ଏପ୍ରିଲ ପ୍ରଥମାର୍ଦ୍ଧରେ ବିଜୁଳି ବ୍ୟବହାର ୧୦% ବୃଦ୍ଧି

ନୂଆଦିଲ୍ଲୀ: ଗତବର୍ଷ ଏପ୍ରିଲ ମାସ ପ୍ରଥମ ୧୫ ଦିନ ତୁଳନାରେ ଚଳିତବର୍ଷ ଏପ୍ରିଲ ମାସର ପ୍ରଥମ ୧୫ ଦିନରେ ଦେଶରେ ବିଜୁଳି ବ୍ୟବହାରରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ଘଟି ୭୦.୬୬ ବିଲିଅନ ୟୁନିଟ୍‌ରେ ପହଞ୍ଚିଛି। ଚଳିତବର୍ଷ ଗ୍ରୀଷ୍ମ ଋତୁ (ଏପ୍ରିଲରୁ ଜୁନ)ରେ ତାପମାତ୍ରା ଅଧିକ ରହିବା କାରଣରୁ ଶିଖର ଶକ୍ତି ଚାହିଦା ୨୬୦ ଗିଗାୱାଟ୍‌ ରହିବା ନେଇ ଶକ୍ତି ମନ୍ତ୍ରାଳୟ ଆକଳନ କରିଛି। ୨୦୨୩ ସେପ୍ଟେମ୍ବରରେ ଶିଖର ଶକ୍ତି ଚାହିଦା ସର୍ବକାଳୀନ ରେକର୍ଡ ୨୪୩ ଗିଗାୱାଟ୍‌ ରହିଥିଲା। ଦେଶର ଅଧିକାଂଶ ଭାଗରେ ଚଳିତବର୍ଷ ଗ୍ରୀଷ୍ମ ଋତୁରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଖରା ଏବଂ ତାପମାତ୍ରା ବଢ଼ିଲେ ଲୋକାମାନେ ଏୟାର କଣ୍ଡିସନର ଏବଂ ଅନ୍ୟାନ୍ୟ କୁଲିଂ ଉତ୍ପାଦ ବଢ଼ୁବ।

ଫଳରେ ବିଜୁଳି ବ୍ୟବହାର ମଧ୍ୟ ଆନୁପାତିକ ଭାବେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ବିଜୁଳି ବ୍ୟବହାର ଦୁଇ ଅଙ୍କରେ ବୃଦ୍ଧି ଘଟିଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଏବଂ ବିଜୁଳି ଖର୍ଚ୍ଚ ଅଭ୍ୟାସରେ ପରିବର୍ତ୍ତନ ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି। ବିକଶିତ ଦେଶଗୁଡ଼ିକ ଭଳି ଭାରତରେ ଲୋକମାନେ ବିଭିନ୍ନ ଉପକରଣରେ ବିଜୁଳି ବ୍ୟବହାର କରୁଛନ୍ତି। ଏଥିସହିତ ଇଲେକ୍ଟ୍ରିକ ବସ, କାର, ରିକ୍ସା ଏବଂ ରେଳ ଚଳାଚଳରେ ବିଜୁଳି ବ୍ୟବହାର ହେଉଥିବାରୁ ଦେଶରେ ମୁଣ୍ଡପିଛା ବିଜୁଳି ବ୍ୟବହାର ବଢ଼ିଯାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର