ଚିନ୍ମୟ ଚେତନା/ ଅପରିଚ୍ଛନ୍ନତାର ଅନ୍ତରାଳେ

ଚିନ୍ମୟ ହୋତା

ଖବରକାଗଜରୁ ‘ବିଶ୍ୱର ସବୁଠୁ ଅପରିଚ୍ଛନ୍ନ ବ୍ୟକ୍ତିର ୯୪ ବର୍ଷରେ ମୃତ୍ୟୁ’ ଶିରୋନାମାଟି ପଢ଼ି ଓ ସେ ବ୍ୟକ୍ତିଙ୍କର କର୍ଦ୍ଦମାକ୍ତ ମୁହଁର ଫଟୋଚିତ୍ରଟି ଦେଖି ପ୍ରବୃତ୍ତିଗତ ନାସିକା କୁଞ୍ଚନ ପରେ ଏହା ପୁଣି ଏକ ‘ଦାଣ୍ଡରେ ମଳ ତ୍ୟାଗ କରି ନାମ କମେଇବା’ ପ୍ରଚେଷ୍ଟାର ସଦ୍ୟତମ ଦୃଷ୍ଟାନ୍ତ ବୋଲି ଭାବିଥିଲି। କିନ୍ତୁ, ସମ୍ବାଦଟି ସବିସ୍ତୃତ ପଢ଼ିବା ପରେ ମୋର ଭ୍ରମାତ୍ମକ ଧାରଣା ଉଭେଇଗଲା, କାରଣ ଇରାନ ଦେଶର ଆମୁ ହାଜି ନାମକ ଏହି ନାଗରିକଙ୍କର ଜୀବନ ଦର୍ଶନ ଥିଲା ସମ୍ପୂର୍ଣ୍ଣ ନିଆରା।
ଆମୁ ହାଜି ଝାଟିମାଟିର ଏକ କୁଡ଼ିଆରେ ରହୁଥିଲେ ଓ ନିଜେ ଗଢ଼ିଥିବା ଜୀବନଶୈଳୀରେ ବଞ୍ଚୁଥିଲେ। ଅତୀତରେ ପାଇଥିବା କୌଣସି ମାନସିକ ଧକ୍କା ଯୋଗୁଁ ସେ ପାଣିକୁ ଡରି ଷାଠିଏ ବର୍ଷ ହେଲା ଗାଧୋଇବା ଛାଡ଼ି ଦେଇଥିଲେ ଓ ନିଜର ବ୍ୟକ୍ତିଗତ ସ୍ୱାଧୀନତା ଜାହିର କରିବା ପାଇଁ ଅପରିଚ୍ଛନ୍ନତାକୁ ନିଜ ଜୀବନର ବ୍ରତ ବୋଲି ଧରି ନେଇଥିଲେ। ମନବୋଧ ଚଉତିଶାର ‘ଖଟ ପଲଙ୍କେ ମନ ଶେଯାଇ ଶୋଉ, ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ’ ଭଳି କେଉଁ କାବ୍ୟିକ ଚେତାବନୀ ହୁଏତ ତାଙ୍କୁ ଜୀବଦ୍ଦଶାରେ ନିଜ ଶରୀର ପ୍ରତି ବିତୃଷ୍ଣ କରି ଦେଇଥିଲା। ମୃତ୍ୟୁ ପରେ ଯେଉଁ ଶରୀରରୁ ଦୁର୍ଗନ୍ଧ ଜାତ ହେବ, ବଞ୍ଚିଥିବା ବେଳେ ତାକୁ ଅତର, କର୍ପୂର ଲଗାଇ ସୁଗନ୍ଧମୟ କରିବାରେ କି ଲାଭ?
ହେଲେ କୌଣସି ଚାରିତ୍ରିକ ବ୍ୟତିକ୍ରମକୁ କ’ଣ ସମାଜ ସହିପାରେ? ଜଣଙ୍କର ଆଦର୍ଶ ପ୍ରଚଳିତ ବିଚାରଧାରାର ପରିପନ୍ଥୀ ହେଲେ ତାଙ୍କୁ ସମାଜ କ୍ରୁଶବିଦ୍ଧ କରିପକାଏ କିମ୍ବା ବିଷ ପାନ କରିବାକୁ ବାଧ୍ୟ କରେ। ତେଣୁ ଆମୁ ହାଜିଙ୍କର ତଥାକଥିତ ଶୁଭାକାଂକ୍ଷୀ ପଡ଼ୋଶୀମାନେ ତାଙ୍କୁ ଟେକି ନେଇ ଗୋଟିଏ ପାଣି କୁଣ୍ଡରେ ଜବରଦସ୍ତି ଗାଧୋଇ ପକାଇଲେ ତାଙ୍କୁ ଶୁଦ୍ଧ ଓ ପବିତ୍ର କରିବା ଉଦ୍ଦେଶ୍ୟରେ। ପରିଣତି ହେଲା ଠିକ୍‌ ଓଲଟା। ଆମୁ ଆଗରୁ କହି ଆସୁଥିଲେ ଯେ ସେ ଦେହରେ ପାଣି ଲଗାଇଲେ ତାଙ୍କୁ ରୋଗ ସବୁ ଆକ୍ରମଣ କରିପକାଇବେ। ସତକୁ ସତ ଗାଧୋଇବାର କିଛି ଦିନ ପରେ ଆଜୀବନ ସୁସ୍ଥ ରହୁଥିବା ୯୪ ବର୍ଷର ଆମୁ ରୋଗରେ ପଡ଼ି ପ୍ରାଣ ହରାଇଲେ।
ଆମୁଙ୍କ ପ୍ରତି ପଡ଼ୋଶୀମାନଙ୍କର କ୍ରୂର ପଦକ୍ଷେପ ପଛରେ ଥିଲା ସମାଜର ବଦ୍ଧମୂଳ ଧାରଣା ଯେ ସଫାସୁତୁରା ରହିବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଏହି କଥା ଆମେ ପିଲାଟି ଦିନରୁ ଶୁଣି ଆସୁ ଘରେ, ସ୍କୁଲରେ, ସଭାସମିତିରେ ଓ ଡାକ୍ତରଖାନାରେ। ‘ବିଚାର ବିଗିଡ଼ି ଗଲା’ ଭଳି କବିତା ପଢ଼ି ଆମେ ଶିଖୁ ଯେ ହାତ ନ ଧୋଇ ଖାଇଲେ କିମ୍ବା ପରିଷ୍କାର ନ ରହିଲେ ନିଧି ବୁଢ଼ା ପରି ମଶା, ମାଛି ଓ ମୁଷାଙ୍କ ରୋଷର ଶିକାର ହେବାକୁ ପଡ଼ିପାରେ। ସ୍ୱଚ୍ଛତାର ସରକାରୀ ସ୍ଲୋଗାନମାନ ସେହି ଧାରଣାକୁ ଦୃଢ଼ୀଭୂତ କରିଚାଲନ୍ତି ବର୍ଷ ପରେ ବର୍ଷ।
ତା’ ଛଡ଼ା ଆମୁ ତ ପରିଚ୍ଛନ୍ନତା ପ୍ରତି ବୀତସ୍ପୃହ ଏକମାତ୍ର ବ୍ୟକ୍ତି ନ ଥିଲେ। ଏଇ ପୃଥିବୀରେ ବେଦୁଇନ ଭଳି କିଛି ଜାତି ଅଛନ୍ତି, ଯେଉଁମାନେ ଜଳର ଅଭାବ ଯୋଗୁଁ ଗାଧୋଇବାଟାକୁ ଏକ ବିଳାସ ଶ୍ରେଣୀଭୁକ୍ତ କରିଥାନ୍ତି। ପୁଣି କିଏ ବା ନ ଜାଣିଛି ଅଘୋରୀମାନଙ୍କର ବୀଭତ୍ସ ଜୀବନଶୈଳୀ ବିଷୟରେ! ଅଷ୍ଟାଦଶ ଶତାବ୍ଦୀରେ ଲଣ୍ଡନର ଜଣେ ବ୍ୟବସାୟୀଙ୍କର ପ୍ରେୟସୀ ବିବାହ ଦିନରେ ହିଁ ମୃତ୍ୟୁବରଣ କରିବାରୁ ସେ ଏତେ ମାତ୍ରାରେ ଶୋକାଭିଭୂତ ହୋଇପଡ଼ିଥିଲେ ଯେ ସେହି ଦିନଠାରୁ ନିଜର ପ୍ରସାଧନ ଓ ପରିଚ୍ଛନ୍ନତା ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ହୋଇ ଉଠିଲେ। ପୂର୍ବରୁ ନିଜର ଚେହେରା ଓ ସୁନ୍ଦର ପରିଧାନ ପାଇଁ ପରିଚିତ ଏହି ଯୁବକଜଣକ ହୋଇଗଲେ ମଇଳାର ମେଟାଫର୍‌। ତାଙ୍କୁ ଲୋକେ ‘ଡାର୍ଟି ଡିକ’ ନାଁରେ ଡାକିବା ଆରମ୍ଭ କରିଦେଲେ ଓ ଚାର୍ଲସ ଡିକେନ୍‌ସଙ୍କ ଭଳି ସ୍ବନାମଧନ୍ୟ ଲେଖକମାନେ ତାଙ୍କରି ଢାଞ୍ଚାରେ ଚରିତ୍ର ଗଢ଼ି ଡାର୍ଟି ଡିକଙ୍କୁ କରିଗଲେ ଅମର। ପୁଣି ଆମ ସମୟର ଟେକ୍ ଦୁନିଆର ଯଶସ୍ୱୀ ବିନ୍ଧାଣି ଷ୍ଟିଭ ଜବ୍‌ସ ବି ଥିଲେ ସ୍ନାନ ପ୍ରତି ବୀତସ୍ପୃହ। ଜବ୍‌ସ ସମ୍ପୂର୍ଣ୍ଣ ନିରାମିଷାଶୀ ହୋଇଥିବାରୁ କହୁଥିଲେ, ‘ମୋ ଠାରୁ ଶାରୀରିକ ଗନ୍ଧ ତ ନିର୍ଗତ ହେଉନାହିଁ, ମୁଁ ଗାଧୋଇବି ବା କାହିଁକି?’ ଆମର ପୌରାଣିକ ଚରିତ୍ର କୁମ୍ଭକର୍ଣ୍ଣ ତାଙ୍କର ଅତିଶୟ ଆମିଷ ଭୋଜନ ଯୋଗୁଁ ଶରୀରରୁ ଅସ୍ଥିମଜ୍ଜା ଓ ରକ୍ତର ଦୁର୍ଗନ୍ଧ ନିର୍ଗତ କରୁଥିବାର ବର୍ଣ୍ଣନା ରହିଛି।
ଶରୀରର ଗନ୍ଧ ପ୍ରସଙ୍ଗରେ କିଛି ପାଠକ ହୁଏତ ଶୁଣିଥିବେ ନିମ୍ନୋକ୍ତ କଥାଟି। ଜାତୀୟ ରାଜପଥରେ ବୋଝେଇ ଟ୍ରକ ଚଳେଇ ଯାଉଥିବା ବେଳେ ଜଣେ ଡ୍ରାଇଭର ଦେଖିଲେ ଯେ ରାସ୍ତାକଡ଼ର ଗୋଟିଏ ଘର ପାଖରେ ଭିଡ଼ ଜମିଛି। କୌତୂହଳୀ ହୋଇ ସେଠାରେ ଗାଡ଼ି ରଖି ସେ ଜନସମାଗମର କାରଣ ପଚାରିଲେ। ସେ ଜାଣିବାକୁ ପାଇଲେ ଯେ ସେଠାରେ ଗୋଟିଏ ପ୍ରତିଯୋଗିତା ଚାଲିଛି, ଯେଉଁଥିରେ ଗୋଟିଏ କଟୁ ଗନ୍ଧଯୁକ୍ତ ଅଣ୍ଡିରା ମେଣ୍ଢା ସହ ଦୁଇ ଘଣ୍ଟା କାଳ ଏକ ରୁଦ୍ଧ କୋଠରି ଭିତରେ ଯିଏ ରହିପାରିବ, ସେ ହେବ ପୁରସ୍କୃତ। ଟ୍ରକ ଚାଳକ ଦେଖିଲେ ଯେଉଁମାନେ ପ୍ରତିଯୋଗିତାରେ ଓହ୍ଲାଇ ଥିଲେ, ସେମାନେ ସମସ୍ତେ ଚାରି ପାଞ୍ଚ ମିନିଟରୁ ଅଧିକ ସମୟ କୋଠରି ଭିତରେ ତିଷ୍ଠି ନ ପାରି କ୍ଷିପ୍ର ଗତିରେ ବାହାରି ଆସୁଥିଲେ। ଏସବୁ ଦେଖି ଚାଳକ ଭାଗ ନେବା ପାଇଁ ତାଙ୍କ ନାଁ ଲେଖାଇଲେ ଓ ଅଳ୍ପ ସମୟ ପରେ ମେଣ୍ଢାଟି ସହ ସହାବସ୍ଥାନ କରିବାକୁ ଭିତରକୁ ଗଲେ। ଆୟୋଜକ ମାନେ କବାଟ ବନ୍ଦ କରି ପରିଣତିକୁ ଅପେକ୍ଷା କଲେ। ଦୁଇ ମିନିଟ ଉତ୍ତାରୁ କବାଟରେ ଜୋର ଶବ୍ଦ ହେଲା ଓ ଉଦ୍ୟୋକ୍ତାମାନେ ଭାବିଲେ ଯେ ନୂଆ ପ୍ରତିଯୋଗୀଙ୍କର ସହ୍ୟ ସୀମା ମଧ୍ୟ ପାର ହୋଇଗଲା। ହେଲେ ସେମାନେ ଦ୍ୱାରଟି ଖୋଲିଦେବା ମାତ୍ରେ ମେଣ୍ଢାଟି ଦ୍ରୁତ ବେଗରେ ବାହାରି ଆସି ସେ ସ୍ଥାନରୁ ଅନ୍ତର୍ଦ୍ଧାନ ହୋଇଗଲା। କାହା ଶରୀରର ଗନ୍ଧ ତୀବ୍ରତର ଥିଲା, ତାହା ବୁଝିବାକୁ ଆୟୋଜକମାନଙ୍କୁ ବାକି ରହିଲା ନାହିଁ।
ଆମ ଆଲେଖ୍ୟର ନାୟକ ଆମୁ ହାଜି କୌଣସି ପ୍ରତିଯୋଗିତାରେ ବିଜୟୀ ହେବାର ଆକାଂକ୍ଷା କେବେ ବି ପୋଷଣ କରି ନ ଥିଲେ। ଏମିତିକି ଜୀବନ ସାରା ସମସ୍ତ ସାମାଜିକ ବିନିମୟରୁ ନିଜକୁ ଦୂରରେ ରଖିଥିଲେ। ତଥାପି ସମାଜ ତାଙ୍କ ପ୍ରତି ଏତେ ନିର୍ଦ୍ଦୟ ହେବା କ’ଣ ଠିକ୍‌ ହେଲା? ଆପଣ ବିଚାର କରନ୍ତୁ।
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର