ଆସିବ ଭାରତ ନିର୍ମିତ ବୁଲେଟ୍‌ ଟ୍ରେନ୍‌: ଚେନ୍ନାଇରେ ତିଆରି ହେବ

୨୫୦ କିମିରୁ ଅଧିକ ବେଗରେ ଦୌଡ଼ିବ

ନୂଆଦିଲ୍ଲୀ: ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଚାଲିଛି। ଜାପାନ ସହାୟତାରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି। ଏଥିପାଇଁ ଜାପାନର ପ୍ରଯୁକ୍ତି ବ୍ୟବହାର ହେଉଛି। କିନ୍ତୁ ଆଗାମୀ ଦିନରେ ଆଉ ବିଦେଶୀ ଜ୍ଞାନକୌଶଳର ଆବଶ୍ୟକତା ପଡ଼ିବ ନାହିଁ। କାରଣ ଭାରତରେ ବୁଲେଟ୍‌ ଟ୍ରେନ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଭାରତରେ ଯେଉଁ ବୁଲେଟ୍‌ ଟ୍ରେନ୍‌ ନିର୍ମାଣ ହେଉଛି ତାହା ଘଣ୍ଟାପ୍ରତି ୨୫୦ କିମିରୁ ଅଧିକ ବେଗରେ ଦୌଡ଼ିବ। ଭାରତରେ ବର୍ତ୍ତମାନ ଯେତେସବୁ ରେଳ ଚାଲୁଛି ତା’ଠାରୁ ଅଧିକ ବେଗରେ ଏହା ଯାତ୍ରା କରିବ। ଉକ୍ତ ଟ୍ରେନ୍‌ ଏବେ ବିକାଶ ପର୍ଯ୍ୟାୟରେ ରହିଛି। ବନ୍ଦେ ଭାରତ ପ୍ଲାଟଫର୍ମରେ ଏହାର ନିର୍ମାଣ ହେଉଛି। ଭାରତୀୟ ରେଳବାଇର ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟ୍ରି (ଆଇସିଏଫ୍‌)ରେ ଏହାକୁ ନିର୍ମାଣ କରାଯାଉଛି। ଦ୍ରୁତଗତିରେ ଏହି ଟ୍ରେନର ଡିଜାଇନକୁ ରୂପ ଦିଆଯାଉଛି। ଅନ୍ତର୍ଜାତୀୟ ସ୍ତରରେ ହାଇସ୍ପିଡ୍‌ ଟ୍ରେନ୍‌ ଫ୍ରାନ୍ସର ଟିଜିଭି ଏବଂ ଜାପାନର ଶିଙ୍କନାସେନ୍ ଘଣ୍ଟାପ୍ରତି ୨୫୦ କିମିରୁ ଅଧିକ ବେଗରେ ଯାତ୍ରା କରିବା ସାମର୍ଥ୍ୟ ରଖିଛନ୍ତି।

ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପରେ ଜାପାନୀ ପ୍ରଯୁକ୍ତିରେ ନିର୍ମିତ ଶିନ୍‌କାନସେନ୍ ଇ୫ ସିରିଜ୍‌ ଟ୍ରେନ୍‌ ଚଳାଚଳ କରିବ। ଏହି ଟ୍ରେନ୍‌ ଘଣ୍ଟାପ୍ରତି ୩୨୦ କିମି ପର୍ଯ୍ୟନ୍ତ ଗତିରେ ଯାତ୍ରା କରିପାରିବ। କିନ୍ତୁ ଦେଶରେ ଉକ୍ତ ଟ୍ରେନ୍‌ ନିର୍ମାଣ ହେବାପରେ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ‌ ହୋଇପାରିବ। ରେଳ ଅଧିକାରୀଙ୍କ କହିବାନୁଯାୟୀ, କେବଳ ଟ୍ରେନ୍‌ର ବେଗ ଉପରେ ପ୍ରାଧାନ୍ୟ ଦିଆଯାଉନାହିଁ। ପ୍ରଦର୍ଶନ ଉପରେ ମଧ୍ୟ କାର୍ଯ୍ୟ ଚାଲିଛି। ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ବେଗ ଶୂନରୁ ୧୦୦ କିମିରେ ପହଞ୍ଚାଇବା ପାଇଁ ୫୨ ସେକେଣ୍ଡ୍‌ ଲାଗିବ। ବର୍ତ୍ତମାନର ବୁଲେଟ୍‌ ଟ୍ରେନ୍‌ ତୁଳନାରେ ଏହା ଦୁଇ ସେକେଣ୍ଡ୍‌ କମ୍‌ ସମୟ ନେବ। ଚେନ୍ନାଇର ଆଇସିଏଫ୍‌ରେ ନିର୍ମାଣ ହେଉଥିବା ବନ୍ଦେ ଭାରତ ଟ୍ରେନ୍ ଭାରତର ଇଞ୍ଜିନିୟରିଂ କ୍ଷମତାକୁ ପ୍ରଦର୍ଶନ କରୁଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ଦୈର୍ଘ୍ୟ ୫୦୮ କିମି ରହିଛି। ଗତ ଜାନୁଆରିରେ ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବାବେଳେ ୩୦୦ କିମିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ନ୍ୟାସନାଲ୍‌ ହାଇସ୍ପିଡ ରେଲ୍‌ କର୍ପୋରେସନ୍ ଲିମିଟେଡ୍‌ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି।

ସମ୍ବନ୍ଧିତ ଖବର