ପ୍ରଳୟ କ୍ଷେତ୍ର!

ଏଥିରେ ଦ୍ବିରୁକ୍ତି ନାହିଁ ଯେ ହିମାଳୟ କୈନ୍ଦ୍ରିକ ବିଶାଳ ପର୍ଯ୍ୟଟନ ଶିଳ୍ପକୁ ଉପଜୀବ୍ୟ କରି ହିମାଳୟ ବକ୍ଷରେ ହେଉଥିବା ବୃହତ୍‌ ଭିତ୍ତିଭୂମିଗତ ନିର୍ମାଣ, ଅତିକାୟ ଟନେଲ ଖନନ, ବୃକ୍ଷ ଛେଦନ, ବସତି ନିର୍ମାଣ ଭଳି କାର୍ଯ୍ୟମାନ କେବଳ ବିପଜ୍ଜନକ ଅପରିଣାମଦର୍ଶିତା ବ୍ୟତୀତ ଆଉ କିଛି ନୁହେଁ।

ସଂପ୍ରତି ହିମାଳୟ କ୍ରୋଡ଼ାଶ୍ରିତ ଅଞ୍ଚଳଗୁଡ଼ିକ କିଭଳି ବର୍ଣ୍ଣନାତୀତ ଭାବେ ଦାରୁଣ ପ୍ରାକୃତିକ ବିଭୀଷିକାର ସମ୍ମୁଖୀନ ହେବାରେ ଲାଗିଛନ୍ତି, ତାହା ସୁବିଦିତ ଏବଂ ସଦ୍ୟ ‌ତହିଁରେ ଯୋଡ଼ି ହୋଇଯାଇଛି ସିକ୍କିମ ବନ୍ୟା ବିପର୍ଯ୍ୟୟ। ହିମାଳୟ କ୍ଷେତ୍ରରେ ଘଟୁଥିବା ଏହି ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ଭିନ୍ନ ଭିନ୍ନ ପ୍ରକାରର ଯେମିତି କି ଅତର୍କିତ ତଥା ଅଭୂତପୂର୍ବ ଭାବେ ପ୍ରଳୟଙ୍କରୀ ବନ୍ୟା, ଭୂସ୍ଖଳନ, ଭୂଚଳନ, ତୁଷାର ଝଡ଼ ଇତ୍ୟାଦି ଏବଂ ଏଗୁଡ଼ିକର ପଛରେ ବିଦ୍ୟମାନ କାରଣମାନ ମଧ୍ୟ ବିବିଧ, ଯେମିତି କି ସ୍ପର୍ଶକାତର ପାର୍ବତ୍ୟ ଢାଲୁ ଅଞ୍ଚଳରେ ମାତ୍ରାଧିକ ନିର୍ମାଣ, ବସତି ସ୍ଥାପନ, ଖନନ, ବୃକ୍ଷ ଛେଦନ ଏବଂ ଜଳବାୟୁ ପରିବର୍ତ୍ତନଜନିତ ମାତ୍ରାଧିକ ବୃଷ୍ଟିପାତ ଏବଂ ଉତ୍ତପ୍ତ ପରିବେଶ ଇତ୍ୟାଦି। କିନ୍ତୁ ଏଥିରେ ଯେଉଁ ବିଡ଼ମ୍ବନାଟି ପ୍ରଣିଧାନଯୋଗ୍ୟ, ତାହା ହେଲା ଏହି କାରଣଗୁଡ଼ିକର ସ୍ରଷ୍ଟା ଓ ସୂତ୍ରଧର ହେଉଛି ମନୁଷ୍ୟ; ଯାହାର ଅପରିଣାମଦର୍ଶିତା, ଅହଙ୍କାର, ଅବହେଳା ଏବଂ ଲୋଭ ହେତୁ ଏଭଳି ବିପର୍ଯ୍ୟୟମାନ ସଂଘଟିତ ହେବାରେ ଲାଗିଛି ଏବଂ ଏ ସବୁଥିରେ ସର୍ବାଧିକ କ୍ଷତିର ଶିକାର ମଧ୍ୟ ହେଉଛି ସେହି ମନୁଷ୍ୟ; ଅଥଚ ଚୈତନ୍ୟ ଉଦୟ ହେବାର ସଂକେତ ମିଳୁ ନାହିଁ।
ଗଲା ଅକ୍‌ଟୋବର ୪ ତାରିଖର ନିସ୍ତବ୍‌ଧ ପାହାନ୍ତା ପ୍ରହରରେ ସିକ୍କିମର ତିସ୍ତା ନଦୀରେ ଯେଉଁ ଅଭୂତପୂର୍ବ ‘ଫ୍ଲାସ୍‌ ଫ୍ଲଡ୍’ ବା ‘ଅତର୍କିତ ବନ୍ୟା’ ସୃଷ୍ଟି ହେଲା, ତାହା ଯେ ‘ଗ୍ଲାସିଅର୍‌ ଲେକ୍‌ ଆଉଟ୍‌ବର୍ଷ୍ଟ‌୍ ଫ୍ଲଡ୍‌’ ବା ସଂକ୍ଷେପରେ ‘ଗ୍ଲଫ୍‌’ ବା ଆମ ଭାଷାରେ ‘ହିମବାହ ହ୍ରଦରେ ଘାଇଜନିତ ବନ୍ୟା’; ତାହା ଉପଗ୍ରହରୁ ପ୍ରାପ୍ତ ଫଟୋଚିତ୍ର ଦ୍ବାରା ପ୍ରମାଣିତ ହୋଇ ସାରିଛି। ପ୍ରକାଶ ଥାଉ କି ବିଶ୍ବ ଉତ୍ତପ୍ତୀକରଣ ହେତୁ ହିମାଳୟ ବକ୍ଷରେ ଥିବା ‘ଗ୍ଲାସିଅର୍’ ବା ‘ହିମବାହ’ଗୁଡ଼ିକର ବରଫ ତରଳି ସେହି ସ୍ଥାନରେ ସୃଷ୍ଟ ହ୍ରଦକୁ ‘ହିମବାହ ହ୍ରଦ’ ବୋଲି କୁହାଯାଇଥାଏ, ଯହିଁରେ ଜଳର ପରିମାଣ ଅଧିକ ହୋଇ ଚାପ ବୃଦ୍ଧି ପାଇଲେ ହ୍ରଦର ପ୍ରାକୃତିକ ହିଡ଼ ଭୁଶୁଡ଼ି ପଡ଼ି ଘାଇ ସୃଷ୍ଟି ହୁଏ ଏବଂ ବିପୁଳ ଜଳରାଶି ତଳକୁ ପ୍ରବାହିତ ହୋଇ ଭୂସ୍ଖଳନ ଏବଂ ଭୀଷଣ ବନ୍ୟା ସୃଷ୍ଟି କରେ। ସୁତରାଂ, ସିକ୍କିମ ବନ୍ୟାର କାରଣ ହେଉଛି ‘ଦକ୍ଷିଣ ଲୋନାକ ହିମବାହ ହ୍ରଦ’ରେ ଘାଇ ସୃଷ୍ଟି ଓ ତଜ୍ଜନିତ ତିସ୍ତା ନଦୀରେ ବନ୍ୟା। ଏଠାରେ ପ୍ରକାଶ ଥାଉ କି ‘ଦକ୍ଷିଣ ଲୋନାକ ହ୍ରଦ’କୁ ଜଳ ପୂର୍ଣ୍ଣ କରୁଥିବା ହିମବାହର ବରଫ କ୍ରମାଗତ ଭାବେ ତରଳି ୧୯୬୨ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ୫୭ ବର୍ଷର ଅବଧି ମଧ୍ୟରେ ହିମବାହଟିକୁ ପ୍ରାୟ ୨.୫ କିଲୋମିଟର ଯାଏ ସଂକୁଚିତ କରି ଦେଇଥିଲା। ସୁତରାଂ, ଏହି କାରଣରୁ କ୍ରମ ସ୍ଫୀତମାନ ହୋଇ ଚାଲିଥିବା ଲୋନାକ ହ୍ରଦରେ ଯେତେବେଳେ ଅକ୍‌ଟୋବର ୩ ତାରିଖର ବାଦଲ ଫଟା ବର୍ଷାର ଜଳ ପ୍ରବେଶ କଲା, ହ୍ରଦର ବନ୍ଧ ତା’ର ସହନ ଶକ୍ତି ହରାଇବା ସ୍ବାଭାବିକ ହୋଇ ଯାଇଥିଲା। ଏଠାରେ ପ୍ରକାଶ ଥାଉ କି ୨୦୧୩ ମସିହା, ଜୁନ୍‌ ମାସରେ ଘଟିଥିବା ପ୍ରଳୟଙ୍କରୀ କେଦାରନାଥ ବନ୍ୟାର କାରଣ ମଧ୍ୟ ଥିଲା ଏହିଭଳି ଏକ ‘ଗ୍ଲଫ୍‌’। ଚଳିତ ସିକ୍କିମ ବନ୍ୟା ପରିପ୍ରେକ୍ଷୀରେ ‘ଦକ୍ଷିଣ ଲୋନାକ ହ୍ରଦ’ରେ ସୃଷ୍ଟ ଜଳ ବିସ୍ଫୋଟର ତୀବ୍ରତା କେବଳ ଏଥିରୁ ଅନୁମାନ କରିହେବ ଯେ ଏହି ବନ୍ୟାର ଆଘାତ ସିକ୍କିମର ବୃହତ୍ତମ ନଦୀ ଜଳ ଭଣ୍ଡାର ଚୁଗତାଙ୍ଗ ବନ୍ଧର କାନ୍ଥରେ ମଧ୍ୟ ଫାଟ ସୃଷ୍ଟି କରିଛି।
ତେବେ, ସିକ୍କିମ ବନ୍ୟା ସଂଦର୍ଭରେ ଯାହା ସର୍ବାଧିକ ବିଚଳିତ କରିଥାଏ, ତାହା ହେଲା ବିଗତ କିଛି ବର୍ଷ ଧରି ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଗବେଷଣା ଅନୁଷ୍ଠାନର ବୈଜ୍ଞାନିକଗଣ ‘ଦକ୍ଷିଣ ଲୋନାକ ହ୍ରଦ’ରେ ଅବଶ୍ୟମ୍ଭାବୀ ଘାଇ ସଂପର୍କରେ ସତର୍କ ବାଣୀ ପ୍ରଦାନ କରି ଆସିଥିଲେ ମଧ୍ୟ ତାହାକୁ ମୁଖ୍ୟତଃ ନଜରଅନ୍ଦାଜ କରାଯାଇଥିଲା ଏବଂ ସରକାରୀ ଉଦ୍‌ବେଗ କେବଳ ଏ ସଂପର୍କିତ ତଥ୍ୟ ଆହରଣ ଏବଂ ବିଚାରବିମର୍ଶ ଆଦିରେ ସୀମିତ ଥିଲା। ୨୦୨୧ ମସିହା‌େର ‘ଜିଓମର୍ଫ‌ଲୋଜି’ ନାମକ ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟରେ ଲୋକାନ ହ୍ରଦର ବିପଦ ନେଇ ସତର୍କ କରାଇ ଦିଆଯାଇଥିଲା, ଯହିଁରେ ଏହି ହ୍ରଦକୁ ଜଳାର୍ଣ୍ଣବ କରି ଚାଲିଥିବା ହିମବାହର ନିରବଚ୍ଛିନ୍ନ ତରଳିବା ବିଷୟରେ ଇଙ୍ଗିତ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଯୁକ୍ତରାଷ୍ଟ୍ର ଆମେରିକାର ଡେଟନ୍‌ ବିଶ୍ବବିଦ୍ୟାଳୟ ଏବଂ ଅଷ୍ଟ୍ରିଆର ଗ୍ରାଜ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ମଧ୍ୟ ‘ଦକ୍ଷିଣ ଲୋନାକ ହ୍ରଦ’ ଧସିଯିବାର ଆଶଙ୍କା ପ୍ରକଟ କରି ସତର୍କ ବାଣୀ ପ୍ରଦାନ କରିଥିଲେ। ପ୍ରକାଶ ଥାଉ କି ‘ଦକ୍ଷିଣ ଲୋନାକ ହ୍ରଦ’ ସମୁଦ୍ର ପତ୍ତନ ଠାରୁ ୫୨୦୦ ମିଟର ଉଚ୍ଚତାରେ ଅବସ୍ଥିତ ଏବଂ ଏହା ଥିଲା ସର୍ବାଧିକ ଦ୍ରୁତ ଗତିରେ କାୟା ବର୍ଦ୍ଧନ କରୁଥିବା ହ୍ରଦ ଭିତରୁ ଅନ୍ୟତମ। ହାଇଦ୍ରାବାଦସ୍ଥିତ ‘ରିମୋଟ୍‌ ସେନ୍‌ସିଂ ଇନ୍‌ଷ୍ଟଚ୍ୟୁଟ୍‌’ ଦ୍ବାରା ପ୍ରକାଶିତ ରିପୋର୍ଟ କହିଥାଏ ଯେ ସିକ୍କିମ ଅନ୍ତର୍ଭୁକ୍ତ ହିମାଳୟ ବକ୍ଷରେ ୭୩୩ଟି ହିମବାହ ହ୍ରଦ ରହିଛି, ଯହିଁରୁ ୨୮୮ଟି ସମୁଦ୍ର ପତ୍ତନ ଠାରୁ ୫୦୦୦ ମିଟରରୁ ଅଧିକ ଉଚ୍ଚତାରେ ଅବସ୍ଥିତ ଏବଂ ସେଗୁଡ଼ିକ ଧୀର ଓ ମନ୍ଥର ଭାବେ ସ୍ଫୀତ ହେବାରେ ଲାଗିଛନ୍ତି। ଏଥିରୁ ସ୍ପଷ୍ଟ ଯେ ସିକ୍କିମ ଏବଂ ଅନ୍ୟାନ୍ୟ ହିମାଳୟୀ ରାଜ୍ୟଗୁଡ଼ିକ ଭୟାବହ ‘ଗ୍ଲଫ୍‌’ର ଶିକାର ହେବାର ଆଶଙ୍କା ରହିଛି। ବ୍ରିଟେନରୁ ପ୍ରକାଶିତ ହେଉଥିବା ପ୍ରସିଦ୍ଧ ବିଜ୍ଞାନ ଓ ପରିବେଶ ଭିତ୍ତିକ ପତ୍ରିକା ‘ଦ ନେଚର୍‌’ର ଏକ ଆଲେଖ୍ୟ କହିଥାଏ ଯେ ହିମାଳୟ ଏବଂ ଆଣ୍ଡିଜ୍‌ ପର୍ବତମାଳାରେ ଅବସ୍ଥିତ ‘ହିମବାହ ହ୍ରଦ’ଗୁଡ଼ିକରୁ ଅତର୍କିତ ବନ୍ୟା ସୃଷ୍ଟିର ବିପଦ ଘନେଇ ରହିଛି, ଯାହାର ଶିକାର ହେବେ ଭାରତ, ନେପାଳ, ଭୁଟାନ, ପାକିସ୍ତାନ, ଚୀନ ଏବଂ ପେରୁର ପ୍ରାୟ ୧୫ ନିୟୁତ ଅଧିବାସୀ। ସୁତରାଂ, ଏହାର ପ୍ରତିକାର ବ୍ୟବସ୍ଥା ଯେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତହିଁରେ ଦ୍ବିରୁକ୍ତି ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଏହାର ପ୍ରତିକାରର ସର୍ବୋତ୍ତମ ଦୃଷ୍ଟାନ୍ତ ପେରୁ ସ୍ଥାପନ କରିଛି ଏବଂ ନେପାଳ ମଧ୍ୟ ଏ ସଂଦର୍ଭରେ ଦୂରଦୃଷ୍ଟିର ପରିଚୟ ଦେଇଛି। ଏହି ପ୍ରତିକାର ବ୍ୟବସ୍ଥା ହେଲା ହିମବାହ ହ୍ରଦଗୁଡ଼ିକରେ କୃତ୍ରିମ ନାଳ ବା କେନାଲ କଟା ଯାଇ ଜଳରାଶିକୁ ନିୟନ୍ତ୍ରିତ ଉପାୟରେ ବହିଯିବାକୁ ଛାଡ଼ି ଦେବା, ଯାହା ହେଲେ ଅତ୍ୟଧିକ ଜଳ ଚାପ କାରଣରୁ ଘାଇ ସୃଷ୍ଟି ହେବାର ଆଶଙ୍କା ରହିବ ନାହିଁ। ମନେ ରଖିବାକୁ ହେବ ଯେ ହିମାଳୟ ପର୍ବତମାଳା ଶକ୍ତ ପଥରରେ ନୁହେଁ, ବରଂ, କାଦୁଅରେ ଗଢ଼ା ଯାହା ତା’ର ଦୀର୍ଘ ବୟସ କାଳ ମଧ୍ୟ‌େର ଟାଣ ହୋଇଯାଇ ଶିଳାର ଭ୍ରମ ସୃଷ୍ଟି କରିଥାଏ ଯାହା। ତେଣୁ ଏଥିରେ ଦ୍ବିରୁକ୍ତି ନାହିଁ ଯେ ହିମାଳୟ କୈନ୍ଦ୍ରିକ ବିଶାଳ ପର୍ଯ୍ୟଟନ ଶିଳ୍ପକୁ ଉପଜୀବ୍ୟ କରି ହିମାଳୟ ବକ୍ଷରେ ହେଉଥିବା ବୃହତ୍‌ ଭିତ୍ତିଭୂମିଗତ ନିର୍ମାଣ, ଅତିକାୟ ଟନେଲ ଖନନ, ବୃକ୍ଷ ଛେଦନ, ବସତି ନିର୍ମାଣ ଭଳି କାର୍ଯ୍ୟମାନ କେବଳ ବିପଜ୍ଜନକ ଅପରିଣାମଦର୍ଶିତା ବ୍ୟତୀତ ଆଉ କିଛି ନୁହେଁ। ତେବେ ଏ ପ୍ରସଙ୍ଗରେ ଯାହା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଗବେଷକ ଓ ବିଜ୍ଞ ବିଶାରଦମାନେ ଏ ସଂପର୍କରେ ପ୍ରଦାନ କରୁଥିବା ସତର୍କ ବାଣୀକୁ ଶୁଣିବା ଭଳି ସାଧାରଣ ବୁଦ୍ଧିର ଉଦୟ। ଉଲ୍ଲେଖଯୋଗ୍ୟ ଯେ ମାତ୍ରାଧିକ ମାନବୀୟ ଅତିକ୍ରମଣ କାରଣରୁ ଉତ୍ତରାଖଣ୍ଡର ଯୋଶୀମଠ ସହର ଅସ୍ତିତ୍ବ ସଂକଟର ସମ୍ମୁଖୀନ ହୋଇପାରେ ବୋଲି ଆଜିକୁ ୫୭ ବର୍ଷ ତଳେ ଅର୍ଥାତ୍‌ ୧୯୭୬ ମସିହାରେ ମିଶ୍ର କମିଟି ରିପୋର୍ଟ ସତର୍କ କରାଇ ଦେଇଥିଲା, ଯାହାକୁ କର୍ଣ୍ଣପାତ କରାଯାଇ ନ ଥିବାରୁ ଏବେ ସେହି ସହର ତା’ର ପରିଣାମ ଭୋଗୁଛି। ଆମେରିକୀୟ ବିଦ୍ବାନ ବେଞ୍ଜାମିନ ଫ୍ରାଙ୍କଲିନ କହି ନ ଥିଲେ କି ଉପଦେଶ ସମସ୍ତେ ପାଆନ୍ତି, କିନ୍ତୁ ନିର୍ବୋଧମାନେ ତାହା ଶୁଣନ୍ତି ନାହିଁ। ଏଭଳି ନିର୍ବୋଧତା ବଳବତ୍ତର ରହିଲେ ହିମାଳୟ କ୍ଷେତ୍ର ଅଚିରେ ଏକ ପ୍ରଳୟ କ୍ଷେତ୍ରରେ ପରିଣତ ହେବ!

ସମ୍ବନ୍ଧିତ ଖବର