ୍ୟ ମରିଛନ୍ତି। ଏବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଦୁଇପଟରେ ଦୁଇପକ୍ଷର ସେନାମାନେ ସାମରିକ ଓ ବେସାମରିକ ଭିତ୍ତିଭୂମି ରାସ୍ତା, ଗୃହ, ବିମାନଘାଟି ଆଦି ନିର୍ମାଣ କଲେଣି। ତେବେ ଖୁବ୍ ବେଶୀ ସଂଘର୍ଷରେ ଦୁଇ ପକ୍ଷ ସଂପୃକ୍ତ ହେବାକୁ ଚାହାନ୍ତି ନାହିଁ।

ଇତି ମଧ୍ୟରେ ଭାରତ, ଅଷ୍ଟ୍ରେଲିଆ, ଆମେରିକା ଓ ଜାପାନ୍‌କୁ ନେଇ ଯେଉଁ ଚତୁର୍ଦ୍ଦେଶୀୟ ସମାରିକ ମେଣ୍ଟ ଗଠିତ ହୋଇଛି, ତାହା ଯେ ମୁଖ୍ୟତଃ ଚୀନ୍‌କୁ ଲକ୍ଷ୍ୟ କରି ଗଢ଼ାହୋଇଛି ସେକଥା ସାରା ବିଶ୍ୱ ଓ ଚୀନ୍ ଜାଣେ। ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଚୀନ୍ ଆକ୍ରମଣ କଲେ ମେଣ୍ଟଭୁକ୍ତ ଅନ୍ୟ ଦେଶମାନେ ତା’ର ପ୍ରତିହତ କରିବେ ବୋଲି ସମସ୍ତେ ଜାଣନ୍ତି। ତେଣୁ ଭାରତକୁ ଅଧିକ ଆକ୍ରମଣ କରିବା ପାଇଁ ଚୀନ୍ ଚାହିଁବ, ଏହା ମନେ ହେଉନାହିଁ। ଭାରତ ମଧ୍ୟ ଚୀନ୍‌କୁ ଆକ୍ରମଣ କରି ପରିବେଶକୁ ଉତ୍ତେଜନାପୂର୍ଣ୍ଣ କରିବ, ତାହା ମଧ୍ୟ କେବେ ଘଟିନାହିଁ ଅବା ଘଟିବାର ସମ୍ଭାବନା ନାହିଁ।

ଅବଶ୍ୟ ଅତୀତରେ ପାକିସ୍ତାନ ଭାରତ ସହ ତିନି ତିନି ଥର ଯୁଦ୍ଧ କରିଛି। କିନ୍ତୁ ଏହି ଯୁଦ୍ଧ ଦ୍ୱାରା ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହୋଇଛି। ଗତ ୨୦୧୯ରେ ଯେତେବେଳେ ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏହି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଦେଲେ, ସେତେବେଳେ ପାକିସ୍ତାନ ଓ ତା’ର ତଦାନୀନ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ବିଶ୍ୱର ସବୁ ଆନ୍ତର୍ଜାତିକ ପ୍ରତିଷ୍ଠାନ ଯଥା ଜାତିସଂଘ, ରାଜ୍ୟଗୋଷ୍ଠୀ ଓ ଓଆଇସି (ଇସ୍‌ଲାମିକ୍ ରାଷ୍ଟ୍ରମାନଙ୍କ ସଙ୍ଗଠନ)ରେ ଏହି ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଓଆଇସି ସଙ୍ଗଠନ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ନଦେଇ କହିଥିଲା ଯେ, ଏହା ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେଣୁ ସେମାନେ ଏଥିରେ ସଂପୃକ୍ତ ହେବା ଚାହାନ୍ତି ନାହିଁ। ପାକିସ୍ତାନର ପୁରୁଣା ବନ୍ଧୁ ଓ ଇସଲାମୀ ରାଷ୍ଟ୍ରର ନେତା ସାଉଦି ଆରବ ମଧ୍ୟ ଏ କ୍ଷେତ୍ରରେ ଭାରତ ବିରୋଧରେ ପ୍ରସ୍ତାବ ଗ୍ରହଣ ପାଇଁ ରାଜି ହେଲା ନାହିଁ। କେବଳ ତୁର୍କୀ ଓ କିଛି ପରିମାଣରେ ମାଲେସିଆକୁ ଛାଡ଼ିଦେଲେ ଅନ୍ୟ କୌଣସି ଇସ୍‌ଲାମିକ୍ ରାଷ୍ଟ୍ର ଏ ପ୍ରସଙ୍ଗରେ ସମ୍ପୃକ୍ତ ହେବାକୁ ଚାହିଁଲେ ନାହିଁ। ତେଣୁ ଆଗାମୀ ଦିନମାନଙ୍କରେ ଭାରତ ସହ ପାକିସ୍ତାନ ଯୁଦ୍ଧ କରିବାକୁ ଚାହିଁବ, ଏପରି ମନେ ହୁଏନାହିଁ। କାରଣ ସାରା ବିଶ୍ୱରେ ଏହି ଯୁଦ୍ଧବେଳେ ପାକିସ୍ତାନକୁ ସମର୍ଥନ ମିଳିବ ନାହିଁ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଗତ କେତେ ଦିନ ତଳେ ଘୋଷଣା କରିଛନ୍ତି ଯେ, ଭାରତ ସହ ଯୁଦ୍ଧ କରିବା ଫଳରେ ଏ ଦେଶର ବ୍ୟାପକ କ୍ଷତି ହୋଇଛି। ଏବେ ଯଦି ପାକିସ୍ତାନ ଏକ ଅତି ଶୋଚନୀୟ ଆର୍ଥିକ ଅବସ୍ଥା ମଧ୍ୟ ଦେଇ ଗତି କରୁଛି ତେବେ ତା’ର ଏକ ବଡ଼ କାରଣ ହେଲା ଭାରତ ସହ ଯୁଦ୍ଧ, ଯେଉଁଥିରେ ପାକିସ୍ତାନର ଅନେକ ଆର୍ଥିକ କ୍ଷତି ହୋଇଛି। ପାକିସ୍ତାନ ତା’ର ଅର୍ଥକୁ ଦେଶର ବିକାଶ ପାଇଁ ଖର୍ଚ୍ଚ ନକରି ମୁଖ୍ୟତଃ ସେନାବାହିନୀ ପାଇଁ ଖର୍ଚ୍ଚ କରିଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ନିକଟ ଅତୀତରେ ସ୍ୱୀକାର କରିଛନ୍ତି ଯେ, ଜାତିସଂଘରେ କାଶ୍ମୀର ପ୍ରସଙ୍ଗକୁ ଗୁରୁତ୍ବର ଭାବରେ ଉପସ୍ଥାପନା କରିବା ସମ୍ଭବ ନୁହେଁ। ଅର୍ଥାତ୍‌, ଏ ଧରଣର ପ୍ରସଙ୍ଗ ଉଠାଇଲେ ଅନ୍ୟ ଦେଶମାନଙ୍କଠାରୁ ସମର୍ଥନ ମିଳିବ ନାହିଁ।

