୨ ହଜାର ଟଙ୍କିଆ ନୋଟ ମୁଦ୍ରଣ ହ୍ରାସ କଲା ରିଜର୍ଭ ବ୍ୟାଙ୍କ, କିନ୍ତୁ ବନ୍ଦ ହେବ ନାହିଁ 

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ ଛାପିବା କମାଇଦେଇଛନ୍ତି । ଏବେ ଏହାର ମୁଦ୍ରଣ ସର୍ବନିମ୍ନ ସ୍ତରରେ ରହିଛି ବୋଲି ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେ କହିଛନ୍ତି ବିଭିନ୍ନ ଦିଗକୁ ବିଚାରକୁ ନେଇ ମୁଦ୍ରା ଚଳନର ମାତ୍ରା ସଂପର୍କରେ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଥାଏ । ଗତ ୨୦୧୬ ନଭେମ୍ବର ୮ରେ ସରକାର ବିମୁଦ୍ରିକରଣ ଘୋଷଣା କରିବା ପରେ ନୂଆକରି ୨୦୦୦ ଟଙ୍କିଆ ନୋଟର ପ୍ରଚଳନ କରିଥିଲେ ।  ସେତେବେଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା । ଗାଁ ଗହଳିରେ ଏହି ନୋଟକୁ ଭଙ୍ଗାଇବା ନେଇ ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଥିଲା ।

କିନ୍ତୁ ଏବେ ବଜାରରେ ଯଥେଷ୍ଟ ପରିମାଣରେ ଅନ୍ୟ ମୂଲ୍ୟର ନୋଟ ମହଜୁଦ ଥିବାରୁ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ ଛପା କମାଇଦେଇଛି । ଆହୁରି ମଧ୍ୟ ୨ ହଜାର ଟଙ୍କା ଆକାରରେ ଯେପରି ଅଧିକ କଳାଧନ  ମହଜୁଦ ହୋଇ ନ ହୁଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ତେବେ ଏହାର ଅର୍ଥ ନୁହେଁ ଯେ ୨ ହଜାର ଟଙ୍କାର ପ୍ରଚଳନ ବନ୍ଦ କରାଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।  ତେବେ  ପୁଣି ଥରେ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ସଂପର୍କରେ ସରକାରଙ୍କ ତରଫରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

ସମ୍ବନ୍ଧିତ ଖବର