କେନ୍ଦୁଝର ରାଜନୀତି: ସବୁ ଦଳରେ ବିରୋଧ ଓ ବିଦ୍ରୋହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ହାତଗଣତି କିଛି ନିର୍ବାଚନମଣ୍ଡଳୀକୁ ଛାଡ଼ିଦେଲେ ସବୁଠି ଟିକେଟ ପାଇଥିବା ପ୍ରାର୍ଥୀମାନେ ନିଜର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଶାସକ ବିଜେଡିଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ସବୁ ଦଳରେ ଟିକେଟ ବଣ୍ଟନକୁ ନେଇ ବିରୋଧ ଓ ଅସନ୍ତୋଷ ଲାଗି ରହିଥିବାରୁ କେନ୍ଦୁଝର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି। କେନ୍ଦୁଝର ଜିଲ୍ଲ‌ାରେ ଟିକେଟକୁ ନେଇ ପ୍ରଥମେ ବିଜେଡିରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଦଳ ଧନୁର୍ଜୟ ସିଦୁଙ୍କୁ ଟିକେଟ ଦେବାକୁ ଉଦ୍ୟମ କରିବାରୁ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନେ ବିରୋଧ କରିଥିଲେ। ଆମଦାନି ନେତାଙ୍କୁ ଛାଡ଼ି ଆଉ କାହାକୁ ପ୍ରାର୍ଥୀ କରିବାକୁ ନିର୍ବାଚନମଣ୍ଡଳୀର ନେତାମାନେ କହିଥିଲେ। ବିରୋଧ ବଢ଼ିବା ପରେ ବିଜେଡି ସିଦୁଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲା। ତେଲକୋଇ ବ୍ଲକ୍‌ ଦେଉଳଡିହାରେ ଟିକେଟ ଆଶାୟୀ ଥିବା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସଦାନନ୍ଦ ନାଏକଙ୍କ ନେତୃତ୍ବରେ ବୈଠକ କରାଯାଇ ମାଟିର ପୁଅକୁ ଟିକେଟ ଦେବାକୁ ଦଳକୁ ଚେତାଇ ଦିଆଯାଇଥିଲା। କିନ୍ତୁ ତାହା ‌ହେଲାନାହିଁ। ଶେଷରେ ଦଳ ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦାରଙ୍କୁ ପ୍ରାର୍ଥୀ କରିଥିଲା। ଟିକେଟରୁ ବଞ୍ଚିତ ହୋଇ ସଦାନନ୍ଦ ବିଜେପିରେ ମିଶିଥିଲେ। ସେହିପରି ଦୁଇଦିନ ତଳେ ହରିଚନ୍ଦନପୁରରେ ଆୟୋଜିତ ସଭାରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ମାଧବଙ୍କ ସମ୍ବର୍ଦ୍ଧନା ସଭାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ।

କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା। ମୋହନ ହେମ୍ବ୍ରମଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିବା ପରେ ବିଦ୍ରୋହ ଆରମ୍ଭ ହୋଇଥିଲା। କଂଗ୍ରେସର ଜିଲ୍ଲା ସଭାପତି ମୋହନ ପରିଡ଼ାଙ୍କ ସମେତ ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀ କରି ମୋହନଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଥିଲେ। ନିଜ ନିଜ ପଦବିରୁ ସମୂହ ଇସ୍ତଫା ଦେଇଥିଲେ। ଏପରି ବିଦ୍ରୋହ ଜିଲ୍ଲା ରାଜନୀତିରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଥିଲା। ବିଜେପିରେ ମଧ୍ୟ ପ୍ରାର୍ଥୀ ଘୋଷଣାକୁ ନେଇ ବିଦ୍ରୋହ ଦେଖିବାକୁ ମିଳିଛି। ପାଟଣା ନିର୍ବାଚନମଣ୍ଡଳୀରେ ବିଜେପି ଦୁଇଗୋଷ୍ଠୀରେ ବିଭକ୍ତ। ଗୋଟିଏ ଗୋଷ୍ଠୀ ବର୍ତ୍ତମାନର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ଅନ୍ୟଟି ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତଙ୍କ ଦ୍ବାରା ପରିଚାଳିତ। ଅଂଶୁମାନଙ୍କ ସମର୍ଥିତ ଟିକେଟ ଆଶାୟୀ ଥିଲେ ମମିତା ନାଏକ ଓ ରାଧାକାନ୍ତଙ୍କ ସମର୍ଥିତ ଟିକେଟ ଆଶାୟୀ ଥିଲେ ଅଖିଳ ନାଏକ। ଗତକାଲି ବିଜେପି ଅଖିଳଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳରେ ଖୋଲାଖୋଲି ବିଦ୍ରୋହ ଦେଖିବାକୁ ମିଳିଛି। ବିଜେପି ଯୁବମୋର୍ଚ୍ଚା ସଭାପତି ସବୀର ଦାଶଙ୍କ ନେତୃତ୍ବରେ ପ୍ରାର୍ଥୀ ବଦଳାଇବା ପାଇଁ ଦାବି କରାଯିବା ସହ ନିର୍ବାଚନମଣ୍ଡଳୀର ବହୁ ନେତା ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ଟିକେଟ ଘୋଷଣା ବେଳେ ବିଭିନ୍ନ ମାନଦଣ୍ଡକୁ ଦେଖି ଦଳର ଶୀର୍ଷ ନେତୃତ୍ବ ପ୍ରାର୍ଥୀ ଚୟନ କରିଥାନ୍ତି। ଅନେକ ସମୟରେ ନିଜ ନିଜ ଏଜେଣ୍ଡାରେ ଥିବା ଜିଲ୍ଲାସ୍ତରୀୟ ଶୀର୍ଷ ନେତୃତ୍ବ ଏହି ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତୁତ ନଥାନ୍ତି। ଯାହା ଏସବୁ ଘଟଣାରୁ ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର