ପାଟ୍ରୋଲିଂ ବେଳେ ଓଲଟିଲା ପିସିଆର ଭ୍ୟାନ, ୪ ପୁଲିସ କର୍ମୀ ଗୁରୁତର

ରାଉରକେଲା: ପୁଲିସ ପାଟ୍ରୋଲିଂ ସମୟରେ ପିସିଆର ଭ୍ୟାନ ଘଟି ତଳକୁ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଚାରି ପୁଲିସ କର୍ମୀ ଆହତ ହୋଇଥିବାବେଳେ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସମସ୍ତ ଆହତଙ୍କୁ ସେକ୍ଟର ୧୯ ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ଭୋର ୫ଟା ସମୟରେ, ଟେନ୍ସା ଘାଟିରେ ପୁଲିସ ତରଫରୁ ପାଟ୍ରୋଲିଂ ହେଉଥିବା ସମୟରେ ଗାଡ଼ିର ଷ୍ଟିୟରିଂ ଜାମ ହୋଇଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଯାହା ଫଳରେ ପୁଲିସ ଗାଡ଼ିଟି ପାହାଡ ତଳକୁ ଖସିପଡିଥିଲା। ଏହି ଗାଡିରେ ଚାରିଜଣ ପୁଲିସ କର୍ମଚାରୀ ଥିଲେ।

ସେମାନେ ହେଲେ ଓଆଇସି ଟେନସା ଆଉଟପୋଷ୍ଟ ସବଇନ୍ସପେକ୍ଟର ରାମଚନ୍ଦ୍ର ମାହାତୋ, କନେଷ୍ଟବଳ ଜିତେନ୍ଦ୍ର ରାଉତରାୟ, ହୋମଗାର୍ଡ ସୁଦର୍ଶନ ଦେହୁରୀ ଓ ଡ୍ରାଇଭର ନୀଳମଣି ପ୍ରଧାନl ନୀଳମଣିଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟ ୩ ଜଣ ପୁଲିସ କର୍ମୀଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର