ଆବେଦନର ଦୁଇ ବର୍ଷ ପରେ ବି ବୃଦ୍ଧା ତୁଳସାଙ୍କୁ ମିଳିନି ପକ୍କାଘର

ଜୟପୁର: କାଳବୈଶାଖୀରେ ଗତ ଦୁଇ ବର୍ଷ ତଳେ ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ପଂଚାୟତର ମୂଲାସର ଗାଁର ୬୩ବର୍ଷ ବୟସ୍କ ବୃଦ୍ଧା ତୁଳସା ହରିଜନଙ୍କ ଘର ଭାଙ୍ଗି ଯାଇଥିଲା। ଝାଟିମାଟି ଚାଳଛପର ଘରେ ସେ ରହୁଥିଲେ। କାଳବୈଶାଖୀରେ ଛପର ସବୁ ଉଡ଼ିଯିବା ପରେ ପ୍ରଶାସନ ପକ୍ଷରୁ ପଲିଥିନ୍ ଖଣ୍ଡେ ଦିଆଯାଇଥିଲା। ତା ପରେ ସେ ତହସିଲ ଓ ବ୍ଲକ ପ୍ରଶାସନ ନିକଟରେ ଏ ନେଇ ଜଣାଇଥିଲେ। ପକ୍କାଘର ଖଣ୍ଡେ ଦେବା ପାଇଁ ବୃଦ୍ଧା ତିଳୋତ୍ତମା ବ୍ଲକରେ ଆବେଦନ କରିଥିଲେ। ଆବେଦନର ଦୁଇ ବର୍ଷ ବିତିଯାଇଥିଲେ ହେଁ ଏ ଯାଏଁ ତାଙ୍କ ଗୁହାରି କେହି ଶୁଣୁନାହାନ୍ତି। ବାରମ୍ବାର ସେ ଏନେଇ ରଣ୍ଡାପାଲ୍ଲୀ ପଂଚାୟତ, ଜୟପୁର ବ୍ଲକକୁ ଆସି ଗୁହାରି କରିଥିଲେ ହେଁ ତାଙ୍କୁ ଦୁଃଖ କାହାରିକୁ ବି ଦିଶୁନାହିଁ। ସଂପ୍ରତି ଲାଗି ରହିଥିବା କାଳବୈଶାଖୀ ବର୍ଷା ଏବଂ ସାମାନ୍ୟ ବର୍ଷା ହେଲେ ବି ଘର ଗଳୁଛି।

ବର୍ଷା ପାଣି ପଡ଼ି ପଡ଼ି କାନ୍ଥଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ତୁଳସା ବୟସାଧିକ କାରଣ ଯୋଗୁଁ ଠିକରେ ଚଳାବୁଲା ବି କରି ପାରୁନାହାନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ୫୦୦ଲେଖାଏଁ ଓ ମାଗଣା ୧୦କିଲୋ ଚାଉଳରେ ଏମାନେ ବଂଚୁଛନ୍ତି। ଏବେ ନୂଆରେ ପୁଣି ଏମାନେ ପଇସା ଖର୍ଚ୍ଚ କରି ପଲିଥିନ କିଣି ଘର ଉପରେ ପକାଇଥିଲେ। ରାଜ୍ୟସରକାର ଏଭଳି ଜରୁରୀ କ୍ଷେତ୍ରରେ ତୁରନ୍ତ ଅନୁମୋଦନ କରି ପକ୍କା ଘର ଯୋଗାଇବାକୁ ନିର୍ଦ୍ଦେଶ ରହିଥିଲେ ହେଁ ଏହି ନିର୍ଦ୍ଦେଶ ଫାଇଲ ମଧ୍ୟରେ ସୀମିତ ହୋଇ ରହିଯାଇଛି। ଏପରିକି ବର୍ଷା ହେବା ମାତ୍ରକେ ବୃଦ୍ଧାଙ୍କ ନିଦ୍ ହଜିଯାଉଛି।

ଏବେ ଲାଗିରହିଥିବା ବର୍ଷା ପାଣି ସବୁ ଘରେ ଗଳିବା ସହ କାନ୍ଥ କେତେବେଳେ ଭୁଷୁଡି ପଡ଼ିବ କି ବୋଲି ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ଏହି ବୃଦ୍ଧାଙ୍କୁ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏପରି ଅସୁବିଧା ମଧ୍ୟରେ ତୁଳସାଙ୍କ ଭଳି ବହୁ ବୃଦ୍ଧ ଓ ବୃଦ୍ଧା ରହିଛନ୍ତି। ପ୍ରଶାସନ ପକ୍ଷରୁ ଏଭଳି ବୃଦ୍ଧ ଓ ବୃଦ୍ଧାଙ୍କୁ ଚିହ୍ନଟ କରି ସରକାରୀ ଯୋଜନାଗୁଡିକରେ ସାମିଲ କରିବା ପାଇଁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର