ରଶ୍ମିକାଙ୍କ ପ୍ରଶଂସକ ହେବା ସହ ଇଞ୍ଜିନିୟର ଥିଲେ ଅଭିଯୁକ୍ତ, ଫଲୋୟର୍ସ ବଢ଼ାଇବା ପାଇଁ ଡିପଫେକ କରିଥିଲେ ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ‘ଡିପ୍‌ଫେକ୍‌’ ଭିଡିଓକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ଏବେ ଆକ୍ସନ ମୋଡ୍‌କୁ ଆସିଛି ପୁଲିସ୍‌। ତାଙ୍କର ‘ଡିପ୍‌ଫେକ୍‌’ ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଜଣେ ଅଜ୍ଞାତ ଲୋକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ପୁଲିସ୍‌କୁ ନୋଟିସ୍‌ ପଠାଇବା ପରେ ପୁଲିସ୍‌ ତତ୍ପରତା ଦେଖାଇଥିଲା। ନଭେମ୍ବର ୨୦୨୩ରେ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣେ ଇଞ୍ଜିନିୟର ଓ ରଶ୍ମିକାଙ୍କ ପ୍ରଶଂସକ ବୋଲି ଜଣାପଡ଼ିଛି। ଅଭିଯୁକ୍ତଜଣକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାମ ଇମାନୀ ନବୀନ ବୋଲି ସାମ୍ନାକୁ ଆସିଛି। ରଶ୍ମିକାଙ୍କ ପ୍ରଶଂସକ ‌ହୋଇଥିବାରୁ ତାଙ୍କର ଫ୍ୟାନ୍ ପେଜ୍ ଚଳାଉଥିଲେ ନବୀନ। ମାତ୍ର ୯୦ହଜାର ଫଲୋୟର୍ସ ଥିବାରୁ ଏହାକୁ ବଢ଼ାଇବାକୁ ନବୀନ ଚାହୁଥିଲେ। ଏହି କାରଣରୁ ସେ ରଶ୍ମିକାଙ୍କର ଡିପଫେକ୍ ଭିଡିଓ ସେୟାର କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି। ଭିଡିଓ ସେୟାର କରିବାର ୨ସପ୍ତାହ ପରେ ପେଜର ଫଲୋୟର୍ସ ସଂଖ୍ୟା ୯୦ହଜାରରୁ ବଢ଼ି ୧ଲକ୍ଷ ୮ହଜାରରେ ପହଞ୍ଚିଥିଲା, ଯାହା ନବୀନଙ୍କୁ ଭାରୀ ପଡ଼ିଥିଲା। ଭିଡିଓକୁ ନେଇ ବିବାଦ ହେବା ସହ ଏତଲା ରୁଜୁ କରିଦେଇଥିଲେ ରଶ୍ମିକା।

ଗିରଫ ଡରରେ ନବୀନ ଭିଡିଓ ନିଜ ପେଜରୁ ହଟାଇ ଦେବା ସହ ପ୍ରୋଫାଇଲର ନାମ ବଦଳାଇ ଦେଇଥିଲେ। ସବୁ ପରେ ବି ପୁଲିସ ତାଙ୍କ ପାଖରେ ପହଞ୍ଚି ଯାଇଥିଲା। କୁହାଯାଉଛି ଯେ, ନବୀନ ଚେନ୍ନାଇର ଏକ ଇଞ୍ଜିନିୟରିଂ କଲେଜରେ ବିଟେକ୍ କରିବା ପରେ କିଛି ବର୍ଷ ସେଠାରେ ରହି ୨୦୨୩ରେ ନିଜ ଗାଁକୁ ଫେରିଥିଲେ। ଘରକୁ ଫେରି ‌ସେ ବିଭିନ୍ନ ସେଲିବ୍ରିଟିଙ୍କ ଫ୍ୟାନ୍ ପେଜ୍ ତିଆରି କରି ଟଙ୍କା ଆୟ କରିବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର