ଜହ୍ନରେ ଚିହ୍ନ

ଆସନ୍ତା ବର୍ଷ ଚୀନ୍‌ ମଧ୍ୟ ଏକ ଚନ୍ଦ୍ର ଅଭିଯାନ ପାଇଁ ଯୋଜନା କରିଥିବା ବେଳେ ‘ଆଇସ୍ପେସ’ ମଧ୍ୟ ଆଉ ଥରେ ଅବତରଣ ପାଇଁ ଚେଷ୍ଟା କରିବ ବୋଲି ସୂଚନା ମିଳୁଛି। ଏ ସମସ୍ତ ଅଭିଯାନ ମାନଙ୍କର ସଫଳତା ହାର କେତେ ହେବ କହି ହେବ ନାହିଁ; କିନ୍ତୁ ବର୍ତ୍ତମାନର ରେକର୍ଡ ଅନୁସାରେ ଏମାନଙ୍କ ମଧ୍ୟରୁ କେତେକ ଯେ ତା’ର ମୁଖମଣ୍ଡଳରେ ଆଉ କିଛି ଦାଗ ସୃଷ୍ଟି କରିପାରନ୍ତି, ସେଥିପାଇଁ ଚନ୍ଦ୍ରମାକୁ ପ୍ରସ୍ତୁତ ରହିବାକୁ ହେବ।

ସୁପରିଚିତ ଠେକୁଆ ଓ କଇଁଛ କାହାଣୀର ପୁନରାବୃତ୍ତି ଭଳି ଦ୍ରୁତ ବେଗରେ ଧାଉଁଥିବା ରୁଷିଆର ଲୁନା-୨୫ ଠେକୁଆ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଫଳ ହୋଇ ଗଳି ପଡ଼ିଛି ଓ ଜୁଲାଇ ୧୪ରେ ଯାତ୍ରା ଆରମ୍ଭ କରିଥିବା ଭାରତର ଚନ୍ଦ୍ରଯାନ-୩ କଇଁଛ ଧୀର ମନ୍ଥର ବେଗରେ ଯାତ୍ରା ସମାପ୍ତ କରି ଜହ୍ନକୁ କୌଣସି ଆଘାତ ନ ଦେଇ ଏକ କୋମଳ ଅବତରଣ କରି ମାମୁଁଘରେ ପହଞ୍ଚିଯାଇଛି। ଅବଶ୍ୟ ଏଥି ପୂର୍ବରୁ ଚନ୍ଦ୍ରଯାନ-୨ ମଧ୍ୟ ରୁଷିଆର ଲୁନା-୨୫ ଭଳି ଚନ୍ଦ୍ରପୃଷ୍ଠରେ ଗଳି ପଡ଼ି ତା’ର ଆଘାତ ଚିହ୍ନ ଛାଡ଼ିଛି। ବାସ୍ତବରେ ନିକଟରେ ପୃଥିବୀରୁ ଏଇଭଳି ଏକାଧିକ ମହାକାଶ ଯାନମାନଙ୍କର ଚନ୍ଦ୍ର ଅଭିଯାନ ବିଫଳତାରେ ସମାପ୍ତ ହୋଇ ଚନ୍ଦ୍ରମାର ସୁପରିଚିତ କଳଙ୍କିତ ପୃଷ୍ଠଦେଶରେ ଆଉ କେତେକ ଛୋଟଛୋଟ ଦାଗ ଯୋଗ କରିବା ଦେଖାଯାଇଛି।
ଏକଦା ଚନ୍ଦ୍ରର ପୃଷ୍ଠଦେଶରେ ଯେଉଁ ଖାଲମାନଙ୍କର ଉପସ୍ଥିତି ଆମକୁ ଦାଗ ଭଳି ଦେଖାଯାଇଥାଏ, ସେସବୁ ହେଉଛନ୍ତି ଅତୀତରେ ଆଗ୍ନେୟଗିରିମାନଙ୍କରୁ ଅଗ୍ନ୍ୟୁତ୍ପାତ ଯୋଗୁଁ ସୃଷ୍ଟି ହୋଇଥିବା ଗର୍ତ୍ତ ବୋଲି ବିଶ୍ବାସ କରାଯାଉଥିଲା। ଏଇ ମାତ୍ର ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଆମେରିକୀୟ ଭୂ-ତତ୍ତ୍ବବିତ୍‌ ଜି କେ ଗିଲ୍‌ବର୍ଟ ସାବ୍ୟସ୍ତ କଲେ ଯେ ଚନ୍ଦ୍ର ପୃଷ୍ଠରେ ଥିବା ଖାଲମାନ ଆଗ୍ନେୟଗିରିମାନଙ୍କ ଦ୍ବାରା ସୃଷ୍ଟି ହୋଇନାହିଁ; ଅନ୍ୟ ବହିରାଗତ ପିଣ୍ଡମାନଙ୍କର ଆଘାତ ଯୋଗୁଁ ସେଗୁଡ଼ିକ ସୃଷ୍ଟି ହୋଇଛନ୍ତି। ଅନ୍ୟ ଭାଷାରେ କହିଲେ ଚନ୍ଦ୍ର ପୃଷ୍ଠର ଏହି ଖାତଗୁଡ଼ିକ ହେଉଛନ୍ତି ‘ଆଘାତ ଖାତ’ ବା ‘ଇମ୍ପ୍ୟାକ୍ଟ କ୍ରେଟର୍‌’। (ଆମୋଦଦାୟକ ଭାବରେ ଗିଲ୍‌ବର୍ଟ ଏକ ଅଟା ଭର୍ତ୍ତି ପାତ୍ର ଉପରକୁ କାଚଗୁଲିମାନ ଫିଙ୍ଗି ଏହି ପ୍ରକ୍ରିୟା‌ ସମ୍ବନ୍ଧରେ ଜ୍ଞାନ ସଂଗ୍ରହ କରିଥିଲେ।)
ଆଜିକୁ ପ୍ରାୟ ସାଢ଼େ ଚାରି ଶହ କୋଟି ବର୍ଷ ତଳେ ସୌରଜଗତ ଓ ପୃଥିବୀର ଆବିର୍ଭାବ ଘଟିଲା ପରେ ତା’ର ପାଞ୍ଚରୁ ଦଶ କୋଟି ବର୍ଷ ମଧ୍ୟରେ ‘ଥେଇଆ’‌ ନାମକ ମଙ୍ଗଳ ଗ୍ରହ ଆକାରର ଏକ ଗ୍ରହ ପ୍ରଚଣ୍ଡ ବେଗରେ ଆସି ପୃଥିବୀ ସହିତ ପିଟି ହୋଇଗଲା। ସେଇ ସଂଘର୍ଷର ଆଘାତରେ ‘ଥେଇଆ’ ସମ୍ପୂର୍ଣ୍ଣ ଭାବରେ ଚୂର୍ଣ୍ଣୀଭୂତ ହୋଇଯାଇ ମହାକାଶରେ ହଜାର ହଜାର କିଲୋମିଟର ବ୍ୟାପୀ ଧୂଳି ଓ ବାଷ୍ପର ଏକ ପଟଳ ସୃଷ୍ଟି ହେଲା। କ୍ରମେ ମାଧ୍ୟାକର୍ଷଣର ପ୍ରଭାବରେ ସେଇ ପଟଳ ଗୋଟିଏ କଠିନ ବିଣ୍ଡାରେ ପରିଣତ ହୋଇଗଲା- ଯାହା ହେଉଛି ଚନ୍ଦ୍ର, ଆମର ଜହ୍ନମାମୁଁ। (ବିଶ୍ବାସ କରାଯାଏ ‘ଥେଇଆ’ର ଏହି ଆଘାତ ହିଁ ପୃଥିବୀର ଅକ୍ଷକୁ ଏପରି ଢଳାଇ ରଖିଛି, ଯେଉଁଥି ‌େଯାଗୁଁ ଋତୁ ପରିବର୍ତ୍ତନ ଘଟିଥାଏ।) ଏହାପରେ କିଛି କାଳ ଧରି ଉଭୟ ପୃଥିବୀ ଓ ଚନ୍ଦ୍ର ଉଲ୍‌କା ପିଣ୍ଡମାନଙ୍କର ମାଡ଼ ସହି ଚାଲିଥିଲେ, ଯେଉଁଗୁଡ଼ିକର ଆକାର ‘ଥେଇଆ’ ଭଳି ଗ୍ରହ ତୁଳନାରେ ଛୋଟ ଥିଲା। ପୃଥିବୀ ପୃଷ୍ଠରେ ଏହା ଦ୍ବାରା ସୃଷ୍ଟି ହୋଇଥିବା ଖାଲ ଖମାଣମାନ ବାୟୁପ୍ରବାହ ଓ ଜଳପ୍ରବାହ ଦ୍ବାରା କ୍ରମେ ନିଶ୍ଚିହ୍ନ ହୋଇଯାଇଛି, କିନ୍ତୁ ଚନ୍ଦ୍ରରେ ଦୁର୍ବଳ ମାଧ୍ୟାକର୍ଷଣ ଯୋଗୁଁ ବାୟୁମଣ୍ଡଳ ନ ଥିବାରୁ ସେଗୁଡ଼ିକ ସେଇଭଳି ଅକ୍ଷୁଣ୍ଣ ଅବସ୍ଥାରେ ରହି ଚନ୍ଦ୍ରରେ କଳଙ୍କ ସାଜି କାବ୍ୟ କବିତାକୁ ସମୃଦ୍ଧ କରି ଚାଲିଛନ୍ତି।
ଏକ ଦୃଷ୍ଟିରୁ ଦେଖିଲେ କୁହାଯାଇପାରେ ଯେ ବର୍ତ୍ତମାନର ବିଫଳ ଚନ୍ଦ୍ର ଅଭିଯାନମାନ ଆଉ କିଛି ନ ହେଲେ ବି ଚନ୍ଦ୍ରର ଚେହେରାରେ ଆଉ କିଛି ଛୋଟ ଛୋଟ ଦାଗ ସୃଷ୍ଟି କରି ସାହିତ୍ୟ ପାଇଁ ସେଇ ରୂପକକୁ ପରିପୁଷ୍ଟ କରୁଛନ୍ତି। ଉଦାହରଣ ସ୍ବରୂପ ୨୦୧୯ ଏପ୍ରିଲ୍‌ରେ ଇସ୍ରାଏଲ୍‌ ଚନ୍ଦ୍ରକୁ ପ୍ରେରଣ କରିଥିବା ଏକ ଯାନର ଏହି ଦଶା ଘଟିଥିଲା। ଏକ ସରକାରୀ-ଘରୋଇ ସହଭାଗିତାରେ ନିର୍ମିତ ‘ବେରେସିଟ୍‌’ ନାମକ ଯାନ ଚନ୍ଦ୍ରର ‘ମେଆର୍‌ ସେରେନିନାଟିସ୍‌’ ନାମକ ଅଞ୍ଚଳର ଏକ ସ୍ଥାନରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ତା’ର ‘ଜାଇରୋସ୍କୋପ୍‌’ମାନ ଅଚଳ ହୋଇଯିବାରୁ ଯାନଟି ଚନ୍ଦ୍ରପୃଷ୍ଠରେ ଗଳି ପଡ଼ି ଥିଲା। ସେଇ ବର୍ଷ ସେ‌ପ୍‌ଟେମ୍ବରରେ ଭାରତ ପ୍ରେରଣ କରିଥିବା ଚନ୍ଦ୍ରଯାନ-୨ ଅବତରଣ ପାଇଁ ତା’ର ନିର୍ଦ୍ଧାରିତ ଗତିପଥରୁ ବିଚ୍ୟୁତ ହୋଇ ଏକ ‘କଠିନ ଅବତରଣ’ କରିବା ପାଇଁ ବାଧ୍ୟ ହୋଇଥିଲା, ଅର୍ଥାତ୍‌ ଯାନଟି ଚନ୍ଦ୍ର ପୃଷ୍ଠରେ ପିଟି ହୋଇଯାଇଥିଲା। ଚଳିତ ବର୍ଷ ଏପ୍ରିଲ୍‌ରେ ଜାପାନର ଏକ ଚନ୍ଦ୍ର ଅଭିଯାନ ମଧ୍ୟ ଅନୁରୂପ ବିଫଳତାରେ ସମାପ୍ତ ହୋଇଥିଲା। ‘ଆଇସ୍ପେସ୍‌’ ନାମକ ଏକ ଜାପାନୀ ମହାକାଶ କମ୍ପାନି ଯେଉଁ ‘ହାକୁତୋ-ଆର୍‌’ ନାମକ ଯାନ ‌ଚନ୍ଦ୍ରକୁ ପ୍ରେରଣ କରିଥିଲା, ଠିକଣା ସମୟରେ ତା’ର ମସ୍ତିଷ୍କରେ ବିଭ୍ରାଟ ଘଟିଲା- ଚନ୍ଦ୍ରର ‘ମେଆର୍‌ ଫ୍ରିଗୋରିସ୍‌’ ନାମକ ଅଞ୍ଚଳରେ ଏହି ଯାନ ଅବତରଣ କରୁଥିବା ସମୟରେ ଚନ୍ଦ୍ର ପୃଷ୍ଠର ପାଞ୍ଚ କିଲୋମିଟର ଉପରେ ଥିବା ବେଳେ ଯାନଟିର କମ୍ପ୍ୟୁଟର୍‌ର ଧାରଣା ହେଲା ଯେ ଯାନଟି ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ସାରିଛି। ଏଣୁ କମ୍ପ୍ୟୁଟର୍‌ ଯାନଟିର ଇଞ୍ଜିନ୍‌ ବନ୍ଦ କରି ଦେଲା। ଚନ୍ଦ୍ରର ମାଧ୍ୟାକର୍ଷଣ ହେଉଛି ପୃଥିବୀର ମାଧ୍ୟାକର୍ଷଣର ଏକ-ଷଷ୍ଠାଂଶ ମାତ୍ର; କିନ୍ତୁ ତା’ ସତ୍ତ୍ବେ ପାଞ୍ଚ କିଲୋମିଟର ଉଚ୍ଚତାରୁ ଖସି ପଡ଼ିଥିବା ଯାନଟି ଚନ୍ଦ୍ରକୁ ଏକ ଶକ୍ତ ଆଘାତ ଦେଇ ନିଜେ ଭାଙ୍ଗିରୁଜି ଯାଇଥିଲା। ଏଥିପୂର୍ବରୁ ଇହୁଦୀ ଓ ଭାରତୀୟମାନେ ଚନ୍ଦ୍ରରେ ଖାତ ସୃଷ୍ଟି କରିଥିବା ଭଳି ଜାପାନୀମାନେ ମଧ୍ୟ ଚନ୍ଦ୍ରରେ ତାଙ୍କର ଖାଲୁଆ ପଦଚିହ୍ନ ଛାଡ଼ିଲେ।
ମହାକାଶକୁ ସର୍ବପ୍ରଥମ ଯାନ ‘ସ୍ପୁଟ୍‌ନିକ୍‌’ ପ୍ରେରଣ କରିଥିବା ରୁଷିଆ ଅବା ପଛରେ ପଡ଼ନ୍ତା କାହିଁକି? ଅଗଷ୍ଟ ୨୦ରେ ରୁଷିଆ ଘୋଷଣା କଲା ଯେ ସେ ମଧ୍ୟ ଚନ୍ଦ୍ର ପୃଷ୍ଠରେ ତା’ର ଅଲିଭା ପଦଚିହ୍ନ ଛାଡ଼ି ଦେଇଛି। ‌େସ ଅଗଷ୍ଟ ୧୧ରେ ପ୍ରେରଣ କରିଥିବା ଲୁନା-୨୫ ମାତ୍ର ପାଞ୍ଚ ଦିନ ପରେ ଚନ୍ଦ୍ର ନିକଟରେ ପହଞ୍ଚିଯାଇ ଅଗଷ୍ଟ ୧୬ରେ ଚନ୍ଦ୍ରକୁ ପରିକ୍ରମା କରିବାକୁ ଆରମ୍ଭ କରି ଦେଇଥିଲା। ଅଗଷ୍ଟ ୨୧ରେ ତାହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥାନ୍ତା। ଅଗଷ୍ଟ ୧୯ରେ କିନ୍ତୁ ଏହି ଯାନର ନିୟନ୍ତ୍ରକମାନେ ତାକୁ ଅବତରଣ ନିମିତ୍ତ ନିଜର କକ୍ଷ ପଥରେ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେବା ପରେ ପରେ ଯାନ ସହିତ ସେମାନଙ୍କର ଯୋଗାଯୋଗ ଛିନ୍ନ ହୋଇଯାଇଥିଲା। ଅଗଷ୍ଟ ୨୦ ତାରିଖ ସକାଳେ ରୁଷିଆର ମହାକାଶ ସଂସ୍ଥା ‘ରସ୍‌କସ୍‌ମସ୍‌’ ଘୋଷଣା କଲା ଯେ ଲୁନା-୨୫ ଏକ ଭୁଲ୍‌ କକ୍ଷ ପଥରେ ପ୍ରବେଶ କରିବା ହେତୁ ଚନ୍ଦ୍ରପୃଷ୍ଠରେ ପିଟି‌ ହୋଇ ଧ୍ବଂସ ‌ପାଇଯାଇଛି। ଏକଦା ଚନ୍ଦ୍ରକୁ ଯାନ ପ୍ରେରଣ ଓ ପ୍ରତ୍ୟାବର୍ତ୍ତନ ରୁଷିଆର ପୂର୍ବ ଅବତାର ସୋଭିଏତ୍‌ ସଂଘ ପାଇଁ ଏକ ପିଲାଖେଳ ସଦୃଶ ଥିଲା। ତେଣୁ ସ୍ବାଭାବିକ ଭାବରେ ରୁଷିଆର ଏହି ବିଫଳତା ଭାରତର ସଫଳତାକୁ ଅଧିକ ଚମକ ପ୍ରଦାନ କରିଛି।
ଚନ୍ଦ୍ର ଅଭିଯାନର ଏଭଳି ମିଶ୍ରିତ ରେକର୍ଡ ସତ୍ତ୍ବେ ପୃଥିବୀ ଗ୍ରହର ଏହି ଅନୁଗତ ସହଚର ଆଗାମୀ ଦିନରେ ଆହୁରି ‌କେତେଗୁଡ଼ିଏ ଏଇଭଳି ପୃଥିବୀରୁ ବାହାରିବାକୁ ଯାଉଥିବା ଅଭିଯାନର ସମ୍ମୁଖୀନ ହେବାକୁ ଯାଉଛି। ଅଗଷ୍ଟ ୨୬ରେ ଜାପାନର ମହାକାଶ ସଂସ୍ଥା ‘ସ୍ଲିମ୍‌’ ନାମକ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ନଭେମ୍ବର/ଡିସେମ୍ବରରେ ଆମେରିକାରେ ‘ଇଣ୍ଟୁଇଟିଭ୍‌ ମେସିନ୍‌ସ’ ନାମକ ଏକ ଘରୋଇ କମ୍ପାନି ଦ୍ବାରା ନିର୍ମିତ ଏକ ମହାକାଶ ଯାନ ‘ନାସା’ର କିଛି ଯନ୍ତ୍ରପାତି ବୋଝ ବହନ କରି ଚନ୍ଦ୍ରଯାନ-୩ ଭଳି ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳକୁ ଯାତ୍ରା ଆରମ୍ଭ କରିବ। ୨୦୨୪ରେ ମଧ୍ୟ ଆମେରିକା ଆଉ କେତେ ଗୋଟି ଅଭିଯାନ ପାଇଁ ଯୋଜନା ରଖିଛି। ଆସନ୍ତା ବର୍ଷ ଚୀନ୍‌ ମଧ୍ୟ ଏକ ଚନ୍ଦ୍ର ଅଭିଯାନ ପାଇଁ ଯୋଜନା କରିଥିବା ବେଳେ ‘ଆଇସ୍ପେସ’ ମଧ୍ୟ ଆଉ ଥରେ ଅବତରଣ ପାଇଁ ଚେଷ୍ଟା କରିବ ବୋଲି ସୂଚନା ମିଳୁଛି। ଏ ସମସ୍ତ ଅଭିଯାନ ମାନଙ୍କର ସଫଳତା ହାର କେତେ ହେବ କହି ହେବ ନାହିଁ; କିନ୍ତୁ ବର୍ତ୍ତମାନର ରେକର୍ଡ ଅନୁସାରେ ଏମାନଙ୍କ ମଧ୍ୟରୁ କେତେକ ଯେ ତା’ର ମୁଖମଣ୍ଡଳରେ ଆଉ କିଛି ଦାଗ ସୃଷ୍ଟି କରିପାରନ୍ତି, ସେଥିପାଇଁ ଚନ୍ଦ୍ରମାକୁ ପ୍ରସ୍ତୁତ ରହିବାକୁ ହେବ।

ସମ୍ବନ୍ଧିତ ଖବର