୧୨ ବାଲି ଚାଲାଣକାରୀକୁ ବାନ୍ଧିଲା ପୁଲିସ

୭ ଟ୍ରାକ୍ଟର, ୩ ଟିପ୍ପର ଓ ଗୋଟିଏ ଜେସିବି ଜବତ

ରାଉରକେଲା : ବିଶ୍ରା ତେତେରକେଲା ଘାଟରୁ ବେଆଇନ ବାଲି ଚାଲାଣ ବାଲି ମାଫିଆଙ୍କୁ ମହଙ୍ଗା ପଡ଼ିଛି। ବିଶ୍ରା ପୁଲିସ ମୁଖ୍ୟ ଅଭିଯୁକ୍ତ ଭରତ ମାହାତୋ ସମେତ ୧୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ହୋଇଥିବା ଅନ୍ୟମାନେ ହେଲେ ଟ୍ରାକ୍ଟର, ଟିପ୍ପର ଓ ଜେସିବି ଡ୍ରାଇଭର ବିଶ୍ରା ଥାନା ଅନ୍ତର୍ଗତ ଡୁଡୁର୍ତ୍ତାର ଲାବା ସିଂହ (୩୫), ବିରକେରାର ନୁଏଲ କାଣ୍ଡୁଲାନା (୪୭), ବୀରମିତ୍ରପୁର ବାରାବାଂଶର ଜନ୍‌ ସଏ (୩୮), ବିଶ୍ରା ମର୍ଶିକୁଦରର ମନୋଜ ମୁଣ୍ଡାରୀ (୨୭), ଗୁଡ଼ଗୁଡ଼ଜୋରର ସନ୍ଦୀପ ଏକ୍କା (୨୬), ଉଡୁଶୁର ରଣଜିତ ଲୋହାର (୨୫), ହରିହରପୁରର ବୁଧୁଆ ମୁଣ୍ଡା (୨୫), ରେହ୍ଲାପୋଷର ବିଶ୍ରା ଓରାମ (୨୧୦, ବଇରାବାହାଲର ତୈରାଶ ଖାଲ୍‌କୋ (୩୨), ରାଏବୋଗା କାଦବାହାଲର ଗଣେଶ ନାଗ (୨୩)। ଘଟଣାସ୍ଥଳରୁ ପୁଲିସ ବାଲିବୋଝେଇ ୭ଟି ଟ୍ରାକ୍ଟର, ୩ଟି ଟିପ୍ପର ଓ ଗୋଟିଏ ଜେପିପି ଜବତ କରିଛି। ଗତ ନଭେମ୍ବର ୧୦ର ତେତେରକେଲା ଘାଟର ଲିଜ୍‌ ଅବଧି ଶେଷ ହୋଇସାରିଛି। ଏହା ସତ୍ବେ ଭରତ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ରାଜ୍ୟ ଏବଂ ରାଜ୍ୟ ବାହାରକୁ ଚାଲାଣ କରୁଥିଲା। ଦିନରେ ଦୁଇଥର ବଡିଭୋର ଓ ସଂଧ୍ୟାରେ ଏକକାଳୀନ ୫୦ରୁ ୧୦୦ ଟ୍ରିପ୍‌ ବାଲି ଉଠାଣ ହେଉଥିଲା। ବାଲି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ, ମନୋହରପୁର, କିରିବୁରୁ, ଗୋଏଲକେରା, ଆନନ୍ଦପୁର, ବଡବିଲ, ବଲାଣୀ ଆଦି ସ୍ଥାନକୁ ଚାଲାଣ ହେଉଥିଲା। ଏଥିସହ ବିଶ୍ରା ବ୍ଲକର ଡୁର୍ମେତା, ବିଶ୍ରା, ଭାଲୁଲତା, ବନ୍ଧମୁଣ୍ଡା ଆଦି ଅଞ୍ଚଳରେ ଚୋରା ବିକ୍ରି ହେଉଥିଲା। ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଓ ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବିଶ୍ରା ପୁଲିସର ସ୍ବତନ୍ତ୍ର ଟିମ୍‌ ବାଲି ଘାଟରେ ଚଢ଼ଉ କରିଥିଲେ।

ସମ୍ବନ୍ଧିତ ଖବର