ବିର୍ଲା ଟାୟାର୍ସ କ୍ରୟ ଦୌଡ଼ରେ ଡାଲମିଆ ଗ୍ରୁପ୍‌; ୩୦୦ କୋଟିର ଋଣ ପରିଶୋଧ ପ୍ରସ୍ତାବ

ପ୍ଲାଣ୍ଟ ଅଧିଗ୍ରହଣ ପାଇଁ ପ୍ରତିଷ୍ଠିତ ଶିଳ୍ପସଂସ୍ଥାଙ୍କ ଆଗ୍ରହ

ବାଲେଶ୍ବର: ଋଣଭାରରେ ବୁଡ଼ି ରହି ଦେବାଳିଆ ସ୍ଥିତିକୁ ଆସିଥିବା ବାଲେଶ୍ବର ଜିଲ୍ଲାର ସବୁଠୁ ବଡ଼ ଶିଳ୍ପ ସଂସ୍ଥା ‘ବିର୍ଲା ଟାୟାର୍ସ’କୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛି ଦେଶର ପ୍ରତିଷ୍ଠିତ ଶିଳ୍ପସଂସ୍ଥା ଡାଲମିଆ ଗ୍ରୁପ୍। ବିର୍ଲା ଟାୟାର୍ସ ଉପରେ ପ୍ରାୟ ୧୧ ଶହ କୋଟି ଟଙ୍କାର ବକେୟା ଋଣ ଥିବା ବେଳେ ଡାଲମିଆ ଗ୍ରୁପ୍‌ ଋଣଦାତା ବ୍ୟାଙ୍କମାନଙ୍କୁ ୩୦୦ କୋଟି ଟଙ୍କା ପରିଶୋଧ କରିଦେବାକୁ ପ୍ରସ୍ତାବ ଦେଇଛି। ଯାହା ଋଣଦାତା ବ୍ୟାଙ୍କମାନଙ୍କ ଦାବିର ପ୍ରାୟ ୩ ଗୁଣ ବୋଲି କୁହାଯାଉଛି।

ବିର୍ଲା ଟାୟାର୍ସ ଉପରେ ବିଭିନ୍ନ ବ୍ୟାଙ୍କର ୧୧୨୮ କୋଟି ଟଙ୍କା ବାକି ଅଛି। ଆକ୍ସିସ୍ ବ୍ୟାଙ୍କର ୫୫୯ କୋଟି, ଅର୍‌ସିଲ ବ୍ୟାଙ୍କର ୧୯୬ କୋଟି ଓ ରାଷ୍ଟ୍ରାୟତ୍ତ ଷ୍ଟେଟ୍‌ ବ୍ୟାଙ୍କର ୧୨୦ କୋଟି ଟଙ୍କା ବକେୟା ଋଣ ରହିଛି। ଏହାଛଡ଼ା ଡିବିଏସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଡବ୍ଲୁବିଆଇଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଜେସି ପ୍ଲାୱାର୍ସ ଓ ଇଣ୍ଡସ୍‌ ଇଣ୍ଡ୍‌ ବ୍ୟାଙ୍କରୁ ଋଣ ନେଇଛି ଏହି କଂପାନି। ୧୧ଟି ବ୍ୟାଙ୍କକୁ ନେଇ ଗଠିତ ଏକ କନ୍‌ସୋର୍ଟିୟମ୍‌ ଋଣ ପ୍ରଦାନ କରିଥିବା ବେଳେ କନ୍‌ସୋର୍ଟିୟମ୍‌ର ମୁଖ୍ୟ ଆକ୍ସିସ ବ୍ୟାଙ୍କ ବିର୍ଲା ଟାୟାର୍ସକୁ ସର୍ବାଧିକ ଋଣ ପ୍ରଦାନ କରିଛି। କିନ୍ତୁ ବିର୍ଲା ଟାୟାର୍ସ ଋଣ ପରିଶୋଧ କରି ପାରୁନଥିବାରୁ ଋଣଦାତା ବ୍ୟାଙ୍କମାନେ କମ୍ପାନି ବିରୋଧରେ ଇନ୍‌ସଲ୍‌ଭେନ୍ସି ପ୍ରୋସିଡିଂ (ଦେବାଳିଆ କାର୍ଯ୍ୟାନୁଷ୍ଠାନ) ପାଇଁ ନ୍ୟାସନାଲ୍‌ ଲ’ ଟ୍ରିବ୍ୟୁନାଲ (ଏନ୍‌ଏଲ୍‌ଟି) କୋଲାକାତା ଶାଖାରେ ମାମଲା ରୁଜୁ କରିଛନ୍ତି। ୨୦୨୨ ମସିହା ମେ’ ୩ ତାରିଖରେ ନ୍ୟାସନାଲ୍‌ ଲ’ ଟ୍ରିବ୍ୟୁନାଲ କୋଲକାତା ବେଞ୍ଚ୍‌ ବିର୍ଲା ଟାୟାର୍ସ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସବୁଜ ସଙ୍କେତ ପ୍ରଦାନ କରିଥିଲେ। ଏହା ପରେ ବିର୍ଲା ଟାୟାର୍ସକୁ କିଣିବା ଲାଗି ଦେଶର ଏକାଧିକ କମ୍ପାନି ଆଗ୍ରହ ଦେଖାଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ଟାୟାର କମ୍ପାନି ‘ସିଏଟ୍’, ଇଣ୍ଡିଆ ରିସର୍ଜେଣ୍ଟ ଫଣ୍ଡ, ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର, ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ଓ ଏମସିପିଆଇ ଭଳି ବଡ଼ ସଂସ୍ଥା ବିଡ୍‌ ଦାଖଲ କରିଛନ୍ତି। ଏହାଛଡ଼ା କିଛି ଘରୋଇ ଇକ୍ବିଟି ଓ ସମ୍ପତ୍ତି ପରିଚାଳନା ସଂସ୍ଥା ମଧ୍ୟ ବିର୍ଲା ଟାୟାର୍ସକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଜିନ୍ଦଲ୍‌ ପଲି ଫିଲ୍ମସ, ଫାଲ୍‌କନ୍ ମେରାଇନ୍, ହିମାଦ୍ରୀ କେମିକାଲ୍‌ସ, ୟୁନାଇଟେଡ୍‌ ବାୟୋଟେକ୍, ଓଡ଼ିଶା ମେଟାଲିକ୍ସ ଓ ଡିଡି ଷ୍ଟିଲ୍ ଆଣ୍ଡ୍‌ ପାୱାର ଭଳି ସଂସ୍ଥା। ଏମାନେ ମଧ୍ୟ ଏକ୍ସପ୍ରେସନ୍ ଅଫ୍‌ ଇଣ୍ଟ୍ରେଷ୍ଟ୍‌ (ଇଓଆଇ) ଦାଖଲ କରିଛନ୍ତି। କିନ୍ତୁ ଋଣଦାତା ବ୍ୟାଙ୍କମାନଙ୍କୁ ୩୦୦ କୋଟିର ଋଣ ପରିଶୋଧ ପ୍ରସ୍ତାବ ଦେଇ ଡାଲମିଆ ସିମେଣ୍ଟ ଏହି ଦୌଡ଼ରେ ଆଗୁଆ ରହିଛି।

ବାଲେଶ୍ବରରେ ବନ୍ଦ ପଡ଼ିଥିବା ବିର୍ଲା ଟାୟାର୍ସ ପାଇଁ ଉପରୋକ୍ତ କଂପାନିଗୁଡ଼ିକ ଅଧିକ ଆଗ୍ରହ ଦେଖାଇବା ପଛର କାରଣ ହେଉଛି, ଏଠାରେ ଥିବା ୧୮୧ ଏକର ଫ୍ରି ହୋଲ୍‌ଡ ମୂଲ୍ୟବାନ୍ ଜମି, ବିଶାଳ କାରଖାନା ଓ ଆବଶ୍ୟକ ଶିଳ୍ପ ଭିତ୍ତିଭୂମି। ଏମିତିରେ ଦେଶରେ ବର୍ତ୍ତମାନ ଟାୟାରର ଢେର ଚାହିଦା ରହିଥିବା ବେଳେ ବିର୍ଲା ଟାୟାର୍ସ ଦୁଇଚକିଆ ଓ ସମସ୍ତ ବାଣିଜ୍ୟିକ ଯାନ ନିମନ୍ତେ ଏଠାରୁ ଟାୟାର ଉତ୍ପାଦନ କରୁଥିଲା। ୮୦ ଦଶକରେ କେରୋସମ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ବାଲେଶ୍ବରରେ ପ୍ରତିଷ୍ଠିତ ବିର୍ଲା ଟାୟାର୍ସ ମାର୍କେଟ୍‌ରେ ନିଜସ୍ବ ଏକ ବ୍ରାଣ୍ଡ ମଧ୍ୟ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ପରିଚାଳନାଗତ ବିଭ୍ରାଟ ଯୋଗୁଁ ଏହି ଶିଳ୍ପସଂସ୍ଥା ରୁଗଣ ହୋଇ ଯାଇଥିବା ବେଳେ ୨୦୧୯ରୁ କାରଖାନାରୁ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ସମ୍ବନ୍ଧିତ ଖବର