ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ରେ ଗ୍ରେନେଡ୍‌ ଆକ୍ରମଣ; ଜଣେ ପୁଲିସ କର୍ମଚାରୀ ସହିଦ

ଶ୍ରୀନଗର: ଶନିବାର ରାତିରେ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଗ୍ରେନେଡ୍‌ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ସହିଦ ହୋଇଯାଇଥିବା କଥା ପୁଲିସ କହିଛି।

କଶ୍ମୀର ପୁଲିସ କହିବା ଅନୁସାରେ, କୁଲ୍‌ଗାମ୍‌ ଜିଲ୍ଲାର କ୍ବୈମୋହ୍‌ ଅଞ୍ଚଳରେ ହୋଇଥିବା ଉପରୋକ୍ତ ଗ୍ରେନେଡ୍‌ ଆକ୍ରମଣରେ ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ମେନ୍ଧର୍‌ ନିବାସୀ ତାହିର୍‌ ଖାଁ ନାମରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ଅନନ୍ତନାଗସ୍ଥିତ ସରକାରୀ ମେଡିକାଲ୍‌ କଲେଜ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

କଶ୍ମୀର ଜୋନ୍‌ ପୁଲିସ୍‌ର ଟୁଇଟର୍‌ ହ୍ୟାଣ୍ଡଲ୍‌ ଲେଖିଛି: ଗତରାତିରେ କୁଲ୍‌ଗାମ୍‌ର କ୍ବୈମୋହ୍‌ରେ ଗ୍ରେନେଡ୍‌ ଆକ୍ରମଣ ସଙ୍ଗଠିତ ହୋଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ପୁଞ୍ଚ୍‌ ଜିଲ୍ଲାର ମେନ୍ଧର୍‌ ନିବାସୀ ତାହିର୍‌ ଖାଁ ନାମରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ଅନନ୍ତନାଗସ୍ଥିତ ‘ଜିଏମ୍‌ସି ହସ୍ପିଟାଲ୍‌’କୁ ନିଆଯାଇଥିଲା। ପରେ ସେ ସେଠାରେ ସହିଦ ହୋଇଯାଇଥିଲେ।

Image Courtesy of The Quint

ଅଳ୍ପ ଦିନ ତଳେ ପାହାନ୍ତା ପୂର୍ବରୁ ଦୁଇ ଜଣ ଆତଙ୍କବାଦୀ ରାଜୌରି ଜିଲ୍ଲାସ୍ଥିତ ସେନା ଶିବିରରେ ଆକ୍ରମଣ କରିବାରୁ ୪ଜଣ ଯବାନ ସହିଦ ହେବା ପରେ ଶନିବାରର ଘଟଣା ଘଟିଛି। ଦୀର୍ଘ ୪ ଘଣ୍ଟାକାଳ ଗୁଳି ବିନିମୟ ଚାଲିବା ପରେ ପାକସ୍ତିାନସ୍ଥିତ ‘ଜୈଶ୍‌-ଏ-ମହମ୍ମଦ୍‌’ ଆତଙ୍କବାଦୀ ସଙ୍ଗଠନର ଉପରୋକ୍ତ ୨ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା।

ପୁଲିସ କହିଛି, ଉପରୋକ୍ତ ଆକ୍ରମଣରୁ ସୂଚନା ମିଳୁଛି ଯେ, ୩ ବର୍ଷରୁ ଅଧିକ ସମୟ ପରେ ଜମ୍ମୁ ଓ କଶ୍ମୀରକୁ ‘ଫିଦାୟୀନ୍‌’ମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସେପଟେ, ଦେଶର ୭୬ତମ ସ୍ବାଧୀନତା ଦିବସ ଉପଲକ୍ଷେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି।

ସମ୍ବନ୍ଧିତ ଖବର