ବିବାହ ମଣ୍ଡପରୁ ସିଧା ମତଦାନ କେନ୍ଦ୍ରକୁ ଗଲେ ବର-କନ୍ୟା

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୮୯ ଆସନ ପାଇଁ ଭୋଟର୍‌ମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ପର୍ଯ୍ୟାୟରେ ୭୮୮ ପ୍ରାର୍ଥୀ ମଇଦାନରେ ଥିବା ବେଳେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିଥିଲା। ମତଦାନ ସମୟରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିବାହ ମଣ୍ଡପରୁ ସିଧା ମତଦାନ କେନ୍ଦ୍ରକୁ ଆସି ବର-କନ୍ୟା ମତଦାନ କରିଥିବା ଦେଖାଯାଇଥିଲା।

ଏବେ ବର ବୈଭବ ଓ କନ୍ୟା କବିତାଙ୍କ ମତଦାନ କେନ୍ଦ୍ର ସାମ୍ନାରେ ଠିଆ ହୋଇଥିବା ଫଟୋ ଭାଇରାଲ ହେଉଛି। କୁଚ ଜିଲ୍ଲାର ଭୁଜ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ୨୦୮ମତଦାନ କେନ୍ଦ୍ରରେ ଏହି ଦମ୍ପତି ମତଦାନ କରିଥିବା ଦେଖିବାକୁ ମିଳିଥିଲା।

ସେହିପରି, ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଭୋଟ୍ ଦେବା ପାଇଁ ଜଣେ କନ୍ୟା ନିଜର ହଲଦୀକୁ ମଝିରେ ଛାଡ଼ି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଫେନି ପାରେଖ ନାମକ ମହିଳା ସୁରଟର କଟରଗାମରେ ଭୋଟ୍ ଦେବା ପାଇଁ ଧାଡିରେ ଠିଆ ହୋଇଥିବାର ଫଟୋ ଭାଇରାଲ ହୋଇଥିଲା।

ଅନ୍ୟପକ୍ଷରେ ୫ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ଦାର ହୋଇଛି। ଆଗାମୀ ଦୁଇ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ୭ଟି ରୢାଲିରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ଏବଂ ଆପ୍‌ ନେତାମାନେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ମାରାଥନ ପ୍ରଚାର ଜାରି ରଖିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୯୩ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ।

ସମ୍ବନ୍ଧିତ ଖବର