ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ହାଟରେ ପ୍ରତିଦିନ ନିଜକୁ ବିକ୍ରି କରନ୍ତି

ଭୁବନେଶ୍ୱର: ପନିପରିବା କି ଫଳ ନୁହେଁ, ଏଠି ବିକ୍ରି ହୁଅନ୍ତି ମଣିଷ। ନିଜର ଆବଶ୍ୟକତା ଅନୁସାରେ ଗ୍ରାହକ ଆସି ମୂଲଚାଲ କରି ସେମାନଙ୍କୁ ଉଠାଇ ନେଇଯାଆନ୍ତି। କେବେ କାମ ମିଳେ ତ କେବେ ମିଳେନି। ତଥାପି ଭୋର୍‌ ସମୟରୁ ବିକ୍ରି ହେବାକୁ ଏମାନେ ଚାଲିଆସନ୍ତି। ଏ କାହାଣୀ ହେଉଛି ରାଜଧାନୀରେ ନିଜ ପେଟ ପୋଷିବା ପାଇଁ କାମ କରୁଥିବା ହଜାର ହଜାର ଶ୍ରମିକମାନଙ୍କର। ପ୍ରତିଦିନ ନୂଆପଲ୍ଲୀ, କଳ୍ପନା, ଡେଲଟା, ଲିଙ୍ଗରାଜ ଷ୍ଟେସନ ଆଦି ସ୍ଥାନରେ ଏମାନେ ଆସି ଠିଆ ହୁଅନ୍ତି। ଦେଶର ନିର୍ମାଣରେ ଖରା, ବର୍ଷା, ଶୀତକୁ ଖାତିର ନ କରି କାମ କରୁଥିଲେ ମଧ୍ୟ ଏମାନଙ୍କୁ ମୌଳିକ ସୁବିଧା ମିଳୁନି।

ରାଜଧାନୀ ଏକ ବିକାଶୋନ୍ମୁଖୀ ସହର। ପ୍ରତିଦିନ ଏଠାକୁ ଶହ ଶହ ଶ୍ରମିକ କାମ ଲୋଭରେ ଆସନ୍ତି। ରାଜଧାନୀରେ ବିଭିନ୍ନ ଶ୍ରମିକ ସଂଘରୁ ମିଳିଥିବା ତଥ୍ୟ ଅନୁଯାୟୀ ପାଖାପାଖି ଅଢେଇ ଲକ୍ଷ ଶ୍ରମିକ କାର୍ଯ୍ୟାରତ ଅଛନ୍ତି। ତନ୍ମଧରୁ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୩୦ ହଜାରରୁ ଊର୍ଦ୍ଧ୍ୱ। କିନ୍ତୁ ଏତେ ସଂଖ୍ୟାରେ କାମ କରୁଥିବା ଏହି ଶ୍ରମିକମାନଙ୍କ ସ୍ଥିତ କିନ୍ତୁ ଅତ୍ୟନ୍ତ ଶୋଚନୀୟ। ୧୫ ଦିନ କାମ ମିଳିଲେ ପନ୍ଦର ଦିନ କାମ ନାହିଁ। ଏତେ କଥାକୁ ସପନ ନାହିଁ, କାମ ଅପେକ୍ଷାରେ ଠିଆ ହେବାପାଇଁ ଏକ ସ୍ଥାୟୀ ଆଶ୍ରୟସ୍ଥଳୀ ମଧ୍ୟ ଏଯାଏ ଏମାନେ ପାଇପାରିଲେ ନାହିଁ। ରାଜଧାନୀର ସବୁଠୁ ପୁରୁଣା ଓ ଜନଗହଳିପୂର୍ଣ୍ଣ ଶ୍ରମିକ ବଜାର କହିଲେ ନୂଆପଲ୍ଲୀ ଦୂର୍ଗା ପୂଜା ପଡ଼ିଆକୁ ବୁଝାଏ। ପ୍ରତିଦିନ ସାଲିଆ ସାହି, ବେହେରା ସାହି, ଜୟଦେବ ବିହାର ସ୍ଥିତ ବହୁ ବସ୍ତିରୁ ଶ୍ରମିକମାନେ ଆସି ଠିଆ ହୁଅନ୍ତି। କିନ୍ତୁ ଏଠି ଆଜି ପର୍ଯ୍ୟନ୍ତ ଗୋଟେ ଆଶ୍ରୟସ୍ଥଳୀ ହୋଇପାରିଲା ନାହିଁ। ଏଠାକୁ ପ୍ରାୟ ୧୫ ବର୍ଷ ଧରି ଆସୁଥିବା ସୁକାନ୍ତି ରେଡ଼ୀଙ୍କ କହିବା ଅନୁଯାୟୀ ‘କାମ ପାଇଁ ଆସିଲେ ଗଛ ଛାଇ ତଳେ ଅପେକ୍ଷା କରିବା କଥା। ଆମେ ତ ମଜୁରିଆ ଲୋକ, ଆମ କଥା କିଏ ଶୁଣୁଛି। ମାସେ ହେଲାଣି ଏଠି ପାଣି ଟ୍ୟାପ୍‌ ଅଚଳ ପଡ଼ିଥିଲା ଏହି ଦୁଇ ଦିନ ହେବ ଠିକ୍‌ କରିଛନ୍ତି। ତାହା ମଧ୍ୟରୁ ମଧ୍ୟ ଗୋଟିଏ ଭାଙ୍ଗିଯାଇଛି। ପୂର୍ବରୁ ଦୁଇଥର ଆହାର କେନ୍ଦ୍ରରେ ଖାଇବାକୁ ମିଳୁଥିଲା କିନ୍ତୁ ବର୍ତ୍ତମାନ ଥରେ ମିଳୁଛି ତାହା ବି କାମ ସାରି ଫେରୁ ଫେରୁ ସରିଯାଉଛି। ଡେଲଟା ଛକ ସ୍ଥିତ ଶ୍ରମିକ ବଜାରର ସ୍ଥିତି ତ ଆହୁରି ଶୋଚନୀୟ ଏଠି ଠିଆ ହେବା ପାଇ ଛାଇ ଟିକିଏ ନାହିଁ। ନା ପାନୀୟ ଜଳ ସୁବିଧା ଅଛି ନା ଶୌଚାଳୟ। ଫଳରେ ଶ୍ରମିକ ମାନେ ବହୁ ହଇରାଣରେ ପଡ଼ୁଛନ୍ତି। ଲିଙ୍ଗରାଜ ଷ୍ଟେସନ, କଳ୍ପନା, ରସୁଲଗଡ଼ ଜିଜିପି କଲୋନି ନିକଟସ୍ଥ ଶ୍ରମିକ ବଜାରର ମଧ୍ୟ ସମାନ ସ୍ଥିତ। ଆଶ୍ରୟସ୍ତଳୀ ନଥିବାରୁ ଶହ ଶହ ଶ୍ରମିକ ରାସ୍ତାରେ ଠିଆ ହୋଇ ରହୁଛନ୍ତି। ଯଦିଓ ବିଡିଏ ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେ ବଡ଼ଗଡ଼, ଡୁମଡୁମା ଓ ନୂଆପଲ୍ଲୀରେ ତିନୋଟି ଶ୍ରମିକ ପ୍ରତିଷ୍ଠା କେନ୍ଦ୍ର ସ୍ଥାପନ ହେବ ବୋଲି ଘୋଷଣା ହୋଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି କାମ କେବଳ ଫଳକରେ ସୀମିତ ହୋଇ ରହିଯାଇଛି।

ତେବେ ଏନେଇ ଅଲ୍‌ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ୍‌ ଅଫ୍‌ ଟ୍ରେଡ୍‌ ୟୁନିଅନ୍‌(ଏଆଇସିସିଟିଓ) ର ଯୁଗ୍ମ ସମ୍ପାଦକ ମହେନ୍ଦ୍ର ପରିଡ଼ାଙ୍କ କହିବା ଅନୁଯାୟୀ ଶ୍ରମିକଙ୍କ ସର୍ବନିମ ମଜୁରି ଏ ପର୍ଯ୍ୟନ୍ତ ବଢ଼ିଲା ନାହିଁ। ବିଭିନ୍ନ ସରକାରୀ ତଥା ବେସରକାରୀ ଦପ୍ତରରେ କାମ କରୁଥିବା ଶ୍ରମିକମାନଙ୍କର ମନିଟରିଂ ହେଉନି। ଶ୍ରମିକ ଆଶ୍ରୟ ସ୍ଥଳୀ ଏ ପର୍ଯ୍ୟନ୍ତ ପ୍ରତିଷ୍ଠା ହେଲାନାହିଁ। ବିଭିନ୍ନ ବସ୍ତିରେ ସରକାରଙ୍କ ପକ୍ଷରୁ ରେଣ୍ଟେଡ୍‌ ହାଉସ୍‌ ମଧ୍ୟ ତିଆରି ହେଲା ନାହିଁ। ସେହିପରି ସଫେଇ, କର୍ମଚାରୀ, ମେହେନ୍ତର, ଘରୋଇ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଓ ଉପଯୁକ୍ତ ମଜୁରି ମଧ୍ୟ ମିଳୁନାହିଁ। ଖାଲି ପ୍ରତିଶୃତିରେ ହିଁ ସବୁ ଯୋଜନା ରହିଗଲାଣି। ସେହିପରି ବିଜୁ ଶ୍ରମିକ ସାମ୍ମୁଖ୍ୟର ଭୁବନେଶ୍ୱର ସଭାପତି ନବ କିଶୋର ମହାନ୍ତିଙ୍କ କହିବା ଅନୁଯାୟୀ ଶ୍ରମିକମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ମିଳିଲାନାହିଁ। ଯଦିଓ ନିର୍ମାଣ ଶ୍ରମିକ ବହୁ ଯୋଜନା ହୋଇଥିଲେ ପ୍ରତିଦିନ ରାଜଧାନୀକୁ ବିଭିନ୍ନ ଗାଁ ଗହଳିରୁ ଲୋକ ଆସୁଛନ୍ତି ଫଳରେ ଏହି ଶ୍ରମିକମାନଙ୍କ ସଂଖ୍ୟା ବଢ଼ୁଛି ଓ ସେମାନେ କାମ ପାଉ ନାହାନ୍ତି। କିନ୍ତୁ ବର୍ତ୍ତମାନ ସରକାର ଏ ଉପରେ ଦୃଷ୍ଟି ଦେଉଛନ୍ତି ନିର୍ବାଚନ ପରେ ସବୁ କାମ ଆରମ୍ଭ ହୋଇଯିବ। ଶ୍ରମିକ ବଜାରରେ ସବୁ ସୁବିଧା ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର