ନୂଆଦିଲ୍ଲୀ: ନିର୍ବାଚନ ବେଳେ ମିଥ୍ୟା ଖବର ମତଦାତାଙ୍କ ମନୋଭାବକୁ ବଦଳାଇଦିଏ। ଏହା ମିଥ୍ୟା ହେଲେ ବି ଲୋକମାନେ ଏହାଦ୍ବାରା ପ୍ରଭାବିତ ହୋଇ ନିଜ ମତ ଅନ୍ତିମ ମୁହୂର୍ତ୍ତରେ ବଦଳାଇ ଦେଇଥାନ୍ତି। ଏହାଦ୍ବାରା ନିରପେକ୍ଷ ନିର୍ବାଚନ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥାଏ। ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର୍ ଓ ପି ରାୱତ୍ ଏଭଳି ମତ ଦେଇଛନ୍ତି। ଗତ ରବିବାର ଅବସର ନେଇଥିବା ରାୱତ୍ କହିଛନ୍ତି, ସୋସିଆଲ୍ ମିଡିଆ ଏବଂ ଅନ୍ୟ ଗଣମାଧ୍ୟମ ଦ୍ବାରା ମିଥ୍ୟା ଖବର ପ୍ରକାଶ ପାଇବା ଦ୍ବାରା ନିର୍ବାଚନ ପୃଷ୍ଠଭୂମି ବଦଳି ଯାଇଥାଏ। ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଠୋସ୍ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର। ଆମେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲୁ। ଗୁଗୁଲ୍ ଓ ହ୍ବାଟ୍ସଆପ୍ ଭଳି କମ୍ପାନିଗୁଡ଼ିକର ପ୍ରତିନିଧିଙ୍କ ସହ ଏ ବାବଦରେ କଥାବାର୍ତ୍ତା ହୋଇଛି। ଏଥିପାଇଁ ଅନେକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି। ନିର୍ବାଚନ କମିସନ୍ ଏ ଦିଗରେ ଅନୁଧ୍ୟାନ କରି ପଦକ୍ଷେପ ନେବେ। ତେବେ ସୁପ୍ରିମ୍ କୋର୍ଟରେ ଏବେ ପେଡ୍ ନ୍ୟୁଜ୍ ଏବଂ ମିଥ୍ୟା ଖବର ପ୍ରସଙ୍ଗ ବିଚାରାଧୀନ ଥିବାରୁ ଏ ନେଇ ଅଧିକ କିଛି କହିପାରିବେ ନାହିଁ ବୋଲି ରାୱତ୍ କହିଛନ୍ତି।