ହିଜାବ୍‌ ପାଇଁ ‘ମୋରାଲିଟି ପୋଲିସ’ଦ୍ବାରା ଗିରଫ ହେବା ପରେ ‘କୋମା’ରେ ପଡ଼ିଥିବା ୨୨ ବର୍ଷୀୟ ଇରାନୀ ତରୁଣୀଙ୍କ ମୃତ୍ୟୁ

ତେହେରାନ୍‌: ତେହେରାନ୍‌ରେ କୁଖ୍ୟାତ ‘ମୋରାଲିଟି ପୋଲିସ୍‌’ଦ୍ବାରା ଗିରଫ ହୋଇ ‘କୋମା’ରେ ପଡ଼ିଥିବା ଜଣେ ଇରାନୀୟ ତରୁଣୀଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି। ତାଙ୍କର ସନ୍ଦେହଜନକ ମୃତ୍ୟୁ ନିମନ୍ତେ ଯେଉଁମାନେ ଦାୟୀ ସେମାନଙ୍କର ବିଚାର କରାଯାଉ ବୋଲି ସାମାଜିକକର୍ମୀମାନେ ଦାବି କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସପରିବାର ଇରାନ୍‌ର ରାଜଧାନୀ ଗସ୍ତରେ ଯାଇଥିବା ମାଶା ଅମିନି ନାମରେ ଜଣେ ୨୨ ବର୍ଷୀୟ ତରୁଣୀଙ୍କୁ ‘ମୋରାଲିଟି ପୋଲିସ୍‌’ ଅଟକ ରଖିଥିଲା। ଇସ୍‌ଲାମୀୟ ସାଧାରଣତନ୍ତ୍ର ଇରାନ୍‌ରେ ମହିଳାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କଠୋର ‌‘ଡ୍ରେସ୍‌ କୋଡ୍‌’ ବ୍ୟବସ୍ଥା ଲାଗୁ କରାଇବା ଦାୟିତ୍ବ ‘ମୋରାଲିଟି ପୋଲିସ୍‌’ ଉପରେ ନ୍ୟସ୍ତଥାଏ। ଉକ୍ତ ‌‘ଡ୍ରେସ୍‌ କୋଡ୍‌’ ଅନୁସାରେ, ସର୍ବସାଧାରଣରେ ମହିଳାମାନେ ‘ହିଜାବ୍’ ପରିଧାନ କରିବା ବାଧ୍ୟତାମୂଳକ। କିନ୍ତୁ, ମାଶା ମହିଳାମାନଙ୍କ ନିମନ୍ତେ ଉଦ୍ଦୀଷ୍ଟ ଉପଯୁକ୍ତ ‘ହିଜାବ୍‌’ ପିନ୍ଧି ନ ଥିଲେ।

Image Courtesy of The Straits Times

‘ଇରାନ୍‌ ୱୟାର୍‌’ ୱେବ୍‌ସାଇଟ୍‌ ସମେତ ପାର୍ସି ଭାଷାର ଗଣମାଧ୍ୟମ ମାଶାଙ୍କ ପରିବାର ଲୋକଙ୍କ କଥାରୁ ଉଦ୍ଧୃତି କରି ରିପୋର୍ଟ କରିଛନ୍ତି ଯେ, ପୂର୍ବରୁ ସୁସ୍ଥଥିବା ମାଶା ଗିରଫ ହେବାର କିଛି ଘଣ୍ଟା ପରେ ‘କୋମା’ ଅବସ୍ଥାକୁ ଚାଲିଯିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏବେ ସେ ମରିଗଲେ।

ଥାନାରେ ପହଞ୍ଚିବା ଓ ଡାକ୍ତରଖାନାକୁ ଯିବା ମଧ୍ୟରେ କ’ଣ ସବୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କଥା ‘୧୫୦୦ତୱସିର୍‌’ ଚାନେଲ୍‌ ରିପୋର୍ଟ କରିଛି।

ହାଜତରେ ଶାରୀରିକ ନିର୍ଯାତନା ଏବଂ ଅନ୍ୟାନ୍ୟ କଦର୍ଯ୍ୟ ବ୍ୟବହାର ଯୋଗୁଁ ୨୨ ବର୍ଷୀୟ ଯୁବତୀ ମାଶା ଅମିନିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବାରୁ ଘଟଣାକୁ ଅପରାଧିକ ଦୃଷ୍ଟିକୋଣରୁ ତଦନ୍ତ କରାଯିବା ଉଚିତ ବୋଲି ‘ଆମେନ୍‌ସିଟି ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ନାମରେ ସାମାଜିକ ସଙ୍ଗଠନ ଦାବି କରିଛି।

ସମ୍ବନ୍ଧିତ ଖବର