ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମହିଳା ମୋଦୀଙ୍କୁ ଗୁହାରି କରି କହିଛନ୍ତି, ‘ମୋ ସ୍ବାମୀଙ୍କ ପାଇଁ ଚକ୍ଷୁ ଯୋଗାଡ଼ କରି ଦିଅନ୍ତୁ’

ନୂଆଦିଲ୍ଲୀ: କିଛିଦିନ ତଳେ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ଜୟପୁରରୁ କାଶ୍ମୀର ବୁଲିବାକୁ ଯାଇଥିବା ଟୁରିଷ୍ଟ ଦମ୍ପତ୍ତି ଏଥିରେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗୁରୁବାର ଜୟପୁରରେ ଗୁରୁତର ମହିଳା ପର୍ଯ୍ୟଟକ ପହଞ୍ଚିବା ପରେ ତାଙ୍କୁ ଏସଏମଏସ ହସ୍ପିଟାଲର ଟ୍ରାମା ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଥିସହିତ ତାଙ୍କ ସ୍ବାମୀ ତବରେଜଙ୍କୁ ଅଧିକ ଚିକିତ୍ସା ପାଇଁ ଚେନ୍ନାଇ ସ୍ଥାନାନ୍ତର କରି ଦିଆଯାଇଛି।

ଚିକିତ୍ସା ପରେ ଫରହା ଏହି ଭୟାବହ ଘଟଣାକୁ ବଖାଣି କହିଛନ୍ତି, ‘ମୁଁ ଓ ମୋର ସ୍ବାମୀ ମଇ ୧୩ ତାରିଖରେ ବୁଲିବା ପାଇଁ କାଶ୍ମୀର ଯାଇଥିଲୁ। ବୁଲିବା ସମୟରେ ମୁଁ ସ୍ବାମୀଙ୍କୁ କହୁଥିଲୁ କାଶ୍ମୀରରେ ଆତଙ୍କବାଦୀଙ୍କ ଭୟ ରହିଥାଏ ବୋଲି ସମସ୍ତେ କୁହନ୍ତି କିନ୍ତୁ ଏଠାରେ ସବୁକିଛି ତ ଠିକଠାକ ଅଛି। ଲୋକେ ନିର୍ଭୟରେ ବୁଲାବୁଲି କରୁଛନ୍ତି।

ବୁଲାବୁଲି ସାରିବା ପରେ କ୍ୟାମ୍ପକୁ ଫେରୁଥିବା ବେଳେ ହଠାତ ଗୁଳିଶବ୍ଦ ଶୁଣା ଯାଇଥିଲା। ଠିକ ଏତିକି ବେଳେ କିଛି ଗୁଳି ଆସି ମୋ ସ୍ବାମୀଙ୍କ ଶରୀରରେ ବାଜିଥିଲା। ମୁଁ ପୁଅକୁ ବଞ୍ଚାଇବାକୁ ଯାଉଥିବା ବେଳେ ମୋ ଶରୀରରେ ବି ଆତଙ୍କବାଦୀଙ୍କ ଗୁଳି ବାଜି ରକ୍ତସ୍ରାବ ହେବା ଆରମ୍ଭ ହୋଇଯାଇଥିଲା।

ସ୍ବାମୀଙ୍କ ଦୁଇ ଆଖରୁ ରକ୍ତ ବାହାରୁଥାଏ। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଦୁଇ ଆଖି ନଷ୍ଟ ହୋଇଯାଇଛି। ଆମେ ଜୟପୁରରେ ପହଞ୍ଚିବା ପରେ ତବରେଜଙ୍କୁ ଅଧିକ ଚିକିତ୍ସା ପାଇଁ ଚେନ୍ନାଇ ପଠାଯାଇଛି। ‌

ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ମୋର ସ୍ବାମୀଙ୍କୁ ଚକ୍ଷୁ ମିଳିବାର ବ୍ୟବସ୍ଥା କରାଇ ଦିଅନ୍ତୁ। ଦୁଇଟି ନହେଲେ ବି ତବରେଜଙ୍କୁ ଗୋଟିଏ ଚକ୍ଷୁ ଦେବାର ସୁବିଧା କରାଇ ଦିଅନ୍ତୁ।’

ସମ୍ବନ୍ଧିତ ଖବର