ନୂଆ ଦୃଷ୍ଟିଭଙ୍ଗୀରେ ଭାରତୀୟ ଦର୍ଶନକୁ ଦେଶବିଦେଶର ଶିକ୍ଷାନୁଷ୍ଠାନମାନଙ୍କରେ ସମୁଚିତ ଭାବରେ ଉପସ୍ଥାପନ କରିବାରେ ଯେଉଁମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି, ତନ୍ମଧ୍ୟରୁ ଆମେରିକା ନିବାସୀ ଓଡ଼ିଶାର ଜିତେନ୍ଦ୍ରନାଥ ମହାନ୍ତି ଜଣେ ବହୁ ଚର୍ଚ୍ଚିତ ଅଧ୍ୟାପକ ଓ ଗବେଷକ। ‘ବ୍ରିଟାନିକା ଜ୍ଞାନକୋଷ’ର ନବୀନ ସଂସ୍କରଣରେ ‘ଭାରତୀୟ ଦର୍ଶନ’ ଉପରେ ରଚିତ ତାଙ୍କର ଦୀର୍ଘ ରଚନାରେ ଭାରତୀୟ ଦର୍ଶନକୁ ଆଧୁନିକ କାୟାକଳ୍ପ ପ୍ରଦାନ କରିଥିବା ପୁରୋଧାମାନଙ୍କର ସେ ନାମୋଲ୍ଲେଖ କରିଛନ୍ତି। ଦେବବ୍ରତ ସିହ୍ନା, ରମାକାନ୍ତ ସିନାରୀ ଓ ସେ ନିଜେ ସଂବୃତ୍ତି ମୀମାଂସା (ଫେନୋମେନୋଲୋଜି) ଆଧାରରେ ଭାରତୀୟ ଦର୍ଶନର କାୟାକଳ୍ପ କରିଛନ୍ତି।

Advertisment

ଗାନ୍ଧୀଙ୍କ ଚରିତ୍ର ହନନ ନ କରି, ତାଙ୍କର ଭାବନା, ଯୋଜନା ଓ କାର୍ଯ୍ୟାବଳୀର ପ୍ରସଙ୍ଗ ଭିତ୍ତିକ ମୂଲ୍ୟାୟନ କରାଯିବା ଉଚିତ ବୋଲି ଜିତେନ୍ଦ୍ରନାଥଙ୍କ ମତ ଥିଲା। ଗାନ୍ଧୀ ଅହିଂସା ଉପାୟରେ ଅନ୍ୟାୟର ପ୍ରତିରୋଧ କରୁଥିଲେ ସତ, ହେଲେ ଅହିଂସାର ଅର୍ଥ ଭୀରୁତା ନୁହେଁ ବୋଲି ତାଙ୍କର ଦୃଢ଼ ମତ ଥିଲା। ସେ କହୁଥିଲେ ଯେ ପ୍ରେମ ଓ ଅହିଂସା ସାହାଯ୍ୟରେ ଯଦି ତୁମେ ପ୍ରତିରୋଧ କରି ନ ପାରୁଛ, ତେବେ ବନ୍ଧୁକ ଧର! ତାହା କାପୁରୁଷତା ଠାରୁ ଢେର ଭଲ। ଗାନ୍ଧୀଙ୍କ ବିଷୟରେ ପ୍ରସାରିତ ହେଉଥିବା ଭ୍ରମାତ୍ମକ ଧାରଣାଗୁଡ଼ିକୁ ଖଣ୍ଡନ କରି ସେ କହିଥିଲେ ଯେ ଗାନ୍ଧୀ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେଉ ନଥିଲେ କି ତାଙ୍କ ପ୍ରତି କୌଣସି ଅନ୍ୟାୟ ଆଚରଣ କରୁ ନଥିଲେ। ‘ଗାନ୍ଧୀ’ ଚଳଚ୍ଚିତ୍ର ବିଷୟରେ ମନ୍ତବ୍ୟ ଦେଇ ଜିତେନ୍ଦ୍ରନାଥ କହିଥିଲେ ଯେ ଯେଉଁ ପ୍ରକାର ଦକ୍ଷତା ଫଳରେ ସ୍ବାଧୀନତା ଲାଭ ହୋଇଥିଲା, ଚଳଚ୍ଚିତ୍ରରେ ସେ ସମସ୍ତ ରୂପାୟିତ ହୋଇପାରିନାହିଁ ଏବଂ ଯେଉଁ ରବୀନ୍ଦ୍ରନାଥ ଠାକୁର ଗାନ୍ଧୀଙ୍କୁ ‘ମହାତ୍ମା’ ବୋଲି ସମ୍ବୋଧନ କରିଥିଲେ, ତାଙ୍କ ବିଷୟରେ କିଛି ଦର୍ଶିତ ହୋଇନାହିଁ।

