ଲାଇଭରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଫଲୋୟର୍ସଙ୍କୁ ଦେଖାଉଥିଲେ, ଦୁର୍ଘଟଣା ହେବାରୁ ଚାଲିଗଲା ଜୀବନ

ଅହମଦାବାଦ: ଲାଇଭରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଫଲୋୟର୍ସଙ୍କୁ ଦେଖାଉଥିଲେ ଯୁବକ। ଦୁର୍ଘଟଣା ହେବାରୁ ଚାଲିଗଲା ଜୀବନ। ଗତ କିଛି ବର୍ଷ ହେଲା ସୋସିଆଲ ମିଡିଆର କ୍ରେଜ୍ ଯୁବପିଢ଼ିଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ନିଜ ଜୀବନ ବିଷୟରେ ସାରା ବିଶ୍ବକୁ ଦେଖାଇବା ପାଇଁ ଲୋକେ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ପୂର୍ବରୁ ରିଲ୍ସ ବା ଲାଇଭ୍ କରୁଥିବା ବେଳେ ଅନେକ ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଗୁଜରାଟର ଅହମଦାବାଦରେ ଏକ‌ ସେଭଳି ଘଟଣା ଘଟିଥିବା ଜଣାପଡ଼ିଛି।

ଦ୍ରୁତ ଗତିରେ ୫ଜଣ ଯୁବକ ଗାଡ଼ି ଚଳାଉଥିବା ବେଳେ ଇନଷ୍ଟାରେ ଲାଇଭ୍ କରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିବାରୁ ୨ଜଣକ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ୫ଜଣକ ବୟସ ୨୨-୨୭ଭିତରେ ହୋଇଥିବା କହିଛି ପୁଲିସ। ଦୁର୍ଘଟଣା ପୂର୍ବର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ କାର୍ ଭିତରେ ବସିଥିବା ପିଲାମାନେ ଲାଇଭ୍ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ଦେଖାଯାଇଛି ଯେ, କାରର ବେଗ ୧୪୦-୧୬୦ କିଲୋମିଟର ପ୍ରତିଘଣ୍ଟା ଅଛି। ଜୋରରେ ଗୀତ ବଜାଇ କାର ଭିତରେ ପାର୍ଟି କରୁଛନ୍ତି ୫ଜଣ ବନ୍ଧୁ। ଭିଡିଓ କରୁଥିବା ଯୁବକ କାର୍ କେତେ ଦ୍ରୁତ ବେଗରେ ଯାଉଛି ବୋଲି ନିଜ ଫଲୋୟର୍ସଙ୍କୁ ଦେଖିବାକୁ କହୁଛନ୍ତି। ପରେ ଦୁର୍ଘଟଣା ପାଇଁ ଜୋରରେ ଶବ୍ଦ ହେବା ସହ ଭିଡିଓ ବନ୍ଦ ହୋଇଯାଉଛି। ଏହା ପରେ କାରର ଅବସ୍ଥା କ’ଣ ହୋଇଛି, ତାହା ଦେଖିବାକୁ ମିଳୁଛି।

ଏହି ଘଟଣାର ସୂଚନା ପାଇବ‌ା ପରେ ପୁଲିସ କାର୍ ଚାଳକଙ୍କ ବିରୋଧରେ ଏତଲା ରୁଜୁ କରିଛି।

ସମ୍ବନ୍ଧିତ ଖବର