ଇନ୍‌ଫୋସିଟି ଥାନା ନାବାଳିକା ଗଣଦୁଷ୍କର୍ମ ଘଟଣା: ସିବିଆଇ ତଦନ୍ତ ଆବେଦନ ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ: ଭୁବନେଶ୍ବର ଇନ୍‌ଫୋସିଟି ଥାନା ଅଞ୍ଚଳରେ ନାବାଳିକା ସହିତ ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ତଦନ୍ତର ଚୂଡାନ୍ତ ଷ୍ଟାଟସ ରିପୋର୍ଟ ମୁଦା ଲଫାପାରେ ଦାଖଲ କରାଯାଇଥିଲା।

ଏହି ରିପୋର୍ଟକୁ ଆଜି ଶୁଣାଣି ସମୟରେ ଖୋଲା ଯାଇଥିଲା। କ୍ରାଇମବ୍ରାଞ୍ଚ ଏସପିଙ୍କ ସେପ୍ଟେମ୍ବର ୫ର ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୨, ସେପ୍ଟେମ୍ବର ୫ରେ ଏହି ମାମଲାରେ ଚାରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୭୬(ଡିଏ), ୩୭୬(୨)(ଏନ), ୫୦୬, ୩୪ ଓ ପୋକସୋ ଆଇନର ଧାରା ୬ରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରାଯାଇଛି। ଅନ୍ୟ କୌଣସି ଅଭିଯୁକ୍ତଙ୍କ ସଂପୃକ୍ତିକୁ ନେଇ ସାକ୍ଷ୍ୟପ୍ରମାଣ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ଏଭଳି ସ୍ଥିତିରେ ପୀଡିତା ଅଥବା ପୀଡିତାର ପରିବାର ଚାହିଁଲେ ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏହି ମାମଲାରେ ମୁଦା ଲଫାପାରେ ଦାଖଲ ସମସ୍ତ ଷ୍ଟାଟସ ରି‌େପାର୍ଟ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ହେପାଜତରେ ରହିବ ବୋଲି ଆଜି ନିର୍ଦ୍ଦେଶ ଦିଆଯାଇଛି। କୋର୍ଟଙ୍କ ବିନା ନିର୍ଦ୍ଦେଶରେ ଏହି ରିପୋର୍ଟ କେହି ଅନୁଧ୍ୟାନ କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏହି ମାମଲାରେ ଆଉ କୌଣସି ନିର୍ଦ୍ଦେଶ ପ୍ରଦାନ ଆବଶ୍ୟକ ନାହିଁ ବୋଲି ହାଇକୋର୍ଟ ମତ ଦେବା ସହିତ ଏ ସଂପର୍କିତ ଦୁଇ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୦ରେ ଇନଫୋସିଟି ଥାନା ଅଞ୍ଚଳରେ ଏହି ବହୁ ଚର୍ଚ୍ଚିତ ଘଟଣା ଘଟିଥିବା ବେଳେ ତଦନ୍ତରେ ନିଷ୍କ୍ରିୟତା ନେଇ ଅଭିଯୋଗ ହୋଇଥିଲା। ୨୦୨୦, ନଭେମ୍ବର ୯ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ନଭେମ୍ବର ୧୮ରେ ପୁଲିସ ଡିଜିଙ୍କୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୧୮ରେ ପୁଲିସ ଡିଜି ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତର ଅଗ୍ରଗତି ସଂପର୍କରେ ସତ୍ୟପାଠ ଦାଖଲ କରିଥିଲେ। ତଦନ୍ତକାରୀ ଅଧିକାରୀ ଦାଖଲ କରିଥିବା ତଦନ୍ତ ସଂପର୍କିତ ସବିଶେଷ ତଥ୍ୟକୁ ବନ୍ଦ ଲଫାପାରେ ହାଇକୋର୍ଟରେ ଦାଖଲ କରାଯାଇଥିଲା।

ଏହି ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ୨୦୨୦, ଡିସେମ୍ବର ୧୪ରେ ଗିରଫ କରାଯାଇଛି ଓ ତଦନ୍ତ ଚାଲିଛି ବୋଲି ସରକାରଙ୍କ ପକ୍ଷରୁ ୨୦୨୦, ଡିସେମ୍ବର ୧୬ରେ ଦର୍ଶାଯାଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ତଦନ୍ତର ସାନି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ପ୍ରସଂଗକୁ ନେଇ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ୨୦୨୦ରେ ଦାଖଲ ‌ହୋଇଥିଲା। ଭାରତୀୟ ବିକାଶ ପରିଷଦ ତରଫରୁ ଆଇନଜୀବୀ ଗୋପାଳପ୍ରସାଦ ଜେନା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର