୭ ଦିନରେ ଆସିବ ଡିପ୍‌ଫେକ୍‌ ନିୟମ

ନୂଆଦିଲ୍ଲୀ: ଡିପ୍‌ଫେକ୍ ଭିଡ଼ିଓ ଦେଶ ଲାଗି ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସିନେ ଜଗତର ବଡ଼ ଅଭିନେତ୍ରୀ ଓ କ୍ରିକେଟ୍‌ ଜଗତର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ଅନେକ ଏହାର ଶିକାର ହୋଇଛନ୍ତି। ଏହି ସଙ୍କଟକୁ ରୋକିବା ଲାଗି ସାତ ଦିନ ଭିତରେ ଏକ ନୂଆ ନିୟମ ଆଣିବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର‌ଶେଖର କହିଛନ୍ତି ଯେ ଡିପ୍‌‌ଫେକ୍‌କୁ ରୋକିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଥିବା ନୂଆ ଆଇଟି ନିୟମକୁ ୭-୮ ଦିନ ଭିତରେ ଘୋଷଣା କରାଯିବ। ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଲାଗି ତାହାକୁ ବାଧ୍ୟତାମୂଳକ କରାଯିବ। କେଉଁ କଂପାନି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଭିନେତ୍ରୀ ରଶ୍ମିକା ମନ୍ଦାନା ଡିପ୍‌ଫେକ୍‌ର ଶିକାର ହେବା ଏବଂ ସେଥିରେ ତାଙ୍କୁ ଦେଶର ବହୁ ବଡ଼ ବଡ଼ ଲୋକ ସମର୍ଥନ କରିବା ପରେ ଏହି ସମସ୍ୟା କେତେ ଜଟିଳ ତାହା ସାମ୍ନାକୁ ଆସିଥିଲା। ଡିପ୍‌ଫେକ୍‌ର ଗମ୍ଭୀରତାକୁ ସରକାର ତତ୍କାଳ ହୃଦୟଙ୍ଗମ କରିବା ସହ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ କଂପାନିଗୁଡ଼ିକର ପ୍ରତିନିଧିମାନଙ୍କ ସହ ଦୁଇଟି ବୈଠକରେ ଆଲୋଚନା କରାଯାଇଥିଲା। ଏହି ସମସ୍ୟା ଗମ୍ଭୀର ବୋଲି ସାମାଜିକ ଗଣମାଧ୍ୟମଗୁଡ଼ିକ ମଧ୍ୟ ସ୍ବୀକାର କରିଥିଲେ ଏବଂ ନିୟମ ପାଳନରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଡିପ୍‌ଫେକ୍‌କୁ ନେଇ ସରକାର କଠୋର ରହିଛନ୍ତି।

ଡିପ୍‌ଫେକ୍‌ କ’ଣ?
ଡିପ୍‌ଫେକ୍‌ ଶବ୍ଦକୁ ପ୍ରଥମେ ୨୦୧୭ରେ ବ୍ୟବହାର କରାଯାଇଥିଲା। ଏହା ହେଉଛି ଅସଲି ଭଳି ଲାଗୁଥିବା ନକଲି ଭିଡିଓ, ଛବି କିମ୍ବା ସ୍ବର। ସେଥିରେ ଅନ୍ୟ ଜଣେ ବ୍ୟକ୍ତି ବିଶେଷ କରି ଚର୍ଚ୍ଚିତ ବ୍ୟକ୍ତିଙ୍କ ସ୍ବର, ଚେହେରା ଓ ଶରୀରକୁ ଅବିକଳ ନକଲ କରାଯାଇଥାଏ। କୌଣସି ଏକ ଅସଲି ଭିଡିଓକୁ ଆଣି ସେଥିରେ ଅନ୍ୟ ଜଣକ ଚେହେରା, ସ୍ବର ଓ ଛବି ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବା ଭିଡିଓକୁ ଡିପ୍‌ଫେକ୍ ଭିଡିଓ କୁହାଯାଉଛି। ସେଥିରେ ବ୍ୟକ୍ତି ଜଣକ କହୁଥିବା କଥା ସମ୍ପୂର୍ଣ୍ଣ ନକଲି। କିନ୍ତୁ ତାହାକୁ ଦେଖୁଥିବା ଲୋକ ଭାବିବେ ‌ଯେ ସେ ଅସଲି ଭିଡିଓ ଦେଖୁଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତି ଉନ୍ନତ ହେବା ପରେ ଡିପ୍‌ଫେକ୍‌ ଆହୁରି ଶକ୍ତିଶାଳୀ ହୋଇପଡ଼ିଛି। ଡିପ୍‌ଫେକ୍ ଭିଡିଓ ଜରିଆରେ ସମାଜରେ ହିଂସା ଓ ଘୃଣା ସୃଷ୍ଟି କରିବା‌, ଯେକୌଣସି ବ୍ୟକ୍ତିର ସମ୍ମାନ ପ୍ରତି ଆଞ୍ଚ ଆଣିବା କାମ କରାଯାଇପାରେ।

ସମ୍ବନ୍ଧିତ ଖବର