ମାଛଧରାକୁ କେନ୍ଦ୍ର କରି ବିବାଦ, ଲିଜ୍‌ଧାରୀଙ୍କ ବିରୋଧରେ ଏକଜୁଟ ହେଲେ ଗ୍ରାମବାସୀ

ବହଳଦା ଥାନା ଘେରାଉ କଲେ ଗ୍ରାମବାସୀ

ରାଇରଙ୍ଗପୁର/ବହଳଦା: ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗୁହାଳଡାଙ୍ଗ୍ରି ଗ୍ରାମର ଗୁହାଳଡିହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ମାଛଧରାକୁ କେନ୍ଦ୍ର କରି ବିବାଦ ଉପୁଜି ଥିବା ଦେଖିବାକୁ ମିଳିଛି। ଏନେଇ ପୂର୍ବରୁ ଗ୍ରାମବାସୀମାନେ ବହଳଦା ଥାନା ଘେରାଉ ମଧ୍ୟ କରିଥିଲେ। ଗୁହାଳଡିହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପଟି ସାନପାଖନା, ଅଁଳାଯୋଡି, ଗମ୍ଭାରିଆ ଏବଂ ପୁରୁଣାପାଣି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହି ପ୍ରକଳ୍ପ ଚାଷ ଜମିକୁ ଜଳ ସେଚନ ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିବାବେଳେ ଆଖପାଖ ଗ୍ରାମର ଗ୍ରାମବାସୀ ସ୍ନାନାଦି କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି। ଗୃହ ପାଳିତ ପଶୁ ମାନେ ମଧ୍ୟ ଏଠାରୁ ପାଣି ପିଇଥାନ୍ତି। ଏହା ସର୍ବ ସାଧାରଣଙ୍କ ବ୍ୟବହାର ଓ ସ୍ବାର୍ଥ ପାଇଁ ଉଦ୍ଦିଷ୍ଠ ଥିବାବେଳେ ଗ୍ରାମପଞ୍ଚାୟତ ପକ୍ଷରୁ ନିଲାମ ଡାକରାରେ ମାଛ ଚାଷ ପାଇଁ ପଞ୍ଚାୟତର ବ୍ୟକ୍ତି ବିଶେଷଙ୍କୁ ଲିଜ୍ ଦିଆ ଯାଇଥାଏ।

ତେବେ ଲିଜ୍ ଧାରୀ ବ୍ୟକ୍ତି ସର୍ବ ସାଧାରଣଙ୍କ ସ୍ବାର୍ଥକୁ ଅଣଦେଖା କରି ନିଜ ସ୍ବାର୍ଥ ହାସଲ କରିବାକୁ ଚେଷ୍ଟା କରିବା ଫଳରେ ବିବାଦ ଉପୁଜି ଥିବା ଦେଖିବାକୁ ମିଳିଛି। ଲିଜ୍ ଧାରୀ ବ୍ୟକ୍ତି ସିଜୁକଳା ଗ୍ରାମର ଯଶବନ୍ତ ମହାନ୍ତ ମାଛ ଧରିବାକୁ ଯାଇ ପ୍ରକଳ୍ପ ବନ୍ଧର ଗେଟ ଖୋଲି ପାଣି ଛାଡି ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ପ୍ରତିବାଦ କରିବାକୁ ଯାଇଥିବା ପାଣି ପଞ୍ଚାୟତ ସଦସ୍ୟଙ୍କୁ ଧମକ ଦେଇ ବଳ ପୂର୍ବକ ମାଛ ଧରି ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଜସବନ୍ତଙ୍କ ସହଯୋଗି ବିଟୁ ମହାନ୍ତ ପିତା ଗୌର ମହାନ୍ତ ବନ୍ଧ ଚାରିପାଖରେ ବାଡ ଘେରି ସର୍ବ ସାଧାରଣଙ୍କୁ ଜଳାଶୟ ବ୍ୟବହାରରୁ ବଞ୍ଚିତ କରିବାକୁ ଧମକ ଦେଇ ଆସୁଥିବା ଅଭିଯୋଗ ହୋଇଛି। କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ପାଣି ପଞ୍ଚାୟତ ସମିତି ପକ୍ଷରୁ ଏହାକୁ ପ୍ରତିବାଦ କରାଯିବାରୁ ଜଶବନ୍ତ ମହାନ୍ତ ଓ ବିଟୁ ମହାନ୍ତ ପିତା ଗୌର ମହାନ୍ତ ପାଣି ପଞ୍ଚାୟତ ସଦସ୍ୟଙ୍କୁ ଦୁର୍ବ୍ୟବହାର ଓ ଗାଳି ଗୁଲଜ କରିବା ସହିତ ଧମକ ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ସପ୍ତାହେ ପୂର୍ବରୁ ଦିନ ପୂର୍ବରୁ ମାଛଧରାକୁ କେନ୍ଦ୍ର କରି ବିବାଦ ହୋଇଥିଲା ପାଣି ପଞ୍ଚାୟତ ସଦସ୍ୟ ଜସବନ୍ତଙ୍କୁ କ୍ଷତିପୂରଣ ରାଶି ଦାବି କରିବାରୁ ପାଣି ପଞ୍ଚାୟତ ସଦସ୍ୟଙ୍କୁ ଧମକ ଦେବା ସହ ବହଳଦା ଥାନାରେ ମିଥ୍ୟା ମାମଲାରେ କେସ ରୁଜୁ କରିଥିବା ଅଭିଯୋଗ ହୋଇଛି। ଏ ବିଷୟରେ ପାଣି ପଞ୍ଚାୟତ ପକ୍ଷରୁ ସରପଞ୍ଚଙ୍କୁ ଅବଗତ କରାଯାଇଥିବାବେଳେ ଗୁହାଳଡିହି ପ୍ରକଳ୍ପ ତାଙ୍କୁ ଲିଜ୍ ଦିଆ ଯାଇନଥିବା ପ୍ରକାଶ କରିଥିଲେ ଏବଂ ଅନ୍ୟ ଏକ ବନ୍ଧ ମାଛ ଚାଷ ପାଇଁ ଲିଜ୍ ଦିଆ ଯାଇଥିବା ପ୍ରକାଶ କରିଥିଲେ। ତେବେ ଦିନେ ଦୁଇଦିନ ମଧ୍ୟରେ ଥାନାକୁ ଡକାଇ ମାମଲାର ସମାଧାନ କରାଯିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଦୀର୍ଘ ସପ୍ତାହେରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଗୁହାଳଡାଙ୍ଗ୍ରି, ଗୁଣ୍ଡୁରିଆ, ଖଡବନ୍ଧ, ବଡ ପାଖନା, ଭଣ୍ଡରିଆ ଓ ଆନନ୍ଦପୁର ପ୍ରଭୃତି ୬ଟି ଗ୍ରାମର ଶତାଧିକ ଗ୍ରାମବାସୀ ପାଣି ପଞ୍ଚାୟତ ସଦସ୍ୟଙ୍କ ସହିତ ବହଳଦା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ତେବେ ମାମଲାର ସମାଧାନ ନିମନ୍ତେ ଆଜି ଥାନାରେ ଏକ ସମାଧନ ବୈଠକ ବସିଥିଲା। ଶେଷରେ ଉଭୟ ଗ୍ରାମବାସୀ ଓ ଲିଜଧାରୀଙ୍କ ମଧ୍ୟରେ ଆପସ ବୁଝାମଣା ହେବା ପରେ ସମାଧାନ ହୋଇଥିଲା।

ସମ୍ବନ୍ଧିତ ଖବର