ସରିଲା ନିର୍ବନ୍ଧ, ଏହି ହୀରା ବ୍ୟବସାୟୀଙ୍କ ଝିଅକୁ ବିବାହ କରିବେ ଗୌତମ ଅଦାନୀଙ୍କ ପୁଅ

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଅଦାନୀଙ୍କ ଘରେ ପୁଣି ଥରେ ବାଜିବ ଶେହନାଇ। ବିବାହ କରିବେ ସାନପୁଅ ଜିତ୍ ଅଦାନୀ। ଜିତଙ୍କ ନିର୍ବନ୍ଧ ରବିବାର ଶେଷ ହୋଇଥିବା ବେଳେ ଖୁବଶୀଘ୍ର ସେ ବିବାହ କରିବେ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ହୀରା ବ୍ୟବସାୟୀଙ୍କ ଝିଅ ଦିବା ଜୈମିନ ଶାହା ବର୍ତ୍ତମାନ ଗୌତମ ଅଦାନୀଙ୍କ ସାନ ବୋହୂ ଭାବରେ ଅଦାନୀ ପରିବାରରେ ପ୍ରବେଶ କରିବାକୁ ଯାଉଛନ୍ତି। ତେବେ ବିବାହ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ସୂଚନା ମୁତାବକ, ଗୌତମ ଅଦାନୀଙ୍କର ଦୁଇଟି ପୁଅ ଅଛନ୍ତି। ବଡ ପୁଅଙ୍କ ନାମ କରଣ ଅଦାନୀ ଏବଂ ସାନପୁଅଙ୍କ ନାଁ ହେଉଛି ଜିତ୍ ଅଦାନୀ। ସାନପୁଅ ଜିତ୍ ଅଦାନୀ ନଭେମ୍ବର ୭, ୧୯୯୭ରେ ଜନ୍ମଗ୍ରହଣ କରିଥିଲେ। ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। କରଣ ଓ ଜିତ୍ ଉଭୟ ବିଦେଶରେ ପାଠ ପଢ଼ିବା ସହ ଭାରତ ଫେରି ବାପାଙ୍କ ବ୍ୟବସାୟ ସମ୍ବାଳିବା ଆରମ୍ଭ କରିଛନ୍ତି। ୨୦୧୯ ମସିହାରେ ଜିତ୍ ଭାରତ ଫେରି ବାପାଙ୍କ ବ୍ୟବସାୟ ସମ୍ଭାଳିବା ଆରମ୍ଭ କରିଥି‌ଲେ ବୋଲି ଜଣାପଡ଼ିଛି। ଏବେ ସେ ଅଦାନୀ ଗ୍ରୁପରେ ଉପସଭାପତି ଭାବେ କାମ କରୁଛନ୍ତି।

ତେବେ ଜିତଙ୍କ ନିର୍ବନ୍ଧ ଗୁଜରାଟର ଅହମଦାବାଦ‌ରେ ରବିବାର ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଦାନୀ ପରିବାରର ବନ୍ଧୁ ଓ ସମ୍ପର୍କୀୟ ଯୋଗ ଦେଇଥିଲେ। ଖୁବ ଛୋଟ ଆକାରରେ ନିର୍ବନ୍ଧ କରାଯାଇଥିବା ଜଣାପଡ଼ିଛି। ଜିତ୍ ହୀରା ବ୍ୟବସାୟୀ ଜୈମିନ ଶାହାଙ୍କ ଝିଅ ଦିବାଙ୍କୁ ବିବାହ କରିବେ। ଜୈମିନ ଶାହା ସି.ଦିନେଶ ଆଣ୍ଡ କୋ. ପ୍ରାଇଭେଟ ଲିମିଟେଡର ମାଲିକ।

ସମ୍ବନ୍ଧିତ ଖବର