ସଦାପାଲିରେ ବଜ୍ରପାତ, ମହିଳାଙ୍କ ମୃତ୍ୟୁ

ପଡ଼ିଆବାହାଲ: ଯୁଯୁମରା ବ୍ଲକ ସଦାପାଲି ଗ୍ରାମରେ ସୋମବାର ରାତିରେ ହୋଇଥିବା କାଳବୈଶାଖୀ ଝଡ଼ବର୍ଷା ସମୟରେ ହୋଇଥିବା ବଜ୍ରାଘାତରେ ରାଜମିସ୍ତ୍ରୀ ନିମାଇଁ ଧାରୁଆଙ୍କ ପତ୍ନୀ କ୍ଷୀରୋଦିନୀ ଧାରୁଆ(୪୨)ଙ୍କର ଅକାଳ ମୃତ୍ୟୁ ଘଟିଛି। ରାତି ପ୍ରାୟ ୮ଟା ସମୟରେ ପ୍ରବଳ ଗରମ ଯୋଗୁଁ ପରିବାର ସହ କ୍ଷୀରୋଦିନୀ ବାହାରେ ବସିଥିଲେ। ତେବେ ହଠାତ୍ ଝଡ଼ବର୍ଷା ଓ ଘଡ଼ଘଡ଼ି ଶବ୍ଦ ଶୁଣି ଘରଭିତରକୁ ଯାଉଥିବା ବେଳେ ବଜ୍ରପାତ ହେବାରୁ ସେହିଠାରେ ଟଳି ପଡ଼ିଥିଲେ କ୍ଷୀରୋଦିନୀ। ସାଙ୍ଗେ ସାଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆ ଯାଇଥିଲା।

ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁଯୁମରା ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇ ଏକ ଦୈବୀ ଦୁର୍ବିପାକଜନିତ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ଆସିବା ପରେ ମଙ୍ଗଳବାର ଗାଁ’ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ହରିଶ୍ଚନ୍ଦ୍ର ଯୋଜନାରେ ସହଯୋଗ ପାଇଁ ଆବେଦନ କରାଯାଇଥିବାରୁ ତାଙ୍କୁ ସହାୟତା ରାଶି ଦିଆଯିବ ବୋଲି ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା କହିଛନ୍ତି। କ୍ଷୀରୋଦିନୀଙ୍କର ଜଣେ ୨୪ ବର୍ଷ ବୟସ୍କ ପୁଅ ଏବଂ ୧୭ ବର୍ଷ ବୟସ୍କା ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର