ବିମାନ ସେବା ଠପ୍: ବର୍ଷା, ବନ୍ୟାରେ ଭାସିଲା ଦୁବାଇ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସରେ ମଙ୍ଗଳବାର ପ୍ରବଳ ଝଡ଼ବର୍ଷା ହେବା ଫଳରେ ଦୁବାଇରେ ଭୀଷର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦେଢ଼ ବର୍ଷରେ ଯେତିକି ବର୍ଷା ହେବା କଥା ମାତ୍ର କିଛି ଘଣ୍ଟା ମଧ୍ୟରେ ତା’ଠୁ ଅଧିକ ବର୍ଷା ହୋଇଛି। ଏଥି ଯୋଗୁଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁବାଇ ବନ୍ୟା ସ୍ଥିତି ପାଇଁ ୨୮ଟି ଭାରତୀୟ ବିମାନର ଉଡ଼ାଣ ରଦ୍ଦ ହୋଇଛି। ବିମାନବନ୍ଦରରେ ବହୁ ପରିବାର ଫସି ରହିଛନ୍ତି। ପାଣିପାଗ ବିଜ୍ଞାନ ରିପୋର୍ଟ ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଦୁବାଇରେ ପାଖାପାଖି ୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ମଙ୍ଗଳବାର ସକାଳ ୯ଟା ବେଳକୁ ଝଡ଼ତୋଫାନ ସହ ବର୍ଷା ବୃଦ୍ଧି ପାଇଥିଲା। ଦିନ ଶେଷ ବେଳକୁ ସହରରେ ୧୪୨ ମିଲିମିଟର (୫.୫୯ ଇଞ୍ଚ)ରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ସାଧାରଣତଃ ଦୁବାଇର ଅନ୍ତର୍ଜାତୀୟ ବିମାନବନ୍ଦରରେ ବାର୍ଷିକ ହାରାହାରି ୯୪.୭ ମିଲିମିଟର (୩.୭୩ ଇଞ୍ଚ) ବୃଷ୍ଟିପାତ ହୋଇଥାଏ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିମାନବନ୍ଦରର ଆଖପାଖ ରାସ୍ତା ଜଳମଗ୍ନ ହୋଇଯାଇଥିଲା ଏବଂ ବିଳାସପୂର୍ଣ୍ଣ କାର୍‌ରେ ଥିବା ଧନୀ ଡ୍ରାଇଭରମାନେ ବନ୍ୟାଗ୍ରସ୍ତ ରାସ୍ତାରେ ‘ଭାସୁଥିବା’ ଦେଖିବାକୁ ମିଳିଥିଲା। ପ୍ରସିଦ୍ଧ ବୁର୍ଜ ଖଲିଫା ଉପରେ ମଧ୍ୟ ଅନେକ ବଜ୍ରପାତ ହୋଇଥିଲା। ସହରର ଚାଳକବିହୀନ ମେଟ୍ରୋ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଷ୍ଟେସନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଦୈନିକ ଯାତାୟତ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ୟୁଏଇରେ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ଘରେ ରହି ଅନ୍‌ଲାଇନ୍ କାମ କରିବା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଉତ୍ତର ଏମିରେଟ୍ ରାସ ଅଲ୍-ଖଇମାରେ ବନ୍ୟା ପାଣିରେ ଭାସିଯିବାରୁ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ପଡ଼ୋଶୀ ଓମାନlj ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ସ୍କୁଲ ପିଲା ଓ ଜଣେ ବୟସ୍କ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଏକ ଗାଡିରେ ଯାତ୍ରା କରୁଥିବା ବେଳେ ଭାସି ଯାଇଛନ୍ତି।

ସମ୍ବନ୍ଧିତ ଖବର