ଏଚଆଇଭି ସଂକ୍ରମିତ ଜାଣି ରୋଗୀଙ୍କୁ ଚାପୁଡ଼ା ମାରିଲେ ଡାକ୍ତର, ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହେଲେ

ଇନ୍ଦୋର: ଏଚଆଇଭି ସଂକ୍ରମିତ ଜାଣି ରୋଗୀଙ୍କୁ ଚାପୁଡ଼ା ମାରିଲେ ଡାକ୍ତର। ଭିଡିଓ ଭାଇରାଲ ହେବା ପରେ କରାଗଲା ନିଲମ୍ବିତ। ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଏଭଳି ଘଟଣା। ମହାରାଜା ଯଶବନ୍ତରାଓ ହସ୍ପିଟାଲର ଜୁନିଅର ଡାକ୍ତର ଏଭଳି କରିଥିବା ବେଳେ ଏବେ ତାଙ୍କୁ ଏଭଳି ବ୍ୟବହାର ପାଇଁ ନିଲମ୍ବିତ କରାଯାଇଛି। ରୋଗୀଙ୍କୁ ଚାପୁଡ଼ା ମାରିବାର ଭିଡିଓ ସାମ୍ନାକୁ ଆସିବା ପରେ ଡାକ୍ତରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଏଚଆଇଭିରେ ପୀଡିତ ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତି ଏକ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ଆହତଙ୍କୁ ପ୍ରଥମେ ଉଜ୍ଜୈନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଭଙ୍ଗା ହାଡର ଚିକିତ୍ସା ପାଇଁ ପୀଡ଼ିତଙ୍କୁ ମହାରାଜା ଯଶବନ୍ତରାଓ ହସ୍ପିଟାଲକୁ ଅଣାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ଆକାଶ କୌଶଲ ଆସି ରୋଗୀର ରିପୋର୍ଟ ଯାଞ୍ଚ କରିବା ସମୟରେ ସେ ଏଚଆଇଭି ସଂକ୍ରମିତ ବୋଲି ଜାଣିଥିଲେ । ପୂର୍ବରୁ କାହିଁକି ଜଣାଇଲ ନାହିଁ ବୋଲି କହି ରାଗିଯିବା ସହ ରୋଗୀଙ୍କୁ ଚାପୁଡା ଉପରେ ଚାପୁଡା ମାରିଥିଲେ ଡାକ୍ତର ଆକାଶ ।

ଏହି ଘଟଣା ଘଟିବା ସମୟରେ କେହି ଜଣେ ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଡାକ୍ତର ଆକାଶ କୌଶଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରାଯାଇଛି ।

ସମ୍ବନ୍ଧିତ ଖବର