ସରଳ ଜୀବନଯାପନ ଓ ଉନ୍ନତ ଚିନ୍ତନମନନ ହେଉଛି ଗାନ୍ଧୀଙ୍କ ଠାରୁ ଜିତେନ୍ଦ୍ରନାଥଙ୍କ ଆହରଣ କରିଥିବା ଜୀବନ ଦର୍ଶନ। ସେ ଅତ୍ୟନ୍ତ ମେଳାପୀ ଓ ବ୍ୟବହାରକୁଶଳ ଥିଲେ। ଛାତ୍ର ତଥା ବନ୍ଧୁମାନଙ୍କ ସହ ସମ୍ପର୍କରେ ସେ ଅତ୍ୟନ୍ତ ଅମାୟିକ, ଉଦାର ଓ ସାହାଯ୍ୟ ସହାନୁଭୂତିପୂର୍ଣ୍ଣ ଥିଲେ। ପ୍ରତିବର୍ଷ ସେ କଲିକତା ଓ ଓଡ଼ିଶା ଆସି ଶୈକ୍ଷିକ କାର୍ଯ୍ୟକ୍ରମମାନଙ୍କରେ ଭାଗ ନେଉଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଦର୍ଶନ ବିଭାଗରେ ତାଙ୍କର ଗରିମାମୟ ଉପସ୍ଥିତି ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରୁଥିଲା। ଉଭୟ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଦର୍ଶନରେ ତାଙ୍କ ପରି ଧୂରୀଣ ବ୍ୟକ୍ତି ବିରଳ। “ବିଟୁଇନ୍ ଟୁ ଵର୍ଲଡସ୍‌: ଇଷ୍ଟ୍‌ ଆଣ୍ଡ୍ ୱେଷ୍ଟ” ତାଙ୍କର ଏକ ଯଥାର୍ଥ ଆତ୍ମଜୀବନୀ ଗ୍ରନ୍ଥ। ଏହା ବ୍ୟତୀତ ତାଙ୍କର ଚଉଦ ଗୋଟି ପୁସ୍ତକ ପ୍ରକାଶିତ ହୋଇଛି, ଯାହା ତାଙ୍କର ଅବର୍ତ୍ତମାନରେ ଦର୍ଶନ ଜଗତ୍‌କୁ ଜ୍ଞାନଦୀପ୍ତ କରୁଥିବ।

ଓଡ଼ିଶାର ବରପୁତ୍ର ଜିତେନ୍ଦ୍ରନାଥ ଆନ୍ତର୍ଜାତୀୟ ସ୍ତରରେ ଜର୍ମାନୀୟ ଦର୍ଶନ ଓ ତଥା ଭାରତୀୟ ଦର୍ଶନର ଜଣେ ବରେଣ୍ୟ ଉଦ୍‌ଗାତା। ଜନ୍ମମାଟି ଓଡ଼ିଶା ତାଙ୍କୁ ଚତୁର୍ବିଧ ସମ୍ମାନରେ ଭୂଷିତ କରିଛି। ନିଖିଳ ଉତ୍କଳ ଦର୍ଶନ ପରିଷଦର ୨୦୧୦ ମସିହା ଚୌଦ୍ବାର ଅଧିବେଶନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଦର୍ଶନ ବିଭାଗରେ ଅନୁଷ୍ଠିତ ଏକ ସାରସ୍ବତ ପରିବେଶରେ ଜୀବନବ୍ୟାପୀ ସାଧନା ପାଇଁ ସେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଦାର୍ଶନିକ ଗବେଷଣା ପରିଷଦଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ। ‘ସମ୍ବାଦ’ ଅନୁଷ୍ଠାନ ରାଜ୍ୟ ସୂଚନା ଭବନ ଠାରେ ତାଙ୍କୁ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲା। ୨୦୧୭ ମସିହାରେ ରେଭେନ୍‌ସା ବିଶ୍ବବିଦ୍ୟାଳୟ ଦ୍ବାରା ସେ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ଭୂଷିତ ହୋଇଥିଲେ।

ଋତାୟନୀ, ୩୯୬, ପାଇକ ନଗର, ଭୁବନେଶ୍ବର