କାନାରା ବ୍ୟାଙ୍କର ନୂଆ ଉତ୍ପାଦ ଓ ସେବା

ଭୁବନେଶ୍ୱର: କାନାରା ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ତରଫରୁ ଗ୍ରାହକ ଅଭିଜ୍ଞତାର ମାନବୃଦ୍ଧି ତଥା ବ୍ୟାଙ୍କିଂ କାର୍ଯ୍ୟକୁ ଅଧିକ ସହଜ ଓ ସରଳ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ବିଭିନ୍ନ ଉତ୍ପାଦ ଓ ସେବାର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ଟିପିଏ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ନିଜର କିମ୍ବା ଆଶ୍ରିତ ଯେ କୌଣସି ବ୍ୟକ୍ତିଙ୍କ ବଳକା ହସ୍‌ପିଟାଲ ଖର୍ଚ୍ଚକୁ ଭରଣା କରିବା ପାଇଁ ବ୍ୟାଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଯତ୍ନ ସମ୍ପର୍କିତ ଋଣ ଉତ୍ପାଦ ‘କାନାରା ହିଲ୍‌’ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମହିଳାଙ୍କ ପାଇଁ କ୍ୟାନସର କେୟାର ପଲିସି ସଞ୍ଚୟ ଖାତା ‘କାନାରା ଆଞ୍ଜେଲ୍‌’ର ଆରମ୍ଭ କରାଯାଇଛି। ଏଥିସହ ପୂର୍ବ-ଅନୁମୋଦିତ ବ୍ୟକ୍ତିଗତ ଋଣ ‘କାନାରା ରେଡି କ୍ୟାସ’ର ଏବଂ ମିଆଦୀ ଜମା ଉତ୍ପାଦ ‘କାନାରା ମାଇଁ ମନି’ ବିପକ୍ଷରେ ଅନ୍‌ଲାଇନ୍ ଋଣ ଆଦିର ମଧ୍ୟ ଶୁଭାରମ୍ଭ ହୋଇଛି।

ଏହି ଉଦ୍‌ଘାଟନ ସମାରୋହରେ କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭବେନ୍ଦ୍ର କୁମାରଙ୍କ ସମେତ ରାଜ୍ୟ ମୁଖ୍ୟ ଜଗଦୀଶ ଚନ୍ଦର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ଉତ୍ପାଦଗୁଡିକର ପ୍ରମୁଖ ବିଶେଷତ୍ୱଗୁଡିକ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସମ୍ବାଦକୁ ସୂଚନା ଦେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କୁମାର କହିଥିଲେ, ରାଜ୍ୟରେ ଏବେ ବ୍ୟାଙ୍କର ୨୭୧ଟି ଶାଖା ଏବଂ ୨୨୫ଟି ଏଟିଏମ୍ ରହିଛି। ଚଳିତବର୍ଷ ୫ଟି ନୂଆ ଶାଖା ଖୋଲାଯାଇଥିବାବେଳେ ଆଉ ୫ରୁ ୧୦ଟି ନୂଆ ‌ଶାଖା ଖୋଲାଯିବା ଯୋଜନା ରହିଛି। ଏଥିସହିତ କାନାରା ବ୍ୟାଙ୍କ ସୁନା ଋଣ ସମେତ ରିଟେଲ, କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନକୁ ସର୍ବାଧିକ ଗୁରୁତ୍ବ ଦେଉଛି। ଡିଜିଟାଲ୍‌ ଏବଂ ଇଣ୍ଟରନେଟ୍‌ ବ୍ୟାଙ୍କିଂରେ ଉନ୍ନତ ଅନୁଭୂତି ଦେବାଲାଗି ବ୍ୟାଙ୍କ ଅନେକ ପଦକ୍ଷେପ ନେଇଥିବା ଶ୍ରୀ କୁମାର କହିଥିଲେ।

ସମ୍ବନ୍ଧିତ ଖବର