ଗନ୍ଧରାଡ଼ି ଲୋକକଳା ମହୋତ୍ସବ ଉଦ୍‌ଯାପିତ

ଜହ୍ନାପଙ୍କ: ଗତ ରବିବାରଠାରୁ ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଐତିହାସିକ ଗନ୍ଧରାଡ଼ି ପୀଠ ନିକଟ ଜଗତି ହାଇସ୍କୁଲ ପଡ଼ିଆରେ ଚାଲିଥିବା ତୃତୀୟ ଗନ୍ଧରାଡ଼ି ଲୋକକଳା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଗୁରୁବାର ଉଦ୍‌ଯାପିତ ହୋଇଛି। ଏହି ଅବସରରେ ସନ୍ଧ୍ୟାରେ କିମିଟି ସଭାପତି ଅଶୋକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟଅତିଥି, ବୌଦ୍ଧ ଏନ୍‌ଏସି ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ବୌଦ୍ଧ ପିଏସ୍‌ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ ସମ୍ମାନିତ ଅତିଥି, ପ୍ରାକ୍ତନ ପ୍ରାଧ୍ୟାପକ ଜ୍ୟୋତିରଞ୍ଜନ ବହିଦାର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଶମ୍ଭୁ ଗିରି ବିବରଣୀ ପାଠ କରିଥିଲେ। ବୌଦ୍ଧ ସଂଗୀତାୟନର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସନ୍ତୋଷ କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ।

ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଆଦର୍ଶ ଶିକ୍ଷକ ସହଦେବ ବାରିକ, ସ୍ୱପ୍ନେଶ୍ବର ପ୍ରଧାନ, ସ୍ୱେଚ୍ଛାକୃତ ରକ୍ତଦାତା ଜଗଦୀଶ ବାରିକ, ସଫଳ ଚାଷୀ ଗଦାଧର ମହାକୁଳ, ଯୁବ ଚିକିତ୍ସକ ନିରୋଜ ସାହୁ, ନ୍ୟାୟିକ ସେବାରେ ସୁଶ୍ରୀ ଦୀପିକା ବଡ଼ମାଳୀ, ସାମ୍ୱାଦିକତାରେ ସୁଧାଂଶୁ ଶେଖର ମିଶ୍ର, ସଫଳ କ୍ରୀଡ଼ାବିତ୍‌ ସୁବ୍ରତ ପୁରୋହିତ, ସକ୍ରିୟ ସଭ୍ୟ ମୋହନ ସାହୁ, ଶିକ୍ଷାର୍ଥୀ ଭାବେ ମାଟ୍ରିକ ସୁଦାମ ମେହେର, +୨ରେ ଶ୍ରାବଣୀ ନାଏକ, ସ୍ନାତକରେ ଲୋପାମୁଦ୍ରା ବେହେରା, ପିଜିରେ ସୁଶ୍ରୀ ପ୍ରିୟଙ୍କା ରଣାଙ୍କୁ ସମ୍ମାନିତ କରାଯାଇଥିଲା। ଏହା ପରେ ଅସୁରଗଡ଼, ଗଡ଼ଜାତ, ଭୈରବୀ, ବାଉଁଶୁଣି ଓ ଗନ୍ଧରାଡ଼ି ଲୋକକଳା ମହୋତ୍ସବ କମିଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗନ୍ଧରାଡ଼ି କଲେଜ, ଗନ୍ଧରାଡ଼ି କଳାପରିଷଦ, ଜଗତି ହାଇସ୍କୁଲ, କମିରା ସ୍କୁଲ, ଜହ୍ନାପଙ୍କ ହାଇସ୍କୁଲ, ତେଲିବନ୍ଧ ହାଇସ୍କୁଲ, ଗେହ୍ଲା ମା ବୌଦ୍ଧ, ବଡ଼ବନ୍ଧ କନ୍ୟାଶ୍ରମ, ଆଶା ଫାଉଣ୍ଡେସନ ଛାତ୍ରଛାତ୍ରୀମାନଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। କଣ୍ଠଶିଳ୍ପୀ ତୃପ୍ତି ମହାରଣା, ଧର୍ମେନ୍ଦ୍ର ପ୍ରଧାନ, ସନ୍ତୋଷ ଦାସ, ସୁଜ୍ଞାନ ବାଘ, ମାଧବ ଓ ପ୍ରସନ୍ନ ସମ୍ବଲପୁରୀ ଗୀତରେ ଦର୍ଶକ ମଞ୍ଚ ଦୁଲୁକିଥିଲା। ମହୋତ୍ସବକୁ ଆର୍କଷଣୀୟ କରିବାକୁ ମିନାବଜାର ସାଙ୍ଗକୁ ଚଟପଟି ଖାଦ୍ୟ ପସରା ଖୋଲିଛି। ସାଂସ୍କୃତିକ ମଞ୍ଚକୁ ବିଶ୍ୱଜିତ ସାହୁ, ଜଗନ୍ନାଥ ସାହୁ, ପ୍ରଭାତ ଜେନା, ବିଦୁସ୍ମିତା ବେହେରା, ବର୍ଷା ନାଏକ ପରିଚାଳନା କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର ଓ ଶବର ସେଠୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜଗତି ଗ୍ରାମବାସୀ, ମହୋତ୍ସବ କମିଟିର ସମସ୍ତ ସଭ୍ୟ ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର