ଟମାଟୋ ଦର କମିଲା : ମହୀଶୂରରେ କିଲୋ ପିଛା ୧୪ ଟଙ୍କା, ଭୁବନେଶ୍ବରରେ ୪୦

ନୂଆଦିଲ୍ଲୀ: କିଛି ସପ୍ତାହ ପୂର୍ବେ କେଜି ପିଛା ୨୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦାମ୍ ଏବେ ୧୪ ଟଙ୍କା ଭଳି ନିମ୍ନ ସ୍ତରକୁ ଖସିଆସିଛି। ବିଭିନ୍ନ ସ୍ଥାନରେ ଟମାଟୋ ଦାମ୍ ଏବେ ୧୪-୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଭୁବନେଶ୍ବରରେ ଟମାଟୋ କେଜି ୩୦-୪୦ ଟଙ୍କା ରହିଛି। କର୍ଣ୍ଣାଟକରେ କେଜି ପିଛା ୨୦ ଟଙ୍କାରେ, ମହୀଶୂରର ପାଇକାରୀ ବଜାରରେ ଟମାଟୋର କେଜି ପିଛା ଦାମ୍ ରବିବାର ୧୪ ଟଙ୍କା ଥିଲା। ଶନିବାର ତାହା ୨୦ ଟଙ୍କାରେ ବିକ୍ରି ହେଉଥିଲା। ଖୁଚୁରା ବଜାରରେ କିନ୍ତୁ ଟମାଟୋ ୩୦-୩୫ ଟଙ୍କାରେ ବିକ୍ରି ହେଉଛି। ବଜାରକୁ ନୂଆ ଫସଲ ଆସିବା ପରେ ଟମାଟୋ ମୂଲ୍ୟରେ ୯୦ ପ୍ରତିଶତ ଭଳି ହ୍ରାସ ଘଟିଛି। ନେପାଳରୁ ଟମାଟୋ ଆମଦାନି କରାଯିବା ପରେ ଉତ୍ତର ଭାରତ ରାଜ୍ୟଗୁଡ଼ିକରେ ଟମାଟୋ ଶସ୍ତା ହୋଇଛି। ପାଇକାରୀ ବଜାରରେ ଟମାଟୋ ୫-୧୦ ଟଙ୍କାରେ ବିକ୍ରି ହେଉଛି।

ଗତ ଜୁଲାଇରେ ହଠାତ୍‌ ଟମାଟୋ ଦାମ୍ ବଢ଼ିଯାଇଥିଲା। କିଛି ଦିନ ଭିତରେ ତାହାର ଦାମ୍‌ ୨୦୦ ଟଙ୍କା ଟପିଯିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାର ଓ ରିଜର୍ଭ ବ୍ୟାଙ୍କ ସମସ୍ତେ ଚିନ୍ତିତ ହୋଇପଡ଼ିଥିଲେ। ଟମାଟୋ ଦରବୃଦ୍ଧି ଆନ୍ଧ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକରେ କିଛି ଚାଷୀଙ୍କୁ କୋଟିପତି ମଧ୍ୟ କରିଦେଇଥିଲା। ଅଳ୍ପ କିଛି ଦିନ ଭିତରେ ଟମାଟୋ ଦାମ୍ ୧୪ ଟଙ୍କାକୁ ଖସିଆସିବାରୁ ଚାଷୀମାନେ କ୍ଷତି ସହିବେ ବୋଲି କୁହାଯାଉଛି। କାରଣ ଟମାଟୋର କେଜି ପିଛା ଉତ୍ପାଦନ ଖର୍ଚ୍ଚ ୧୦-୧୨ ଟଙ୍କା ରହୁଛି। ସେଥିରେ ୩ ଟଙ୍କାର ପରିବହନ ଖର୍ଚ୍ଚ ଯୋଡ଼ି ୧୪ ଟଙ୍କାରେ ବିକ୍ରି କଲେ ଚାଷୀଙ୍କୁ କୌଣସି ଲାଭ ମିଳିବ ନାହିଁ। ଏହା ବ୍ୟତୀତ ପ୍ୟାକେଜିଂ, ସଂରକ୍ଷଣ ଓ ବିକ୍ରି ଖର୍ଚ୍ଚ ବି ଅଲଗା ରହିଛି।

ସମ୍ବନ୍ଧିତ ଖବର