‌ଏୟାରସେଲ୍‌ ପ୍ରତିଷ୍ଠାତାଙ୍କ ଅଭିଯୋଗ: ନେତାଙ୍କ ଚାପରେ କମ୍ପାନି ବିକିଥିଲି

ନୂଆଦିଲ୍ଲୀ: ଦଶନ୍ଧି ପୂର୍ବର ଭାରତ ଭିନ୍ନ ଥିଲା। ସେହି ସମୟରେ ସଫଳତା ଏକ ସମସ୍ୟା ଥିଲା। ସଫଳ ବ୍ୟବସାୟ ଉପରେ ବହୁତ ଚାପ ଥିଲା। କଥାରେ ରାଜି ନହେଲେ ବେପାର ଠପ୍ ହେବାର ଆଶଙ୍କା ଥିଲା। ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ମୁଁ ମୋ କମ୍ପାନି ହରାଇଥିଲି ବୋଲି ଟେଲିକମ୍ କମ୍ପାନି ଏୟାରସେଲ୍‌ର ପ୍ରତିଷ୍ଠାତା ସି ଶିବଶଙ୍କରନ୍ ଅଭିଯେଗ କରିଛନ୍ତି। ବର୍ତ୍ତମାନ କିନ୍ତୁ ସମୟ ବଦଳିଯାଇଛି। ଏବେ କେହି ଉଦ୍ୟୋଗୀଙ୍କ ଉପରେ ଚାପ ପକାଉନାହାନ୍ତି। କିଛି ବର୍ଷ ପୂର୍ବେ ସ୍ଥିତି ବହୁତ ଭିନ୍ନ ଥିଲା ବୋଲି ସେ ଏକ ଆଲୋଚନା ବେଳେ କହିଛନ୍ତି।

ଶିବଶଙ୍କରନ୍ କହିଛନ୍ତି ଯେ ଏୟାରସେଲ୍‌କୁ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିକ୍ରି କରିବାକୁ ମୋତେ ବାଧ୍ୟ କରାଯାଇଥିଲା। ୨୦୦୬ରେ ମାଲେସିଆର ଆନନ୍ଦ କ୍ରିଷ୍ଣନ ଏୟାରସେଲ୍‌ର ୭୪ ପ୍ରତିଶତ ଅଂଶଧନ କିଣିଥିଲେ। ସେହି ଡିଲ୍‌ରୁ ଶିବଶଙ୍କରନ୍‌ଙ୍କୁ ୩୪୦୦ କୋଟି ଟଙ୍କା ମିଳିଥିଲା। ଯଦି ସେ ଏଟିଆଣ୍ଡ୍‌ଟିକୁ ନିଜ କମ୍ପାନି ବିକିଥାନ୍ତେ ତେବେ ୮୩୦୦ କୋଟି ଟଙ୍କା ପାଇଥାନ୍ତେ ବୋଲି କହିଛନ୍ତି। ଏୟାରସେଲ୍‌କୁ କିଣିଥିବା ବ୍ୟକ୍ତି କମ୍ପାନିକୁ ଠିକ୍ ଭା‌ବେ ଚଳାଇ ପାରିନଥିଲେ। ୪୫୦୦ କୋଟି ଡଲାର କ୍ଷତି ସହିବା ସହ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଥିଲେ। ଆର୍ଥିକ ସମସ୍ୟା ପାଇଁ ୨୦୧୮ ଫେବ୍ରୁଆରି‌ରେ କମ୍ପାନି ବନ୍ଦ ହୋଇଯାଇଥିଲା। ଏହି ଅବସରରେ ‌େସ ରତନ ଟାଟାଙ୍କ ସହ ଏକ ବିମାନ ଯାତ୍ରା ସମୟରେ ମୃତ୍ୟୁର ନିକଟତର ହୋଇଥିବା ଅନୁଭୂତି ମଧ୍ୟ ବର୍ଣ୍ଣନା କରିଥିଲେ। ଥରେ ଏକ ଏୟାର ଇଣ୍ଡିଆ ବିମାନରେ ସିଙ୍ଗାପୁରରୁ ସିସିଲି ଯାତ୍ରା କରିବା ବେଳେ ବିମାନର ଗୋଟିଏ ଇଞ୍ଜିନ ଖରାପ ହୋଇଯାଇଥିଲା। ଦ୍ବିତୀୟ ଇଞ୍ଜିନ ଖରାପ ହେଲେ ବିମାନଟି ୩୦ ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଯିବ ବୋଲି ସେକ୍ରେଟେରି କହିଥିଲେ। ମୁଁ ଭୟଭୀତ ହୋଇ ମୋ ପାସ୍‌ୱାର୍ଡ ପୁଅ ପାଖକୁ ଇ-ମେଲ୍ କରିଥିଲି। କିନ୍ତୁ ରତନ ଟାଟା ଅବିଚଳିତ ଥିଲେ। ତାଙ୍କ ଚେହେରାରେ ମୃତ୍ୟୁର କୌଣସି ଭୟ ନଥିଲା। ପାଇଲଟ୍‌ଙ୍କ ଉପରେ ଭରସା ରଖ। ସେ ପ୍ରଥମେ ତାଙ୍କ କାମ କରନ୍ତୁ ବୋଲି ଟାଟା ତାଙ୍କୁ କହିବା ସହ ଧୈର୍ଯ୍ୟ ରଖିବାକୁ କହିଥିଲେ। ସୌଭାଗ୍ୟବସତଃ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ବୋଲି ଶିବଶଙ୍କରନ୍ କହିଛନ୍ତି।

୧୯୮୫‌ରେ ଟେନିସ୍ ତାରକା ବିଜୟ ଅମୃତରାଜଙ୍କ ବାପା ରବର୍ଟ ଅମୃତରାଜଙ୍କଠାରୁ ଷ୍ଟର୍ଲିଂ କମ୍ପ୍ୟୁଟରକୁ କିଣି ଶିବଶଙ୍କରନ୍ ଉଦ୍ୟୋଗୀ ଭାବେ ଯାତ୍ରା ଆରମ୍ଭ କରିଥିଲେ। ‌ସେହି ସମୟରେ ପିସି ଦାମ୍ ୮୮,୦୦୦ ଟଙ୍କା ଥିବା ବେଳେ ଶିବଶଙ୍କରନ୍ ୩୩,୦୦୦ ଟଙ୍କାରେ ପିସି ବିକ୍ରି ଆରମ୍ଭ କରିଥିଲେ। ସୁନିଲ ମିତ୍ତଲଙ୍କ କମ୍ପାନି ଭାରତୀ ଟେଲିକମ୍‌ର ୧୦ ପ୍ରତିଶତ ଅଂଶଧନ ହାସଲ କରିବା ପରେ ସେହି କମ୍ପାନିକୁ ଅଧିଗ୍ରହଣ କରିବାକୁ ସେ ଚେଷ୍ଟା କରିଥିଲେ। ମାତ୍ର ବୋର୍ଡରେ ତାଙ୍କୁ ବସିବାର ସୁଯୋଗ ନମିଳିବାରୁ କ୍ଷତିରେ ସେ ନିଜ ପାଖରେ ଥିବା ସେୟ‌ାର ବିକ୍ରି କରିଥିଲେ। ଏନ୍‌ରନ୍ ଇଣ୍ଡିଆର ଶକ୍ତି ବ୍ୟବସାୟକୁ ମାତ୍ର ଏକ ଟଙ୍କାରେ କିଣିବାକୁ ସେ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର