ପୁଣି ବାର୍‌ହା ଫାଶରେ ପଡ଼ିଲା ଭାଲୁଛୁଆ:ବନ ବିଭାଗ ନାକେଦମ୍‌

ଟ୍ରାଙ୍କୁଲାଇଜ୍‌ କରି ଉଦ୍ଧାର କଲେ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନସ୍ଥ କେପି ଲାଖରାଜ ପଞ୍ଚାୟତର ନୂଅାସାହି ଗ୍ରାମମୁଣ୍ଡରେ ଗତକାଲି ରାତିରେ ବାରହା ଫାଶରେ ଏକ ଭାଲୁଛୁଆ ପଡ଼ିଯାଇଥିଲା। ବନବିଭାଗ ଚେଷ୍ଟା କରି ଉଦ୍ଧାର କରିନପାରିବାରୁ ଶିମିଳିପାଳରୁ ଟ୍ରାଙ୍କୁଲାଇଜିଂ ଟିମ୍ ଆସି ଭାଲୁଟିକୁ ଉଦ୍ଧାର କରିଥିଲେ।
ସୂଚନା ଅନୁସାରେ, ସ୍ବର୍ଣ୍ଣଚୂଡ଼ ପାହାଡ଼ତଳି ଚାଷଜମି ଉପରେ ଶିକାରୀମାନେ ବାର୍‌ହା ଧରିବା ଉଦ୍ଦେଶ୍ୟରେ ଫାଶ ବସାଇଥିଲେ। ତେବେ ଏହି ଫାଶରେ ୨ ବର୍ଷର ଭାଲୁଛୁଆଟି ପଡ଼ିଯାଇଥିଲା। ରାତିତମାମ ଭାଲୁଟି ଜୀବନ ବଞ୍ଚାଇବା ପାଇଁ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ଫାଶରୁ ମୁକୁଳି ପାରି ନଥିଲା। ଅାଜି ସକାଳେ ନୂଅାସାହି ଗ୍ରାମର ଜନୈକ ବ୍ୟକ୍ତି ବିଲକୁ ଯାଇ ଏହା ଦେଖିବାକୁ ପାଇଥିଲେ। ଗ୍ରାମବାସୀମାନେ ଘଟଣା ସଂପର୍କରେ ନୀଳଗିରି ବନବିଭାଗକୁ ଖବର ଦେଲା ପରେ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀମାନେ ପହଞ୍ଚି ଭାଲୁଛୁଅାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଭାଲୁଟିକୁ ଉଦ୍ଧାର କାର୍ଯ୍ୟରେ ନୀଳଗିରି ରେଞ୍ଜର ସୁକୁମାର ଦାସ, ବନ୍ୟଜନ୍ତୁ ୱାର୍ଡେନ ପ୍ରକାଶ ମର୍ଦ୍ଦରାଜ, ଫରେଷ୍ଟର ଦେବରାଜ ରାଉତ, ଗଣେଶ ପ୍ରସାଦ ଲେଙ୍କା, ଫରେଷ୍ଟ ଗାର୍ଡ ଦୁଷ୍ମନ୍ତ ଜେନା ସମେତ ୧୫ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ସାମିଲ ଥିଲେ। ଘଟଣା ସଂପର୍କରେ ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କୁ ଅବଗତ ଗଲା ପରେ ଶିମିଳିପାଳ ଅଭୟାରଣ୍ୟରୁ ୨ ଜଣିଅା ଟ୍ରାଙ୍କୁଲାଇଜର ଟିମ୍ ଡା. ପିୟୁଷ ସୋରେନ, ଡା. ହୋମିଥ୍‌ଙ୍କୁ ଡକାଯାଇଥିଲା। ସେମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଟ୍ରାଙ୍କୁଲାଇଜର ସାହାଯ୍ୟରେ ଅଚେତ କରିଥିଲେ। ଭାଲୁଟି ଫାଶରେ ପଡ଼ି ବେକ ଓ ମୁହଁରେ କ୍ଷତାକ୍ତ ହୋଇଥିଲା। ତା’ର ସ୍ବାସ୍ଥ୍ୟ ପରୀକ୍ଷା କଲା ପରେ ଜଙ୍ଗଲରେ ନେଇ ଛାଡ଼ି ଦିଅାଯାଇଥିଲା।
ସୂଚନାଯୋଗ୍ୟ ଯେ, ନୀଳଗିରି ଅଞ୍ଚଳରେ ୨ ମାସ ଭିତରେ ୩ଟି ଭାଲୁ ବାରହା ଫାଶରେ ପଡ଼ି ବନବିଭାଗ ଦ୍ବାରା ଉଦ୍ଧାର ହୋଇଛନ୍ତି। ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳୁଥିଲେ ସୁଦ୍ଧା ଶିକାରୀମାନଙ୍କ ବିରୋଧରେ ବନବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏ ଦିଗରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର