ଆମେରିକାରେ କାର୍‌ ଦୁର୍ଘଟଣା: ଚାଲିଗଲା ଆନ୍ଧ୍ରପ୍ରଦେଶ ବିଧାୟକଙ୍କ ପରିବାରର ୬ଜଣଙ୍କ ଜୀବନ

ହାଇଦ୍ରାବାଦ: ମଙ୍ଗଳବାର ସନ୍ଧ୍ୟାବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍‌ରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କ ପରିବାରର ୬ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି।

ବଡ଼ଦିନ ପରଦିନ ଅର୍ଥାତ ଡିସେମ୍ବର ୨୬ ତାରିଖ ଦିନ ଜନ୍‌ସନ୍‌ କାଉଣ୍ଟିରେ ଘଟିଥିବା ଏହି କାର୍‌ ଦୁର୍ଘଟଣାରେ ନିହତ ପ୍ରବାସୀ ଭାରତୀୟ ପରିବାରର ସଦସ୍ୟମାନେ ଥିଲେ ଆନ୍ଧ୍ରପ୍ରଦେଶର ଅମଲାପୁରମ୍‌ର ମୂଳ ବାସିନ୍ଦା ତଥା ରାଜ୍ୟ ଶାସକ ଦଳ ‘ୱାଇଏସ୍‌ଆର୍‌’ କଂଗ୍ରେସ ପାର୍ଟିର ମୁମ୍ମିଦିବରମ ବିଧାୟକ ପି. ଭେଙ୍କଟେଶ ସତୀଶ କୁମାରଙ୍କ ଆତ୍ମୀୟସ୍ବଜନ।

Image Courtesy of NDTV

ସକାଳେ ସେମାନେ ଅନ୍ୟ ଜଣେ ଆତ୍ମୀୟଙ୍କ ଘରକୁ ଯାଇ ସେଠାରୁ ସ୍ଥାନୀୟ ଚିଡ଼ିଆଖାନାକୁ ଯାଇଥିଲେ। ଘରକୁ ଫେରିବା ବାଟରେ ସେମାନେ ଯାତ୍ରା କରୁଥିବା ମିନି ଭ୍ୟାନ୍‌ଟି ୨ଜଣ ଯୁବକ ଚଳାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ ସହିତ ଧକ୍କା ଖାଇଥିଲା। ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌ଟି ରାସ୍ତାର ଭୁଲ୍‌ ପାର୍ଶ୍ବରେ ଯାଉଥିଲା ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି।

ଅତି ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ଦୁର୍ଘଟଣାରୁ ଲୋକେଶ ନାମରେ ଜଣେ ମାତ୍ର ବ୍ୟକ୍ତି ବଞ୍ଚିଯାଇଥିଲେ ବି ସେ ଅତି ସାଙ୍ଘାତିକ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପିକ୍‌ଅପ୍‌ ଭ୍ୟାନ୍‌ ଚଳାଉଥିବା ଦୁଇ ଯୁବକ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଦୁଘର୍ଟଣା ସଂକ୍ରାନ୍ତରେ ‘ଏକ୍ସ୍‌’ କରି ବିଧାୟକ ପୋନ୍ନାଡ଼ା ଭେଙ୍କଟ ସତୀଶ କୁମାର ଲେଖିଛନ୍ତି, ମୋ ଦାଦା ବଡ଼ଦିନ ଅବସରରେ ଜଣେ ଆତ୍ମୀୟଙ୍କ ଘରକୁ ଯାଇଥିଲେ। ଡିସେମ୍ବର ୨୬ ସକା‌ଳେ ସେମାନେ ଚିଡ଼ିଆଖାନା ବୁଲିଯାଇଥିଲେ। ସେମାନଙ୍କ ଗାଡ଼ିକୁ ଦୁଇଜଣ ଯୁବକ ଚଳାଉଥିବା ଗୋଟାଏ ଟ୍ରକ୍‌ ଧକ୍କା ଦେଲା। ଦୁହେଁ ଭୁଲ୍‌ ପାର୍ଶ୍ବରେ ଟ୍ରକ୍‌ ଚଳାଉଥିଲେ ବୋଲି ପୁଲିସ କହିଛି। ସେମାନଙ୍କ ଶବ ଭାରତକୁ ଆଣିବା ଲାଗି ଆମେ ଉଦ୍ୟମ କରୁଛୁ।

ଦୁର୍ଘଟଣାଗ୍ରସ୍ତ ମିନିଭ୍ୟାନ୍‌ରେ ସମୁଦାୟ ୭ଜଣ ଲୋକ ଯାଉଥିଲେ। ମୃତ୍ୟୁ ଘଟିଥିବା ଲୋକମାନଙ୍କ ମଧ୍ୟରେ ଅଛନ୍ତି, ବିଧାୟକଙ୍କ ଦାଦା ପି. ନାଗେଶ୍ବର ରାଓ, ଖୁଡ଼ୀ ସୀତା ମହାଲକ୍ଷ୍ମୀ, ନୀବନ, କୃତ୍ତିକା, ଓ ନିଶିତା ନାମ୍ନୀ ଜଣେ ତରୁଣୀ ଏବଂ ନାଁ ଜଣାପଡ଼ି ନ ଥିବା ତାଙ୍କ ପରିବାରର ଆଉ ଜଣେ ବ୍ୟକ୍ତି।

ସମ୍ବନ୍ଧିତ ଖବର