ଚୀନ୍‌ ଋଣ ଆପ୍‌ ପାଣ୍ଠି ଜବତ ହେବ

ନୂଆଦିଲ୍ଲୀ: ଠକେଇରେ ମାତିଥିବା ଚୀନ୍‌ର ଋଣ ଆପ୍‌ଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ସେମାନଙ୍କ ପାଣ୍ଠିକୁ ସମ୍ପୂର୍ଣ୍ଣ ଜବତ କରିବା ସହ ପଞ୍ଜୀକରଣ ରଦ୍ଦ କରିବା ଉପରେ ବିଚାର କରାଯାଉଛି। ଯେଉଁ ଆପ୍ ଠକେଇ କରିଥିବା ତଦନ୍ତରୁ ସ୍ପଷ୍ଟ ହେବ ସେମାନଙ୍କ ଉପରେ ଛାଟ ବାଜିବ। କିଛି ଦିନ ପୂର୍ବେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଜୋନାଲ ଶାଖା ପକ୍ଷରୁ ବିଭିନ୍ନ ଚୀନ୍ ଋଣ ଆପ୍‌ କଂପାନିଗୁଡ଼ିକ ଠିକଣାରେ ଚଢ଼ଉ ଓ ତଲାସୀ କରାଯାଇଥିଲା। ସେମାନେ ଠକେଇରେ ଲିପ୍ତ ଥିବା, ଲୋକଙ୍କୁ ହଇରାଣ କରୁଥିବା ଭଳି ଅଭିଯୋଗ ରହିଥିଲା। ସେମାନେ ମନି ଲଣ୍ଡରିଂ କରୁଥିବା ଅଭିଯୋଗ ହୋଇଆସୁଛି। ଲୋଭନୀୟ ଋଣର ଅଫର ଦେଇ ଏହି ଆପ୍‌ଗୁଡ଼ିକ ଅର୍ଥ ଆତ୍ମସାତ କରୁଥିଲେ। ସେହି ଜାଲରେ ପଡ଼ି ବହୁ ଲୋକ ହଇରାଣ ହୋଇଛନ୍ତି। ଚଢ଼ଉ ଶେଷ ହୋଇଥିବାରୁ ଜୋନ୍ ଟିମ୍‌ଗୁଡ଼ିକ ଶୀଘ୍ର ପ୍ରାଥମିକ ରିପୋର୍ଟ ଦାଖଲ କରିବେ ଏବଂ ୨-୩ ମାସରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇ ମନ୍ତ୍ରଣାଳୟ ପାଖକୁ ଯିବ। ସେହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କଂପାନି ନିୟମର ଧାରା ୪୪୭ ଅନୁସାରେ ଠକେଇରେ ଲିପ୍ତ ଥିବା ରାଶିର ତିନି ଗୁଣା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ। ବେଆଇନ ଋଣ ଆପ୍‌ଗୁଡ଼ିକ ଉପରେ ଲଗାମ କଷିବା ଲାଗି‌ ସେଗୁଡ଼ିକୁ ବ୍ଲକ୍ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ କୁହାଯାଇଛି। ଋଣ କଂପାନିଗୁଡ଼ିକ ଲାଗି କେୱାଇସି ନିୟମ କଡ଼ାକଡ଼ି କରିବାକୁ ମଧ୍ୟ ରିଜର୍ଭ ବ୍ୟାଙ୍କକୁ କୁହାଯାଇଛି।

ସମ୍ବନ୍ଧିତ ଖବର