ରଘୁବାବୁଙ୍କ ରେକର୍ଡ କାଟିବା ସମ୍ଭାବନା କମ୍

ଜୟପୁର: ଦେଶ ସ୍ବାଧୀନତା ପରେ ୧୯୫୧ମସିହାରେ ହିଁ ଜୟପୁର ନିର୍ବାଚନମଣ୍ଡଳୀ ଅଣକଂଗ୍ରେସ ହାତରେ ରହିଥିଲା। ତେବେ ୧୯୬୧ରେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ପ୍ରାର୍ଥୀ ଏଠାରେ ଜିତିବା ପରେ ୨୦୧୯ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ୯ଥର ଜିତିଛି। ସେଭଳି ଗଣତନ୍ତ୍ର ପରିଷଦ ୨ଥର ଓ ସ୍ବତନ୍ତ୍ର ପାର୍ଟି୨ଥର ଜିତିଛି। ସେଭଳି ଶାସକ ବିଜେଡି ଏଠାରୁ ୩ଥର ଜିତିଛି। ଏଥରକ ହେଉଥିବା ୧୭ନଂ ନିର୍ବାଚନରେ କିଏ ବାଜିମାତ୍ କରିବ ତାହାକୁ ନେଇ ସବୁ ଠାରେ ଚର୍ଚ୍ଚା । ସେଭଳି ୬ଥର ଜିତି ରେକର୍ଡ ସୃଷ୍ଟି କରିଥିବା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ରେକର୍ଡକୁ କାଟିବାର ସମ୍ଭାବନା ବହୁତ କମ୍ ବୋଲି ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଯୋଗ୍ୟ, ୧୯୫୧ ମସିହା‌ରେ ଏଠାରୁ ଗଣତନ୍ତ୍ର ପରିଷଦର ଲଇଛନ୍ ନାୟକ ବିଧାୟକ ହୋଇଥିଲେ । ୧୯୫୭ମସିହାରେ ଏଠାରୁ ଗଣତନ୍ତ୍ର ପରିଷଦର ଲଇଛନ୍ ନାୟକ  ଓ  ହରିହର ମିଶ୍ର ଯୁଗ୍ମ ଭାବେ ବିଧାୟକ ହୋଇଥିଲେ । ୧୯୬୧,୧୯୭୪, ୧୯୭୭,୧୯୮୦,୧୯୯୦,୧୯୯୫ ମସିହାରେ କଂଗ୍ରେସରୁ ରଘୁନାଥ ପଟ୍ଟନାୟକ ଛଅ ଥର ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ଶାସକ ବିଜେଡିରୁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ୨୦୦୦,୨୦୦୪ ଓ୨୦୦୯ମସିହାରେ ଜିତିଥିଲେ। ସେଭଳି କୋରାପୁଟ ନିର୍ବାଚନମଣ୍ଡଳୀ ଅନୂସୂଚିତ ଜାତି ପାଇଁ ସଂରକ୍ଷିତ ହେବା ପରେ ଜୟପୁର ଆସି ୨୦୧୪ ଓ ୨୦୧୯ମସିହାରେ ତାରାପ୍ରସାଦ ବାହିନୀପତି ଜିତିଥିଲେ। ଥରେ ଲେଖାଏଁ ସ୍ବତନ୍ତ୍ର ପାର୍ଟିର ୧୯୬୭ରେ ଏନ୍ ରାମ ଶେଷାୟା, ୧୯୭୧ରେ ପ୍ରତାପ ନାରାୟଣ ସିଂ ଦେଓ , ୧୯୮୫ରେ କଂଗ୍ରେସର ଗୁପ୍ତ ପ୍ରସାଦ ଦାଶ ଜିତିଥିଲେ। ନିର୍ବାଚନମଣ୍ଡଳୀର ପ୍ରାରମ୍ଭରୁ କଂଗ୍ରେସ ସହ ର୍ହି ଅନ୍ୟ ଅଣକଂଗ୍ରେସ ଦଳର ମୁକାବିଲା ହେଉଥିବା ‌ଲକ୍ଷ୍ୟ କରାଯାଇଛି।  ୧୯୫୧ମସିହାରୁ ୨୦୧୯ମସିହା ପର୍ଯ୍ୟନ୍ତ ହୋଇଥିବା ୧୫ଟି ନିର୍ବାଚନରେ କଂଗ୍ରେସ ୮ଥର , ବିଜେଡି ୩ଥର, ସ୍ବତନ୍ତ୍ର ଓ ଗଣତନ୍ତ୍ର ପରିଷଦ ଦୁଇ ଥର ଲେଖାଏଁ ଜିତିଛନ୍ତି।

୨୦୦୦ମସିହାରେ ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକ ୬ଥର ଜିତିଥିଲେ ହେଁ କଂଗ୍ରେସ ଟିକେଟ୍ ଦେଇ ନଥିଲା। ସେତେବେଳେ ଶ୍ରୀ ପଟ୍ଟନାୟକ ସ୍ବାଧୀନପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦିତା କରି ୨ୟ ସ୍ଥାନରେ ରହିଥିଲେ ଏବଂ ବିଜେଡିର ରବି ନାରାୟଣ ନନ୍ଦ ଜିତିଥିଲେ। ଏବଂ ଜୟପୁର ନିର୍ବାଚନ ଇତିହାସରେ ପ୍ରଥମ କରି ୩୬୧୬୪ ଭୋଟ ଅଧିକାରେ ଜିତିଥିଲେ। ତାହା ଏବେ ପର୍ଯ୍ୟନ୍ତ ହୋଇଥିବା ସବୁ ବିଧାନସଭା ନିର୍ବାଚନରେ ରେକର୍ଡ ଭାବେ  ଲିପିବଦ୍ଧ ରହିଛି। ସେଭଳି ୨୦୦୯ରେ  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଟିକେଟ ନ ମିଳିବାରୁ ବିଜେପିରୁ ତାରା ପ୍ରସାଦ ବାହିନୀପତି ଲଢ଼ିଥିଲେ। ଏବଂ ସେ ୪୮ହଜାର ୧୮୮ଭୋଟ ପାଇଥିଲେ। ବିଜେପି ଏହା ପରଠାରୁ କିମ୍ବା ପୂର୍ବରୁ ଏତେ ପରିମାଣର ଭୋଟ ବିଜେପି କେବେ ପାଇ ନଥିଲା। କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଓ ବିଜେଡି ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ପତ୍ନୀ ସମବାୟବିତ୍ ଡ. ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ ଭାବେ  ଘୋଷଣା କରିସାରିଛି। ତେବେ ବିଜେପିର ମାଳ ମାଳ ଆଶାୟୀଙ୍କ ମଧ୍ୟରେ କିଏ ପ୍ରାର୍ଥୀ ହେବ ତାହା ସ୍ପଷ୍ଟ ହୋଇ ନି। ଏହି ସ୍ଥିତିରେ ଯିଏ ବି ଜିତିଲେ ପୂର୍ବତନ ଆଇନମନ୍ତ୍ରୀ ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ରେକର୍ଡ କାଏମ୍ ରହିବ ଏହାକୁ କେହି ଭାଙ୍ଗି ପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।

 

 

ସମ୍ବନ୍ଧିତ ଖବର