ଭାରତରେ ୩୦୦ କୋଟି ଡଲାର ନିବେଶ କରିବେ ମସ୍କ

ମହାକାଶ ପ୍ରଯୁକ୍ତି କ୍ଷେତ୍ରର ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କୁ ଭେଟିବେ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ ମସ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏଥିସହିତ ସେ ଭାରତରେ ୨୦୦ରୁ ୩୦୦ କୋଟି ଡଲାର ପର୍ଯ୍ୟନ୍ତ ନିବେଶ ଯୋଜନା ଘୋଷଣା କରିପାରନ୍ତି ବୋଲି ରଏଟର୍ସ ପକ୍ଷରୁ କୁହାଯାଇଛି। ମସ୍କ ଯେଉଁ ନିବେଶ ଘୋଷଣା କରିବେ ତାହା ଭାରତରେ ଟେସ୍‌ଲାର ବିଦ୍ୟୁତ୍‌ କାର୍‌ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ରହିବ। ଭାରତ ବିଶ୍ବର ତୃତୀୟ ବୃହତ୍ ଅଟୋମୋବାଇଲ ବଜାର ହୋଇଥିବାରୁ ମସ୍କଙ୍କ ଘୋଷଣା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ ହେଉଛି। ଭାରତରେ ଇଲେକ୍ଟ୍ରିକ କାର୍‌ ବଜାର ମଧ୍ୟ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଏହି ବଜାରରେ ଟାଟା ମୋଟର୍ସର ପ୍ରମୁଖ ଭାଗ ରହିଛି। ୨୦୨୩ ମସିହାରେ ଭାରତରେ ‌ବିକ୍ରି ହୋଇଥିବା ମୋଟ କାର୍‌ ସଂଖ୍ୟାରେ ଇଭିର ଅଂଶ ମାତ୍ର ୨ ପ୍ରତିଶତ ରହିଥିଲା। କିନ୍ତୁ ୨୦୩୦ ମସିହା ସୁଦ୍ଧା ଦେଶର ମୋଟ କାର୍‌ ବିକ୍ରିରେ ଇଭିର ଅଂଶ ୩୦ ପ୍ରତିଶତରେ ପହଞ୍ଚାଇବା ପାଇଁ ସରକାର ଯୋଜନା ରଖିଛନ୍ତି।

ମହାକାଶ ପ୍ରଯୁକ୍ତି କ୍ଷେତ୍ରର ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କୁ ଭେଟିବେ
ଟେସଲା ସିଇଓ ଏଲନ୍‌ ମସ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। କିଛିଦିନ ତଳେ ଭାରତୀୟ ଷ୍ଟାର୍ଟଅପ ଉଦ୍ୟୋଗୀମାନେ ମସ୍କଙ୍କ ସ୍ପେସ୍‌ଏକ୍ସ କମ୍ପାନି ପରିଦର୍ଶନରେ ଯାଇଥିଲେ। ତେଣୁ ଭାରତ ସରକାର ଏବେ ମସ୍କଙ୍କୁ ଭେଟିବା ପାଇଁ ଭାରତୀୟ ଷ୍ଟାର୍ଟଅପ୍‌ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ, ଧ୍ରୁବ ସ୍ପେସ, ପିଅରସାଇଟ, ଦିଗନ୍ତରା ଆଦି ସଂସ୍ଥାଙ୍କୁ ଡାକିଛନ୍ତି। ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କ ସହିତ ମସ୍କ ନିର୍ଦ୍ଦିଷ୍ଟ ଭାବରେ କ’ଣ ଆଲୋଚନା କରିବେ ତାହା ଜଣା ପଡ଼ିନଥିଲେ ମଧ୍ୟ ସେମାନଙ୍କୁ ଅଧିକରୁ ଅଧିକ କାର୍ଯ୍ୟ କରିବା ଲାଗି ପ୍ରେରଣା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏଥିସହିତ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ଯେଉଁସବୁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନେ ସେମାନଙ୍କ ପ୍ରଯୁକ୍ତିକୁ ମସ୍କଙ୍କ ସମ୍ମୁଖରେ ପ୍ରଦର୍ଶନ କରିପାରନ୍ତି।

ଅନ୍ୟପକ୍ଷରେ ଟେସଲା ସଂପ୍ରତି ଆମେରିକା ଏବଂ ଚୀନ ଭଳି ବଜାରରେ କେତେକ ସମସ୍ୟା ଦେଇ ଗତି କରୁଛି। ସେଠାରେ ବିକ୍ରି ମନ୍ଥର ହୋଇଛି। ଏଥିଯୋଗୁ କମ୍ପାନି ଚଳିତ ସପ୍ତାହରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ ଘୋଷଣା କରିଛି। ଏଭଳି ସମୟରେ ମସ୍କଙ୍କ ଭାରତ ଗସ୍ତ ଏବଂ ନିବେଶ ଘୋଷଣା ଉପରେ କାର୍‌ ନିର୍ମାତାମାନେ ନଜର ରଖିଛନ୍ତି। ମସ୍କଙ୍କ ଭାରତ ଗସ୍ତ ସଂପର୍କରେ ବିସ୍ତୃତ ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ। କିନ୍ତୁ ସେ ୨୧ ଓ ୨୨ ତାରିଖରେ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ବୋଲି ଏକ୍ସରେ ପୋଷ୍ଟ୍‌ କରିଛନ୍ତି। ବହୁଦିନ ହେଲା ମସ୍କ ଭାରତରେ ଟେସଲା କାର୍‌ ବିକ୍ରି କରିବା ଯୋଜନା ରଖିଛନ୍ତି। କିନ୍ତୁ ତାଙ୍କ ପାଇଁ ବଡ଼ ପ୍ରତିବନ୍ଧକ ସାଜିଛି ଉଚ୍ଚ ଆମଦାନି ଶୁଳ୍କ। ନିକଟରେ କେନ୍ଦ୍ର ସରକାର ଏକ ନୂଆ ଇଭି ନୀତି ଘୋଷଣା କରିଛନ୍ତି। ସେଥିରେ କେତେକ ମଡେଲ ଇଭି ଉପରେ ଆମଦାନି ଶୁଳ୍କ ୧୦୦%ରୁ ୧୫%କୁ ହ୍ରାସ କରିବା ଲାଗି ବ୍ୟବସ୍ଥା ରହିଛି। ତେବେ ଏଥିପାଇଁ କାର୍‌ ନିର୍ମାତାଙ୍କୁ ଭାରତରେ ସର୍ବନିମ୍ନ ୫୦୦ ନିୟୁତ ଡଲାର ନିବେଶ କରି ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବାକୁ କୁହାଯାଇଛି। କମ୍ପାନି ନୂଆଦିଲ୍ଲୀ ଓ ମୁମ୍ବାଇରେ ସୋ’ରୁମ୍ ଖୋଲିବାକୁ ଆଗ୍ରହୀ ରହିଛି। ଏଥିସହିତ କମ୍ପାନି ବର୍ଲିନ କାରଖାନାରେ ଡାହାଣ ପଟେ ଷ୍ଟିଅରିଂ ଥିବା କାର୍‌ ନିର୍ମାଣ କରି ଭାରତକୁ ରପ୍ତାନି କରିବା ଯୋଜନା ରଖିଛି।

ସମ୍ବନ୍ଧିତ ଖବର