ଅଶି ଦଶକରେ ପାକିସ୍ତାନର ରାଷ୍ଟ୍ରପତି ଜିଆ ଉଲ୍ ହକ୍‌, ଯିଏକି ପୂର୍ବରୁ ସେନାବାହିନୀ ମୁଖ୍ୟ ଥାଇ ସାମରିକ ବିଦ୍ରୋହ ବଳରେ କ୍ଷମତା ଦଖଲ କରିଥିଲେ, ଘୋଷଣା କରିଥିଲେ ଯେ, ଭାରତ ଦେହରେ ସହସ୍ର କ୍ଷତ କରି ରକ୍ତ ଝରାଇ ଝରାଇ ସେ ଏ ଦେଶକୁ ମାରିଦେବେ। ଅର୍ଥାତ୍ ସଦାବେଳେ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ଚଳାଇବେ। ତାହା ମଧ୍ୟ ୨୦୧୪ ପର୍ଯ୍ୟନ୍ତ ଚାଲିଥିଲା। ୨୦୦୧ରେ ଆତଙ୍କୀ ଆକ୍ରମଣରେ ଭାରତର ୧୦୬୭ ଜଣ ନାଗରିକ ମରିଥିବାବେଳେ ୫୯୦ ସୁରକ୍ଷା କର୍ମୀ ମରିଥିଲେ। ୨୦୦୫ ବେଳକୁ ଏହି ଆକ୍ରମଣରେ ୫୨୧ ଜଣ ନାଗରିକ ମରିଥିବାବେଳେ ୨୧୮ ଜଣ ସୁରକ୍ଷା କର୍ମୀ ମରିଥିଲେ। ଅଥଚ ୨୦୧୯ରୁ ଏଯାଏଁ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ନାଗରିକ ମରିଥିବାବେଳେ ୭୮ ଜଣ ସୁରକ୍ଷା କର୍ମୀ ମରିଛନ୍ତି।
ଭାରତର କୂଟନୀତିଜ୍ଞମାନେ ସାରା ବିଶ୍ୱକୁ ବୁଝାଇ ପାରିଛନ୍ତି ଯେ ପାକିସ୍ତାନ ହେଉଛି ବିଶ୍ୱ ଆତଙ୍କବାଦୀମାନଙ୍କର ଜନ୍ମସ୍ଥଳୀ।

ପ୍ରଧାନମନ୍ତ୍ରୀ ମୋଦୀ, ପାକିସ୍ତାନ ସହ ସୁସମ୍ପର୍କ ରକ୍ଷା କରିବାକୁ ମୂଳରୁ ଚେଷ୍ଟା କରିଛନ୍ତି। ୨୦୧୪ ଜୁନ୍‌ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲାବେଳେ ତଦାନୀନ୍ତନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍‌ଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ସରିଫ୍ ଆସିଥିଲେ ମଧ୍ୟ। ୨୦୧୫ ଡିସେମ୍ବରରେ ସେ କେନ୍ଦ୍ର ଏସିଆରୁ ଫେରିବାବେଳେ ଲାହୋରସ୍ଥିତ ନୱାଜ୍ ସରିଫ୍‌ଙ୍କ ଘରକୁ ଯାଇଥିଲେ। ଉରିରେ ୨୦୧୬ରେ ୧୮ ଜଣ ଭାରତୀୟ ସୈନ୍ୟଙ୍କ ହତ୍ୟା ପରେ ମୋଦୀ ସର୍ଜିକାଲ ଷ୍ଟ୍ରାଇକ୍ ମାଧ୍ୟମରେ ପାକିସ୍ତାନ ମଧ୍ୟକୁ ସୈନ୍ୟ ପଶାଇ ଅନେକ ଆତଙ୍କବାଦୀଙ୍କୁ ମାରିଥିଲେ। ସେହିପରି ୨୦୧୯ରେ ପୁଲ୍‌ୱାମାରେ ୪୨ ଜଣ ସିଆରପିଏଫ୍ ଜୱାନ ଆତଙ୍କବାଦୀ ଆକ୍ରମଣରେ ମଲାପରେ ଭାରତ ବାଲାକୋଟ ଉପରେ ବିମାନ ଆକ୍ରମଣ କରି ୨୫୦ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେହି ହେତୁରୁ ପାକିସ୍ତାନ ପକ୍ଷରୁ ଅତି ଗୁରୁତର ଆକ୍ରମଣ ନହେଲେ, ଭାରତ କେବେ ପ୍ରତିଆକ୍ରମଣ କରିବ ନାହିଁ। ଏବେ ଭାରତ ସହ ପାକିସ୍ତାନର ଯୁଦ୍ଧବିରତି ସେ ଦେଶକୁ ମଧ୍ୟ ସୁହାଉଛି। ଗତ ବର୍ଷ ଯେତେବେଳେ ପାକିସ୍ତାନର ଏକ-ତୃତୀୟାଂଶ ଅଂଚଳ ବନ୍ୟା ପ୍ଳାବିତ ହୋଇଥିଲା ସେତେବେଳେ ଆମେରିକା ପାକିସ୍ତାନ ପାଇଁ ଏକ ସାହାଯ୍ୟକାରୀ ଗୋଷ୍ଠୀ ତିଆରି କରିଥିଲା ଯେଉଁମାନେ ପାକିସ୍ତାନକୁ ଅନେକ ସାହାଯ୍ୟ କରିଥିଲେ। ଏବେ ଗତ ମାସ ପାକିସ୍ତାନ ସହ ଅମେରିକା ଏକ ବୈଠକରେ ମତ ବିନିମୟ କରିଛି, କେମିତି ଆତଙ୍କବାଦ କମିବ, ସାଇବର ଅପରାଧ ଦୂର ହେବ, ବିଭିନ୍ନ ଆନ୍ତର୍ଜାତିକ ଅନୁଷ୍ଠାନମାନଙ୍କରେ ଆମେରିକା ସହ ପାକିସ୍ତାନର ସହଯୋଗ ପ୍ରତିଷ୍ଠା ହେବ। ଅମେରିକା ସେଥିପାଇଁ ପ୍ରଚେଷ୍ଟିତ ଅଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ ଆମେରିକାର ମୁଖ୍ୟ ଶତ୍ରୁ ହୋଇଥିଲେ ମଧ୍ୟ ପାକିସ୍ତାନ ଯେମିତି ସମ୍ପୂର୍ଣ୍ଣ ରୂପେ ଚୀନ ପାଖକୁ ଚାଲିନଯାଉ। ଏହା ଛଡ଼ା ଆମେରିକାର ବିନା ସହାୟତାରେ ପାକିସ୍ତାନ ଆନ୍ତର୍ଜାତିକ ଅର୍ଥ ସାହାଯ୍ୟ ପାଇବ ନାହିଁ। ଆର୍ଥିକ ଦୈନ୍ୟ, ବନ୍ୟା ଓ ଆମେରିକାର ସାହାଯ୍ୟ ନ ମିଳିବା ଯୋଗୁଁ ପାକିସ୍ତାନ ଆଉ ଭାରତ ବିରୋଧରେ ଯିବା ସହଜ ହେବ ନାହିଁ। ଏଣୁ ଆଉ ଭାରତ-ପାକ୍ ଯୁଦ୍ଧର ସମ୍ଭାବନା କ୍ଷୀଣ।

ମୋ: ୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର