ଶେଷ ବାକ୍ୟ

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ଶାନ୍ତି ଟିକିଏ ପାଇବା ଲାଗି ବହୁତ କାମ କଲେ। କିନ୍ତୁ ଶାନ୍ତି ମିଳିଲା ନାହିଁ। ଦିନେ ସେ ଗୋଟିଏ ବହି ଦେଖିଲେ ଯାହାର ଶୀର୍ଷକ ଥିଲା- ଶାନ୍ତି ପାଇବାର ମାର୍ଗ। ସେ ସାଙ୍ଗେସାଙ୍ଗେ ବହିଟିକୁ କିଣିନେଲେ ଓ ସେଥିରେ ଥିବା ଶାନ୍ତି ପାଇବାର ହଜାରେ ବାଟକୁ ମୁଖସ୍ଥ କରି ପକାଇଲେ। କିନ୍ତୁ ହାୟ, ମନକୁ ଶାନ୍ତି ମିଳୁ ନ ଥିଲା।

ସେଇ ସମୟରେ ହଠାତ୍‌ ଖବର ପାଇଲେ ଯେ ବହିର ଲେଖକ ତାଙ୍କ ସହରକୁ ବୁଲିବାକୁ ଆସୁଛନ୍ତି। ସେ ଲେଖକଙ୍କୁ ଭେଟିବାକୁ ସ୍ଥିର କଲେ। ଲେଖକ ମହାଶୟଙ୍କ ସହିତ ତାଙ୍କର ଭେଟ ବେଳେ ସେ ପଚାରିଲେ- ଆଜ୍ଞା, ଆପଣଙ୍କ ପୁସ୍ତକଟି ଚମତ୍କାର। ବହୁତ ଭଲ ଲାଗିଲା। ଏବେ ଶାନ୍ତି ପାଇବାର ସବୁ ବାଗ ମୁଁ ଜାଣିଛି, କିନ୍ତୁ ଶାନ୍ତି ମିଳୁନି।

ଲେଖକ ମହାଶୟ କହିଲେ- ତାହା ହେଲେ ଆପଣ ବହିଟିର ସବା ଶେଷ ପୃଷ୍ଠାକୁ ପଢ଼ି ନାହାନ୍ତି। ସେଥିରେ ଅସଲ ବାଟଟି ଲେଖାଯାଇଛି। ଭଦ୍ରଲୋକ ବିସ୍ମିତ ହୋଇଗଲେ। ତାଙ୍କ ପାଖରେ ବହିଟି ଥିଲା। ସେ ସାଙ୍ଗେ ସାଙ୍ଗେ ଶେଷ ପୃଷ୍ଠାଟି ଖୋଲି ପଢ଼ିଲେ। ସତରେ ସେ ସେଇ ପୃଷ୍ଠାରେ ଥିବା ଗୋଟିଏ ବାକ୍ୟକୁ ନଜରଅନ୍ଦାଜ କରିଥିଲେ। ସେଇ ବାକ୍ୟଟି ଥିଲା- ଶେଷର ଏହା ଅଳିଆ ଗଦାକୁ ଯିବ।
ଭଦ୍ରଲୋକ ପଚାରିଲେ- ଏହାର ଅର୍ଥ?

ଲେଖକ ତାଙ୍କୁ ବୁଝାଇ କହିଲେ- ଏହାର ଅର୍ଥ ଏହି ବହି ମୂଲ୍ୟହୀନ। ଆପଣ ଯେତେ ପର୍ଯ୍ୟନ୍ତ ଶାନ୍ତି ପାଇବାର ଉପାୟଗୁଡ଼ିକୁ ନିଜ ମନ ଭିତରେ ଫୁଟାଇ ପାରି ନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ଶୁଆ ଭଳି କେବଳ ଏହାକୁ ଘୋଷି ହେବେ ସିନା ଶାନ୍ତି ପାଇବେ ନାହିଁ। ସେ ପର୍ଯ୍ୟନ୍ତ ଆପଣ ଏହି ବହିକୁ ଲୋଡ଼ିବେ, ବାରମ୍ବାର ପଢ଼ିବେ। ଥରେ ଶାନ୍ତି ପାଇଗଲେ ବହିଟିକୁ ଅଳିଆ ଗଦାକୁ ଫିଙ୍ଗି ଦେବେ।

ସମ୍ବନ୍ଧିତ ଖବର