ପର୍ଶୁରାମଙ୍କ ଫଟୋଚିତ୍ର ହଟାଇବା ଘଟଣା: ଅଗଷ୍ଟ ୩ ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର: ପଟଣାଗଡ଼ ବ୍ରହ୍ମପୁରା ଛକଠାରେ ଥିବା ପର୍ଶୁରାମଙ୍କ ଫଟୋଚିତ୍ରକୁ ହଟାଇ ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଘଟଣାକୁ ତୀବ୍ର ବିରୋଧ କରାଯାଇଛି। ଏହାର ବିରୋଧରେ ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଆସନ୍ତା ଅଗଷ୍ଟ ୩ ତାରିଖ ଦିନ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି। ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏହି ବନ୍ଦକୁ ସମର୍ଥନ ଜଣାଇଥିବା ସୂଚନା ରହିଛି। ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ଏଥିରେ ପାଟଣାଗଡ଼, ବେଲପଡ଼ା, କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ଉପଖଣ୍ଡରୁ ଆସିଥିବା ପ୍ରତିନିଧିମାନଙ୍କ ସମେତ ବଭିନ୍ନ ସାମାଜିକ ଓ ରାଜନୈତିକ  ସଙ୍ଗଠନର ପ୍ରତିନିଧି ଉପସ୍ଥିତଥିଲେ।

ପାଟଣାଗଡ଼ ବ୍ରହ୍ମପୁରାସ୍ଥିତ ପର୍ଶୁରାମ ଛକରେ ପୂଜା ପାଉଥିବା ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ରକୁ ସେଠାରୁ ହଟାଇଦେଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା। ବଲାଙ୍ଗୀର ହିନ୍ଦୁ ସମାଜ ନିଜ ତଥା ଜାତିର ଅସ୍ମିତା ବଜାୟ ରଖିବା ସହ ସରକାରଙ୍କ ଦାୟିତ୍ୱକୁ ଚେତାଇ ଦେବା ପାଇଁ ଆନ୍ଦୋଳନତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛି। ଆସନ୍ତା ଅଗଷ୍ଟ ୩ ତାରିଖ ଦିନ ସାରା ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ, ଯାନବାହନ ଚଳାଚଳ ବନ୍ଦ ରହିବ ବୋଲି ମଞ୍ଚ ପକ୍ଷରୁ କହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବ୍ୟବସାୟୀ ସଂଘ ପକ୍ଷରୁ କିଶୋର ରଥ, ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ର, ବିଜେପିରୁ ଦୀନେଶ ଶର୍ମା, କଂଗ୍ରେସ ନଗର ସଭାପତି ବୁଲୁ ଦାନୀ, ପାଟଣାଗଡରୁ ସୁଶୀଲ ଗୁରୁ, ବେଲପଡ଼ା ଓ କଣ୍ଟାବାଞ୍ଜିରୁ ଜିତେନ୍ଦ୍ର ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ବରିଷ୍ଠ ଆଇନଜୀବୀ ଭବାନୀ ଶତପଥୀ, ଏକ୍ସନ କମିଟି ଉପସଭାପତି ମୁନା ପଟ୍ଟନାୟକ, ବିଜେପିର ରଞ୍ଜିତା ପାଣିଗ୍ରାହୀ, ରଶ୍ମିରେଖା ଦାନୀ, ସରିତା ଯୋଶୀ, ବନଶ୍ରୀ ଆଚାର୍ଯ୍ୟ, ବେଲପଡ଼ାରୁ ଦୀପକ ଅଗସ୍ତି, ପାଟଣାଗଡ଼ରୁ ବିଶ୍ୱଜିତ ହୋତା, ପ୍ରସନ୍ନ ଠାକୁର, ନୀଳାମ୍ବର ପାଣିଗ୍ରାହୀ, ବୀରେନ୍ଦ୍ର ପାଣ୍ଡେ, ବଜରଙ୍ଗ ଦଳରୁ ସୌମ୍ୟରଞ୍ଜନ ମିଶ୍ର, ଲୋପନ ମିଶ୍ର, ଜୁଲୁ ପଟ୍ଟନାୟକ, ହରିଓମ ପଟେଲ, ଏକ୍ସନ କମିଟିର ସନ୍ତୋଷ ସାହୁ, ଗିରୀଶ ସିଂହଦେଓ, ଯୁବ ସଭାପତି ବିନୋଦ କାଳସାଏ, ଅନୁରାଗୀ ନାହାକ, ସୁନୀଳ ମିଶ୍ର, ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର