‘ସଫଳ ହେବା ପାଇଁ ବଡ଼ ସ୍ବପ୍ନ ଦେଖ’

ଫକୀରମୋହନ ବିଶ୍ୱବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ

ବାଲେଶ୍ବର: ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ତଥା ରଜତ ଜୟନ୍ତୀ ସମାରୋହ ଆଜି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଭାସି ମାଧ୍ୟମରେ ଏହି ସମାରୋହକୁ ମହାମହିମ୍ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଉଦ୍ଘାଟନ କରି ଓଡ଼ିଆରେ ନିଜ ଅଭିଭାଷଣ ରଖିଥିଲେ। ସମୟର ଆହ୍ୱାନ ଓ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଫକୀରମୋହନ ବିଶ୍ବବିଦ୍ୟାଳୟ ସମୟୋପଯୋଗୀ ପାଠ୍ୟକ୍ରମ ପ୍ରଣୟନ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ ରାଜ୍ୟପାଳ।

ମୁଖ୍ୟଅତିଥି କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଭାସି ମାଧ୍ୟମରେ ଯୋଡ଼ି ହୋଇ ତାଙ୍କ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ଫକୀରମୋହନ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ବବିଦ୍ୟାଳୟ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱରବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ୱପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ। ବିଗତ ୮୦ ଦଶକରେ ବାଲେଶ୍ୱରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରବୀନ୍ଦ୍ରମୋହନ ଦାସଙ୍କ ନେତୃତ୍ୱରେ ଏ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ଲାଗି ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେହି ବିଶ୍ୱବିଦ୍ୟାଳୟ ଆଜି ୨୫ ବର୍ଷରେ ପାଦ ଥାପିଛି। ୨୦୩୬ରେ ଆଉ ପ୍ରାୟ ୧୩ ବର୍ଷ ପରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ।

୨୦୪୭ରେ ଆଉ ପ୍ରାୟ ୨୪ ବର୍ଷ ପରେ ଦେଶ ସ୍ୱାଧୀନତାପ୍ରାପ୍ତିର ୧୦୦ ବର୍ଷ ପୂରଣ ହେବ। ଏହି ଅମୃତ କାଳରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ କେବଳ ନିଜ ପାଇଁ ନୁହେଁ, ସମୂହଙ୍କ ହିତ ପାଇଁ ବ୍ୟବହାର କରିବାକୁ ପଡ଼ିବ। ଏଥିପାଇଁ ବଡ଼ କଥା ଭାବିବାକୁ ପଡିବ, ବଡ ସ୍ୱପ୍ନ ଦେଖିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଓଡ଼ିଆ ଭାଷାସାହିତ୍ୟ, ସଂସ୍କୃତି, ଅବକାରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର କହିଲେ, ଛାତ୍ରଛାତ୍ରୀଙ୍କୁ ଯଦି ଗୁଣାତ୍ମକ ଶିକ୍ଷା ଯୋଗାଇ ଦିଆନଯିବ ତା’ହେଲେ ଏକ ସମୃଦ୍ଧ ରାଷ୍ଟ୍ର ଗଠନର ଲକ୍ଷ୍ୟ କେବେ ବି ପୂରଣ ହୋଇପାରିବ ନାହିଁ। ଆଜିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ସମସ୍ତ ଆହ୍ୱାନକୁ ଛାତ୍ରଛାତ୍ରୀମାନେ ଗ୍ରହଣ କରିବା ଉଚିତ। ଏନ୍ଆଇଆର୍ଏଫ୍ ଦ୍ବାରା ଭାରତର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ ଫକୀରମୋହନ ବିଶ୍ବବିଦ୍ୟାଳୟ ସ୍ଥାନ ପାଇବା ଏହି ଅନୁଷ୍ଠାନର ଗାରିମାକୁ ବୃଦ୍ଧି କରିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ। ମୁଖ୍ୟବକ୍ତା ହିନ୍ଦୀ ସାହିତ୍ୟର ବିଶିଷ୍ଟ ଲେଖିକା ଅଳକା ସରାୱଗୀ ତାଙ୍କ ବକ୍ତବ୍ୟରେ ଫକୀରମୋହନଙ୍କ ସାହିତ୍ୟ ସର୍ଜନାରେ ବିଶ୍ବସ୍ତରୀୟ ଦୃଷ୍ଟିକୋଣ ନିହିତ ଥିଲା ବୋଲି କହିଥିଲେ। ଜଣେ ବ୍ୟକ୍ତିର ମାତୃଭାଷା ହିଁ ତା’ର ସଂସ୍କାର। ସମ୍ଭବତଃ ଫକୀରମୋହନ ଏହା ହିଁ ଉପଲବ୍ଧି କରିଥିଲେ। ନିଜ ମାତୃଭାଷାର ସୁରକ୍ଷା ପାଇଁ ସେ ଓଡ଼ିଆ ଭାଷାସାହିତ୍ୟରେ ଯେଉଁ ଯୁଗାନ୍ତକାରୀ ବିପ୍ଲବ ଆଣିଥିଲେ ତାକୁ ଏବର ପିଢ଼ି ଅକ୍ଷୁଣ୍ଣ ରଖିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବରେଣ୍ୟ ଅତିଥି ଭାବେ ସମ୍ବର୍ଦ୍ଧିତ ହୋଇଥିବା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିବୃନ୍ଦ ପ୍ରଫେସର ଶୁକଦେବ ନନ୍ଦ, ପ୍ରଫେସର କୁମରବର ଦାସ, ପ୍ରଫେସର ଶିବପ୍ରସାଦ ଅଧିକାରୀ ଓ ପ୍ରଫେସର ମଧୁମିତା ଦାସ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆନ୍ତଃ ବିଦ୍ୟା ଅଧ୍ୟୟନ ଓ ପସନ୍ଦଭିତ୍ତିକ ପାଠ୍ୟକ୍ରମ ପ୍ରଚଳନକୁ ଫକୀରମୋହନ ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେଇଥିବାରୁ ସେ ଆନନ୍ଦିତ ବୋଲି ପ୍ରଫେସର ନନ୍ଦ ପ୍ରକାଶ କରିଥିଲେ। ଇଂରାଜୀ ବଢ଼ିବା ଉଚିତ, କିନ୍ତୁ ପାଶ୍ଚାତ୍ୟ ଅନ୍ଧ ଅନୁସରଣରେ ଆମେ ଆମର ସାଂସ୍କୃତିକ ବିପର୍ଯ୍ୟୟ ସୃଷ୍ଟି କରିବା ଉଚିତ ନୁହେଁ ବୋଲି କହିଥିଲେ ପ୍ରଫେସର କୁମରବର ଦାସ। ବାଲେଶ୍ୱରକୁ ସ୍ୟାଣ୍ଡ୍ ସିଟି ବା ବାଲିର ସହର ପରିବର୍ତ୍ତେ ଭାଷା, ସାହିତ୍ୟ ଓ ସଂସ୍କୃତିର ସହର ଭାବେ ନାମକରଣ କରାଯାଉ ବୋଲି ପ୍ରଫେସର ଶିବପ୍ରସାଦ ଅଧିକାରୀ ପ୍ରସ୍ତାବ ରଖିଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି କହିଥିଲେ ପ୍ରଫେସର ମଧୁମିତା ଦାସ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ଦିଗରୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ସାର୍ଟିଫିକେଟ୍ କୋର୍ସ ପ୍ରଚଳନ, ଧାନ, ପାନ ଓ ମୀନ ବିଷୟରେ ଅଧିକ ଗବେଷଣା, ଫକୀରମୋହନ ସାହିତ୍ୟଘର ପ୍ରତିଷ୍ଠା, ଶିକ୍ଷକଙ୍କୁ ଗବେଷଣା ଓ ପ୍ରକଳ୍ପ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରିଥିଲେ। ଏଥିସହ ‘ଖୋଲା ପାଠାଗାର’, ‘ଅଛି ଯଦି ଦିଅ, ନାହିଁ ଯଦି ନିଅ’ ପରି ନିଆରା ପ୍ରୟାସ ମାଧ୍ୟମରେ ଗଠନାତ୍ମକ କାର୍ଯ୍ୟରେ ବିଶ୍ବବିଦ୍ୟାଳୟ ନିୟୋଜିତ ରହିଛି ବୋଲି ପ୍ରକାଶ କରିଥିଲେ।

ଏହି ଅବସରରେ ପ୍ରତିଷ୍ଠିତ ହିନ୍ଦୀ ଲେଖିକା ଶ୍ରୀମତୀ ସରାୱଗୀଙ୍କୁ ୨୦୨୩ ବର୍ଷ ପାଇଁ ଫକୀରମୋହନ ଜାତୀୟ ପୁରସ୍କାର, ଓଡ଼ିଆ ସାହିତ୍ୟର ସୁପ୍ରତିଷ୍ଠିତ କଥାକାର ଡକ୍ଟର ଗୌରହରି ଦାସ ଓ ବିଶିଷ୍ଟ ଗଣିତଜ୍ଞ ପ୍ରଫେସର ସୁଦର୍ଶନ ନନ୍ଦଙ୍କୁ ‘ବ୍ୟାସଗୌରବ ସମ୍ମାନ’, ଯୁବ ଗାଳ୍ପିକ ସଞ୍ଜୟ ପଣ୍ଡାଙ୍କୁ ‘ଫକୀରମୋହନ ଯୁବ ଗାଳ୍ପିକ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେହିପରି ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଶ୍ରେଷ୍ଠ ଗଳ୍ପ, ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ମମତାରାଣୀ ବାରିକଙ୍କୁ ‘ମନୋଜ ନବପ୍ରତିଭା କଥା ପୁରସ୍କାର’ ପ୍ରଦାନ କରାଯାଇଥିଲା। ଗାଳ୍ପିକ ଡ.ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ, ଗପ ପାଲଟିଯିବା ପ୍ରତି ମଣିଷର ଭାଗ୍ୟ। ପିଲାଦିନେ ତାଙ୍କ ସହ ଘଟିଯାଇଥିବା କିଛି କିଛି ଆକସ୍ମିକ ଘଟଣାବଳୀ ତାଙ୍କୁ କିପରି ଜଣେ ଲେଖକ ଭାବେ ଗଢ଼ି ତୋଳିଥିଲା, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଅଧିକାଂଶ ଲୋକ ସେମାନଙ୍କ ଜୀବନକୁ ଖଣ୍ଡିଏ ଖଣ୍ଡିଏ ଖୋଲା ବହି ବୋଲି କହୁଥିବା ବେଳେ ସେ କିନ୍ତୁ ନିଜ ଜୀବନକୁ ଏକ ବନ୍ଦ ବହି ବୋଲି ଭାବନ୍ତି। ଏହି ବନ୍ଦ ବହିରେ ସେ ଯେତିକି କଥା ଜଣାଇବାକୁ ଚାହିଛନ୍ତି କେବଳ ସେତିକି ଜଣାଇଛନ୍ତି। ସେଥିରେ ଅଧିକାଂଶ ପୃଷ୍ଠା ଏବେ ବି ସେମିତି ବନ୍ଦ ରହିଛି। ସେ ଆହୁରି ମଧ୍ୟ କହିଥିଲେ, ଜଣେ ମଣିଷ ଥରେ ନିଜ ପରି ହୋଇଗଲେ ଅନ୍ୟ କାହା ପରି ହୋଇପାରେ ନାହିଁ। ଅଥଚ, ସାରା ଜୀବନ ସେ କିଛି ହୋଇପାରିଲା ନାହିଁ ବୋଲି ନାନା ଆକ୍ଷେପ ଶୁଣିବାକୁ ପଡ଼େ। ମଣିଷକୁ ତା’ର ପିଲାଦିନ ଗଢ଼ିଥାଏ। ପିଲାଦିନରେ ତା’ ସହ ଘଟିଥିବା ଘଟଣାବଳୀ ତା’ର ଅବଶିଷ୍ଟ ଜୀବନକୁ ନିୟନ୍ତ୍ରିତ କରିଥାଏ ବୋଲି ଡ.ଦାସ କହିଥିଲେ।

ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ.ଦେବାଶିଷ ପାତ୍ର ଓ ଡ.ସ୍ମୃତି ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡ.ପବିତ୍ରମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର