ସୂଚନାଦାତା ଜୀବନକୁ ବିପଦରେ ପକାଇ ସୂଚନା ଦିଅନ୍ତି: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ ସୂଚନାଦାତାମାନେ ଅନେକ ବିପଦକୁ ସମ୍ମୁଖୀନ କରନ୍ତି, ଏଭଳି ପରିସ୍ଥିତିରେ ସରକାରଙ୍କ ଆଭିମୁଖ୍ୟ ଏପରି ହେବା ଉଚିତ ଯେ ସୂଚନା ଦେବାକୁ ସେମାନେ ଯେଭଳି ହତୋତ୍ସାହିତ ନ ହେବେ | ଜଣେ ମହିଳାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ସରକାରଙ୍କୁ ଉକ୍ତ ମହିଳାଙ୍କ ପାଇବାକୁ ଥିବା ଅର୍ଥରାଶି ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ଏହି ମହିଳାଙ୍କ ସ୍ୱାମୀ ଚନ୍ଦ୍ରକାନ୍ତ ଧରଭେ ୧୯୯୧ ମସିହାରେ ହୀରା ଚୋରା ଚାଲାଣ ସମ୍ପର୍କରେ କଷ୍ଟମ ବିଭାଗକୁ ସୂଚନା ଦେଇଥିଲେ, ଯେଉଁଥିପାଇଁ କଷ୍ଟମ ବିଭାଗ ଚଢ଼ାଉ କରି ପ୍ରାୟ ୯୦ ଲକ୍ଷ ଟଙ୍କା ମୂଲ୍ୟର ହୀରା ଉଦ୍ଧାର କରିଥିଲା। ଏହି ସୂଚନା ବଦଳରେ ବିଭାଗ ଚନ୍ଦ୍ରକାନ୍ତଙ୍କୁ ଅଗ୍ରୀମ ପୁରସ୍କାର ଭାବରେ ୩ ଲକ୍ଷ ଟଙ୍କା ଦେଇଥିଲା। ତେବେ ଏହାପରେ ବିଭାଗ ଚନ୍ଦ୍ରକାନ୍ତଙ୍କୁ ଆଉ ଅର୍ଥରାଶି ଦେଇନଥିଲା | ଅନେକ ଥର ବିଭାଗୀୟ କାର୍ଯ୍ୟାଳୟକୁ ଯିବା ପରେ ମଧ୍ୟ ଚନ୍ଦ୍ରକାନ୍ତ ତାଙ୍କ ପୁରସ୍କାର ରାଶି ପାଇନଥିଲେ। ୨୦୧୦ ମସିହାରେ ଚନ୍ଦ୍ରକାନ୍ତଙ୍କ ଦେହାନ୍ତ ହୋଇଯାଇଥିଲା। ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଜୟଶ୍ରୀ ଧରଭେ ଏହି ଅର୍ଥରାଶି ପାଇବା ପାଇଁ ବାରମ୍ବାର କଷ୍ଟମ ବିଭାଗ ଅଫିସକୁ ଦୌଡ଼ିଥିଲେ |

ଯେତେବେଳେ ବିଭାଗ କୌଣସି ପଦକ୍ଷେପ ନେଇନଥିଲା, ଜୟଶ୍ରୀ ଧରଭେ ୨୦୨୧ ମସିହାରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ଆବେଦନର ଶୁଣାଣି ସମୟରେ ବିଭାଗ କୋର୍ଟଙ୍କୁ କହିଥିଲା ଯେ ଚନ୍ଦ୍ରକାନ୍ତ ପ୍ରକୃତ ସୂଚନାଦାତା କି ନୁହେଁ ତାହା ପ୍ରଥମେ ନିଶ୍ଚିତ କରିବାକୁ ପଡିବ, କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଖାରଜ କରିଥିଲେ | ଜଷ୍ଟିସ ନିତିନ ଜାମଦାର ଏବଂ ଜଷ୍ଟିସ ଅଭୟ ଆହୁଜାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦିଓ ନିୟମ ଅନୁଯାୟୀ ପୁରସ୍କାର ଦାବି କରିବା ଆଇନଗତ ଅଧିକାର ନୁହେଁ, ତଥାପି ଏହାକୁ ଖାରଜ କରାଯାଇପାରିବ ନାହିଁ। କୋର୍ଟ କହିଛନ୍ତି ଯେ ସରକାର ଏପରି ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ ନୁହେଁ ଯେ ଜଣେ ବ୍ୟକ୍ତି ସୂଚନା ଦେବା ପାଇଁ ଆଗକୁ ଆସିବ ନାହିଁ | କୋର୍ଟ କହିଛନ୍ତି ଯେ ସୂଚନା ଦେବା ପାଇଁ ଜଣେ ସୂଚନାଦାତା ଅନେକ ବିପଦର ସମ୍ମୁଖୀନ ହୋଇଥାନ୍ତି | ଜୟଶ୍ରୀ ଧରବେଙ୍କ ପୁରସ୍କାର ରାଶି ମୁକ୍ତ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୨ ସପ୍ତାହ ମଧ୍ୟରେ ଏହି ରାଶି ଦେବା ଉଚିତ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର