ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର: ୧୦୨ ଆସନରେ ଶୁକ୍ରବାର ଭୋଟ୍‌

ଉତ୍ତରପୂର୍ବରେ ମୋଦୀ, କର୍ଣ୍ଣାଟକରେ ରାହୁଲଙ୍କ ପ୍ରଚାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ୧୯ ତାରିଖ ଦିନ ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୦୨ଟି ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହେବ। ଏଥର ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଜୁନ୍‌ ୧ରେ ମତଦାନ ପ୍ରକ୍ରିୟା ଶେଷ ହେବ ଏବଂ ଜୁନ୍‌ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିବସରେ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଦେଖିବାକୁ ମିଳିଛି। ଉଭୟ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟରେ ରୢାଲି, ରୋଡ୍‌ ସୋ ଏବଂ ଘରକୁ ଘର ପ୍ରଚାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଓ ତ୍ରିପୁରାରେ ୨ଟି ମେଗା ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କର୍ଣ୍ଣାଟକରେ ଦୁଇଟି ରୢାଲିରେ ଉଦ୍‌ବୋଧନ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେରଳରେ ୩ଟି ରୢାଲି କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଜି ଉତ୍ତରପ୍ରଦେଶର ଶାହରଣପୁରରେ ଏକାଧିକ ଜନସଭାରେ ଉଦ୍‌ବୋଧନ ଦେଇଛନ୍ତି।

ଆଜି ରାମ ନବମୀରେ ପଶ୍ଚିମବଙ୍ଗରେ ଉଭୟ ବିଜେପି ଏବଂ ଟିଏମ୍‌ସିର ଶୋଭାଯାତ୍ରା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ରାମ ନବମୀ ଶୋଭାଯାତ୍ରାକୁ ନେଇ ବିଭିନ୍ନ ସ୍ଥାନରେ ଉଭୟ ଦଳର ସମର୍ଥକ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ରାମ ନବମୀରେ ବିଜେପି ସମର୍ଥକମାନେ ହିଂସା ଘଟାଇପାରନ୍ତି ବୋଲି ଲୋକଙ୍କୁ ସତର୍କ କରାଇବା ପରେ ବିଜେପି ନେତାମାନେ ମମତାଙ୍କ ‘ତୁଷ୍ଟୀକରଣ ରାଜନୀତି’କୁ ଟାର୍ଗେଟ୍‌ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୨ଟି ଆସନ, ଆସାମର ୫ଟି ଆସନ, ବିହାରର ୪ଟି ଆସନ, ଛତିଶଗଡ଼ର ଗୋଟିଏ ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ମହାରାଷ୍ଟ୍ରର ୫ଟି ଆସନ, ମଣିପୁରର ୨ଟି ଆସନ, ମେଘାଳୟର ୨ ଆସନ, ମିଜୋରାମ, ନାଗାଲ୍ୟାଣ୍ଡ୍‌, ପୁଡୁଚେରି, ସକ୍କିମ ଏବଂ ଲକ୍ଷଦ୍ବୀପର ଗୋଟିଏ ଲେଖାଏ ଆସନ, ରାଜସ୍ଥାନର ୧୨ଟି ଆସନ, ତାମିଲନାଡ଼ୁର ସମସ୍ତ ୩୯ଟି ଆସନରେ ମତଦାନ ହେବ। ସେହିଭଳି ଉତ୍ତର ପ୍ରଦେଶର ୮ଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ପଶ୍ଚିମବଂଗର ୩ଟି ଆସନ, ଆଣ୍ଡାମାନ ଏବଂ ନିକୋବରର ଗୋଟିଏ ଆସନ, ଜମ୍ମୁ କାଶ୍ମୀରର ଗୋଟିଏ ଆସନ ଏବଂ ତ୍ରିପୁରାର ଗୋଟିଏ ଆସନ ‌ପାଇଁ ଭୋଟ୍‌ ଗ୍ରହଣ ହେବ। ଭୋଟ୍‌ ଗ୍ରହଣ ସୁରୁଖୁରୁରେ ସଂପାଦନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ଏବଂ ସମସ୍ତ ସମ୍ବେଦନଶୀଳ ବୁଥ୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର